ଓଡିଶା ବିକଳାଙ୍ଗ ମଂଚର ୨ଦିନିଆ ରାଜ୍ୟସ୍ତରୀୟ ସମନ୍ୱୟ ଏବଂ ତ୍ରିୟମାସିକ ସମୀକ୍ଷା ବୈଠକ

ଭିନ୍ନକ୍ଷମ ନିର୍ଦ୍ଦେଶକଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଲା ମଂଚ

ବିଭିନ୍ନ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ରାୟଗଡା ଜିଲ୍ଳାର ଦିବ୍ୟାଙ୍ଗମାନେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ବିକଳାଙ୍ଗ ମଂଚ ରାୟଗଡା ଜିଲ୍ଳା ଶାଖା ଆନୁକୂଲ୍ୟରେ ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମନ୍ୱୟ ଏବଂ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ବିକଳାଙ୍ଗ ମଂଚ ସଭାପତି ରାକେଶ କୁମାର ହିମିରିକା ଏବଂ ସଂପାଦକ ଜଳନ୍ଧର ବାଚେଲିଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ଶ୍ରୀମତି ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶେଷ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଓଡିଶା ବିକଳାଙ୍ଗ ମଂଚ ସଭାପତି ନିରଂଜନ ବେହେରା ଏବଂ ମୁଖ୍ୟବକ୍ତା ଭାବେ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ଯୋଗ ଦେଇଥିଲେ ।

ରାଜ୍ୟର ସମସ୍ତ ଦିବ୍ୟାଙ୍ଗମାନଙ୍କ କିପରି ବିକାଶ ହୋଇପାରିବ, ସମାଜର ମୁଖ୍ୟ ସ୍ରୋତରେ ସେମାନେ କିପରି ଭାବେ ସାମିଲ ହୋଇପାରିବେ, ସ୍ୱାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କର ନିମ୍ନ ମୈାଳିକ ଆବଶ୍ୟକତା ଯଥା: ବସ୍ତ୍ର, ବାସ ଓ ଖାଦ୍ୟ ଯେପରି ପାଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ତେବେ ସରକାରୀ କାର୍ଯ୍ୟାଳୟରେ ଦିବ୍ୟାଙ୍ଗମାନଙ୍କୁ ଅଧିକାରୀ ଓ କର୍ମଚାରୀମାନେ ଦୁର୍ବ୍ୟବହାର ଓ ଅଣଦେଖା କରୁଥିବା, କୈାଣସି ବି କାର୍ଯ୍ୟାଳୟରେ ଦିବ୍ୟାଙ୍ଗଙ୍କ ପାଇଁ ଯାତାୟାତର ସୁବିଧା ନ ଥିବା, ଭତା ଟଙ୍କା ଠିକ୍ ସମୟରେ ନ ମିଳିବା ଭଳି ଅଭିଯୋଗ ବୈଠକରେ ଶୁଣିବାକୁ ମିଳିଥିବା ବେଳେ ଅନ୍ୟାନ୍ୟ ସମସ୍ୟାଗୁଡିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ରାୟଗଡା ଜିଲ୍ଳା ଏକ ପଛୁଆ ଜିଲ୍ଳା ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ରହୁଥିବା ହଜାର ହଜାର ଦିବ୍ୟାଙ୍ଗମାନେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ଏବଂ ବୈଠକରେ ଉପସ୍ଥିତ ଥିବା ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତି ହରିଚନ୍ଦନ ସମସ୍ୟାଗୁଡିକ ସମାଧାନ ଦିଗରେ ପ୍ରତିଶୃତି ଦେଇଥିବା କହିଛନ୍ତି ।

ସେହିପରି ମୁଖ୍ୟ ଅତିଥି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତି ହରିଚନ୍ଦନ ରାୟଗଡା ଜିଲ୍ଳାରେ ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିବାକୁ ଆସିଥିଲି ଏବଂ ବୈଠକରେ ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଛି ବୋଲି ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଳାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଅକାଳରେ ମୃତ୍ୟୁବରଣ କରିଥିବା ରେଳଯାତ୍ରୀମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.