କାଳୀ ମନ୍ଦିର ହୁଣ୍ଡିରୁ ଚୋରି କରିଥିବା ୩ ଦୁବୁର୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ବ୍ଳକ କଲୋନୀ ଛକରେ ଥିବା କାଳୀ ମନ୍ଦିର ହୁଣ୍ଡିରୁ ଚୋରି ଘଟଣାରେ ୩ଜଣ ଚୋରକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡା ଥାନା ପୋଲିସ । ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ଦୁର୍ବୁତମାନଙ୍କ ଠାରୁ ମାତ୍ର ୨୭ଶହ ଟଙ୍କା ଜବତ କରି ପାରିଛି ପୋଲିସ । ସେମାନଙ୍କ ଠାରୁ ଚୋରିରେ ବ୍ୟବହୃତ ହୋଇଥିବା ଦୁଇଟି ଛୁରୀ ସହ ଦୁଇଟି ଲୁହା ଛଡ ଜବତ କରାଯାଇଛି ।

ଆଜି ସଂଧ୍ୟାରେ ଚୋରି ଘଟଣାକୁ ନେଇ ରାୟଗଡା ଥାନା ପୋଲିସ ପରିସରରେ ଏସଡିପିଓ ଦିବ୍ୟଜ୍ୟୋତି ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚଳିତ ମାସର ୧୯ତାରିଖ ବିଳମ୍ବିତ ରାତ୍ରରେ ମନ୍ଦିର ମୁଖ୍ୟ ଗେଟ୍ ତାଲା ଭାଙ୍ଗି ଭିତରକୁ ପଶି ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ସହ ସୁନା, ରୂପା ଗହଣା ଚୋରି କରି ନେଇଥିଲେ ଦୁର୍ବୁତ । ଯାହାକୁ ନେଇ ମନ୍ଦିର ପରିଚାଳନା କମିଟି ସଂପାଦକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଳା ଏସପିଙ୍କ ବାସଭବନ ନିକଟରେ ରହିଥିବା କାଳୀ ମନ୍ଦିରରୁ ଚୋରମାନେ ଚୋରି କରିଥିବା ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପୋଲିସର ପାରିବା ପଣିଆ ଉପରେ ଖବର ପ୍ରକାଶିତ ହେବା ସହ ସହରରେ ପୋଲିସର ସୁରକ୍ଷା ଓ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ଏକ ଚ୍ୟାଲେଂଜ ଭାବେ ଗ୍ରହଣ କରି ଜିଲ୍ଳା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍ ଗଠନ କରାଯାଇ ତଦନ୍ତ ଜୋରଦାର କରାଯାଇଥିଲା ।

ସିସିଟିଭି ଫୁଟେଜ ସହ ଅନ୍ୟ ତଥ୍ୟକୁ ଆଧାର କରି ଚୋରିରେ ସଂପୃକ୍ତି ଥିବା ଜେକେପୁର ଅଂଚଳର ବିଟିକା ଶ୍ରୀନୁ, ଗଂଜାମ ଜିଲ୍ଳାର ଆନନ୍ଦ କୁମାର ମୁଦୁଲି ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଳାର ପେଂଟା କ୍ରିଷ୍ଣା ନାମକ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସଡିପିଓ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ସହରରେ ବୃଦ୍ଧି ପାଉଥିବା ଚୋରି, ରାହାଜାନି, ଡକାୟତି ଭଳି ଘଟଣାରେ ସହରବାସୀଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସିସିଟିଭି ଲଗାଯାଇଛି । ତଥାପି ସହରବାସୀ ମଧ୍ୟ ନିଜ ନିଜ ଘରେ ସିସିଟିଭି ଲଗେଇବା ସହ ଘରେ ତାଲା ଦେଇ ବାହାରକୁ ଗଲେ ପୋଲିସକୁ ଅବଗତ କରି ଯିବା ପାଇଁ ଏସଡିପିଓ ଶ୍ରୀ ଦାସ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ କମଳକାନ୍ତ ବସନ୍ତ କହଁର, ସେକେଣ୍ଡ ଆଇଆଇସି ଆମେଲା ସରଦାରଙ୍କ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.