ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ସହର ଅନ୍ତର୍ଗତ କରଣସାହି ସ୍ଥିତ ଏକ ତିନି ମହଲା ଘରୁ ଜଣେ ଅବିବାହିତ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଖଲ୍ଲିକୋଟ ପୋଲିସ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାୟୀ ଭଞ୍ଜନଗର ଥାନା ଅନ୍ତର୍ଗତ ପାଟଧର ଗ୍ରାମର ଦୟାନିଧି ସ୍ବାଇଁ ଝିଅ ପାୟଲ ସ୍ବାଇଁ (୨୩) ଖଲ୍ଲିକୋଟରେ ରହି ସେହି ସହରର ବଡଦାଣ୍ଡ ସାହିରେ ଥିବା କଳିଙ୍ଗ ଲୋନ ସର୍ଭିସ ପଏଣ୍ଟରେ ଅଭ୍ୟର୍ଥନା କର୍ମଚାରୀ ଭାବେ କାମ କରୁଥିଲେ । ଦ୍ବିପହରେ ପାୟଲ ଅସୁସ୍ଥ ଲାଗୁଛି କହି ରହୁଥିବା ଭଡା ଘରକୁ ଯାଇଥିଲେ । ଦୀର୍ଘ ସମୟ ଧରି କାର୍ଯ୍ଯାଳୟକୁ ନଫେରିବାରୁ କଳିଙ୍ଗ ଲୋନ ସର୍ଭିସ ପଏଣ୍ଟର କର୍ମକର୍ତ୍ତା ଫୋନ କରିବା ପରେ କୌଣସି ଉତ୍ତର ନମିଳିବାରୁ ପାୟଲଙ୍କ ଭଉଣୀଙ୍କ ସହ ଯୋଗାଯୋଗ କରିଥିଲେ । ପାୟଲ ରହୁଥିବା ଘରେ କବାଟ ବନ୍ଦ ଥିବା ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଥିବା ଯୁବତୀଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତ ଯୁବତୀଙ୍କ ସହିତ ସିଧାପଲୀ ଗ୍ରାମର ବିପ୍ର ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ (୨୪)ଙ୍କୁ ସନ୍ଦେହରେ ଧରି ନେଇ ଥାନାରେ ଅଟକ ରଖି ପଚାରାଉଚାରା ଚଳାଇଛି । ତେବେ ପାୟଲଙ୍କ ମୃତ୍ୟୁ ପ୍ରେମ ଜନିତ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।