ଚକ୍ରବ୍ୟୁହରେ ସିଦ୍ଦରମେୟା, ଫସିବେ ନା ଖସିବେ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବହୁ ପ୍ରତିଯୋଗିତା ମଧ୍ୟରେ ରେସରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଦାୟିତ୍ୱ ଗ୍ରହଣ ସହ ମନ୍ତ୍ରୀମଣ୍ଡଳ ଗଠନ ଓ ସମନ୍ୱୟ ରକ୍ଷା ତାଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି। ଏଥିସହିତ କ୍ୟାବିନେଟରେ ସବୁ ବର୍ଗ, ଧର୍ମ, ଜାତି ଏବଂ ପୁରୁଣା ନୂଆ ବିଧାୟକଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଗଠନ ବେଶ ଚ୍ୟାଲେଞ୍ଜିଂ ହେବ। କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ ୩୪ ଜଣ ମନ୍ତ୍ରୀ ରହିପାରିବେ। ତେଣୁ ମନ୍ତ୍ରୀ ହେବା ପାଇଁ ବହୁ ଆଶାୟୀ ଥିବାବେଳେ ସେମାନଙ୍କୁ କିଭଳି ସନ୍ତୁଷ୍ଟ କରିହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କର୍ଣ୍ଣାଟକର ପ୍ରମୁଖ ବର୍ଗ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିଥିବାରୁ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ହେବ ବୋଲି କୁହାଯାଉଛି। ଏଥିସହିତ ଶିବକୁମାର ଗୋଷ୍ଠୀର ମଧ୍ୟ ବହୁ ଆଶାୟୀ ଅଛନ୍ତି। ସେମାନେ ଗୁରୁତ୍ୱପୂର୍ଣ୍ଣ ବିଭାଗ ନେବାକୁ ଚାହିଁବେ ବୋଲି କୁହାଯାଉଛି। ଏପରିକି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ କଂଗ୍ରେସରେ ଆହୁରି ବହୁ ଆଶାୟୀ ଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଜି ପରମେଶ୍ୱର ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ଦଳିତ ସମ୍ପ୍ରଦାୟର ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ନ କଲେ ଏହା ଦଳକୁ ସମସ୍ୟାରେ ପକାଇବ ବୋଲି ସେ କହିଛନ୍ତି। ସେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦାବିଦାର ଥିଲେ। ସେପଟେ ଏଥର କଂଗ୍ରେସର ୩୯ ଜଣ ବିଧାୟକ ଲିଙ୍ଗାୟତ ସମ୍ପ୍ରଦାୟର, ୨୧ ଜଣ ଭୋକାଲିଗା, ୨୨ ଜଣ ଅନୁସୂଚିତ ଜାତି, ୧୫ ଜଣ ଅନୁସୂଚିତ ଜନଜାତି, ୯ ଜଣ ମୁସଲମାନ ଓ ୮ ଜଣ କୁରୁବା ସମ୍ପ୍ରଦାୟର। ତେଣୁ ଏ ସବୁ ବର୍ଗରେ ଅନୁଭବୀ ନେତା ଥିବାରୁ ସେମାନଙ୍କୁ ସନ୍ତୁଷ୍ଟ କରିବା ସିଦ୍ଦରମେୟାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।