ପାଇଲଟଙ୍କୁ ରାଜସ୍ଥାନ ପିସିସି ସଭାପତି ଅଫର !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସକୁ ପାଇଲଟ ଅଡୁଆ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ଲଢେଇ କରି ବିଫଳ ହୋଇଥିବା ପାଇଲଟ ଏବେ ନିର୍ବାଚନ ପୂର୍ବରୁ ଗେହଲଟ ସରକାର ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗକୁ ନେଇ ପ୍ରଥମେ ଦିନିକିଆ ଅନଶନ ଓ ଏବେ ପାଞ୍ଚଦିନିଆ ଜନସଙ୍ଘର୍ଷ ଯାତ୍ରା କରି କଂଗ୍ରେସର ଟେନସନ ବଢ଼ାଇ ଦେଇଛନ୍ତି ପାଇଲଟ। ଦଳର ଯୁବ ନେତା ତଥା ରାଜସ୍ଥାନ କଂଗ୍ରେସର ପ୍ରମୁଖ ଚେହେରା ପାଇଲଟଙ୍କୁ ମନାଇବାକୁ କେନ୍ଦ୍ରୀୟ ନେତୃତ୍ୱ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଏବେ ପୁଣିଥରେ ଏ ପ୍ରୟାସକୁ ଜୋରଦାର କରାଯାଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ତାଙ୍କୁ ପୁଣିଥରେ ପିସିସି ସଭାପତି ପଦ ଦେଇ ସନ୍ତୁଷ୍ଟ କରିବାର ଚେଷ୍ଟା କରାଯାଇପାରେ ବୋଲି କୁହାଯାଉଛି। ପାଇଲଟଙ୍କ ଧୈର୍ଯ୍ୟ ରଖିବାକୁ କୁହାଯାଇଛି। କର୍ଣ୍ଣାଟକ ପରେ ଏବେ ରାଜସ୍ଥାନ ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସର ନଜର ଏହି ରାଜ୍ୟ ଉପରେ ରହିଛି। ଦଳ ଏବେ କ୍ଷମତାରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଉଦ୍ୟମ କରୁଛି। ତେଣୁ ପାଇଲଟଙ୍କୁ ମନାଇବା ପାଇଁ ତାଙ୍କୁ ପିସିସି ମୁଖ୍ୟ କରିବା ସହ ତାଙ୍କ ସମର୍ଥକଙ୍କୁ ଅଧିକ ସଂଖ୍ୟକ ଟିକେଟ ମିଳିବ ବୋଲି କୁହାଯାଉଛି। ଖୁବ ଶୀଘ୍ର ଦିଲ୍ଲୀରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ପାଇଲଟଙ୍କ ମଧ୍ୟରେ ବୈଠକ ହେବ। ସଚିନଙ୍କ ବିଦ୍ରୋହକୁ ପ୍ରଥମେ ଗୁରୁତ୍ୱ ଦେଉ ନ ଥିବା କଂଗ୍ରେସ ଏବେ ଏହାକୁ ଗୁରୁତ୍ବର ସହ ନେଇଛି। ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳିବାର ଟ୍ରେଣ୍ଡ ଥିବାବେଳେ କଂଗ୍ରେସ କନ୍ଦଳ ଜୋରଦାର। ଏଭଳି ସ୍ଥିତିରେ ବିଜେପିର ନଜର ରାଜସ୍ଥାନ ଉପରେ। ଖୋଦ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନ ଗସ୍ତରେ ଯାଇ ବହୁ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି। ଯାହାକୁ ନେଇ ଟେନସନରେ କଂଗ୍ରେସ। କର୍ଣ୍ଣାଟକରେ ଜିତିବା ପରେ ରାଜସ୍ଥାନକୁ ହରାଇବାକୁ ଚାହୁଁନି ଦଳ। କିନ୍ତୁ ପାଇଲଟଙ୍କ ବିଦ୍ରୋହ ଦଳ ପାଇଁ ମହଙ୍ଗା ପଡିପାରେ ବୋଲି କୁହାଯାଉଛି। ସେପଟେ ପାଇଲଟଙ୍କ କାର୍ଯ୍ୟକଳାପ ଓ ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସନ୍ତୁଷ୍ଟ।‌ସଚିନଙ୍କୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦ ଦେବା ସପକ୍ଷରେ ନାହାଁନ୍ତି ସେ। ତେଣୁ ଯଦି ହାଇକମାଣ୍ଡ ପିସିସି ମୁଖିଆ ପଦ ପାଇଲଟଙ୍କୁ ଦିଅନ୍ତି ତେବେ ଗେହଲଟ ଏହାକୁ କେତେଦୂର ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଆସନ୍ତା ଜୁନ ପ୍ରଥମ ସପ୍ତାହ ସୁଦ୍ଧା କିଛି ସମାଧାନ ନ ହେଲେ ସଚିନ ପାଇଲଟ ନୂଆ ଦଳ ଗଢିବେ ବୋଲି ସୂଚନା ମିଳୁଛି। ଯାହାକି ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏକ ବଡ଼ ଝଟକା ହେବ। ତେଣୁ ଏ ସବୁକୁ ଦଳ କିଭଳି ମ୍ୟାନେଜ କରୁଛି ତା ଉପରେ ନଜର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.