ରାଜ୍ୟ କଂଗ୍ରେସର ପ୍ରମୁଖ ଦଳିତ ନେତା କେ ଏଚ ମୁନିୟାପା, ଜି ପରମେଶ୍ୱର, ପ୍ରିୟଙ୍କ ଖଡ଼ଗେ, ଲିଙ୍ଗାୟତ ନେତା ଏମ ବି ପାଟିଲ, ଈଶ୍ୱର ଖାଣ୍ଡରେ, ଲକ୍ଷଣ ସାବାଡି ପ୍ରମୁଖ ରହିଛନ୍ତି। ସେହିପରି ଭୋକାଲିଗା ସମ୍ପ୍ରଦାୟରୁ କ୍ରିଷ୍ଣା ବାଇରେ ଗୌଡା, ଚେଲୁଭରାୟ ସ୍ୱାମୀ ଓ ବ୍ରାହ୍ମଣ ସମ୍ପ୍ରଦାୟରୁ ଦିନେଶ ଗୁଣ୍ଡୁ ରାଓ, ଆର ଭି ଦେଶପାଣ୍ଡେ ପ୍ରମୁଖ ଚେହେରା ରହିଛନ୍ତି। ଏପରିକି ମନ୍ତ୍ରୀ ଚୟନ ପରେ ବିଭାଗ ବଣ୍ଟନକୁ ନେଇ ମଧ୍ୟ ଅଡୁଆ ହୋଇପାରେ। ବହୁ ବରିଷ୍ଠ ନେତା ନିର୍ବାଚନ ଜିତିଥିବାରୁ ସେମାନେ ପ୍ରମୁଖ ବିଭାଗ ଦାବି କରିପାରନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇଥିବା ଡି କେ ଶିବକୁମାର ବେଙ୍ଗାଳୁରୁ ବିକାଶ, ଜଳସମ୍ପଦ, ଶକ୍ତି ଭଳି ବିଭାଗ ଦାବି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ମନ୍ତ୍ରୀମଣ୍ଡଳ ଗଠନ ପରେ ୨୦୨୪ ପୂର୍ବରୁ କର୍ଣ୍ଣାଟକରେ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା, ଜିଲ୍ଲା ପଂଚାୟତ ଓ ତାଲୁକ ପଂଚାୟତ ନିର୍ବାଚନ ହୋଇପାରେ। ତା ପରେ ପରେ ଲୋକସଭା ନିର୍ବାଚନ ହେବ। ଏପରିକି ୨୦୧୯ ରେ କଂଗ୍ରେସ ମାତ୍ର ଗୋଟିଏ ଲୋକସଭା ସିଟ ଜିତିଥିଲା। ସେପଟେ କଂଗ୍ରେସ ପକ୍ଷରୁ ନିର୍ବାଚନ ବେଳେ କରାଯାଇଥିବା ୫ ଟି ଗ୍ୟାରେଣ୍ଟି ପ୍ରଥମ କ୍ୟାବିନେଟ ରେ ପୂରଣ କରାଯିବା ନିଷ୍ପତ୍ତି ବେଶ ଚ୍ୟାଲେଞ୍ଜିଂ ହେବ। ପ୍ରତି ଘରକୁ ୨୦୦ ୟୁନିଟ ମାଗଣା ବିଜୁଳି, ଘରର ବରିଷ୍ଠ ମହିଳାଙ୍କୁ ମାସିକ ଦୁଇ ହଜାର ଟଙ୍କା, ବିପିଏଲ ପରିବାର ସଦସ୍ୟଙ୍କୁ ମାସିକ ୧୦ କିଲୋ ଚାଉଳ, ଗ୍ରାଜୁଏଟଙ୍କୁ ମାସିକ ଦୁଇ ହଜାର ଓ ଡିପ୍ଲୋମା ଧାରୀଙ୍କୁ ୧୫୦୦ ଟଙ୍କା ଓ ମହିଳାଙ୍କୁ ମାଗଣା ବସ ଯାତ୍ରା ତୁରନ୍ତ ପ୍ରଦାନ କରାଯିବାକୁ କଂଗ୍ରେସ କହିଥିଲା। ତେଣୁ ଏ ସବୁକୁ ପୂରଣ କରିବା ସହ ସମସ୍ତଙ୍କ ମନ ନେଇ ଚାଲିବା ସିଦ୍ଦରମେୟାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ଯ । କିନ୍ତୁ ସରକାର ଚଳାଇବାରେ ବ୍ୟାପକ ଅଭିଜ୍ଞତା ଥିବା ସିଦ୍ଦରମେୟା ଏ ସବୁ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହୋଇପାରିବେ ବୋଲି କୁହାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.