କବାଡି ବ୍ୟବସାୟ ଆଳରେ ବେନିୟମ ଗଞ୍ଜେଇ କାରବାର

ଫପସି ଛକରୁ ୬୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଅଭିଯୁକ୍ତକୁ କୋର୍ଟଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନା ମୁଖ୍ୟ ଫାଟକ ନିକଟ ଭିଆଇପି ଛକ ନିକଟରେ ଅବକାରୀ ବିଭାଗ ତରଫରୁ ବଡଧରଣର ଚଢ଼ଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ କରାଯାଇଛି। କବାଡି ବ୍ୟବସାୟ ଆଳରେ ଗଞ୍ଜେଇ କାରବାର କରୁଥିବା ଅଭିଯୁକ୍ତ ଘନଶ୍ୟାମ ଜେନା (୨୮) ଗିରଫ ହୋଇଛି। ଜବତ ଗଞ୍ଜେଇ ଓ ଗିରଫ ଅଭିଯୁକ୍ତକୁ ଟିଟିଲାଗଡ ଅବକାରୀ ଥାନାକୁ ଅଣାଯାଇଥିଲା। ବିଭାଗ ପକ୍ଷରୁ ଏସଡିଜିଏମ କୋର୍ଟ ସମ୍ମୁଖରେ ଓଜନ କରାଯିବା ପରେ ଜବତ ଗଞ୍ଜେଇର ପରିମାଣ ୬୩୦ କେଜି ଏବଂ ଏହାର ମୂଲ୍ୟ ୬୩ ଲକ୍ଷ ବୋଲି ସୂଚନା ଦିଆଯାଇଛି। ଅଭିଯୁକ୍ତକୁ ଏସଡିଜେଏମ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ରହିଛି। ପ୍ରକାଶ ଯେ, ବଡ଼ମାଳ ଓ ଫପସି ଅଞ୍ଚଳରେ ଦୀର୍ଘଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେବା ସହ ନିଶା କାରବାର ଖୋଲାଖୋଲି ଭାବରେ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ଗିରଫ ଅଭିଯୁକ୍ତ ଘନଶ୍ୟାମଙ୍କ ପରିବାର ମୂଳତଃ ବ୍ରହ୍ମପୁର ନିବାସୀ ହୋଇଥିବା ବେଳେ କିଛି ବର୍ଷ ପୂର୍ବେ ଏଠାକୁ ଆସି କବାଡି କାରବାର ଆରମ୍ଭ କରି ଗୁଜୁରାଣ ମେଣ୍ଟାଉଥିଲେ। ପରବର୍ତ୍ତୀ ସମୟରେ କବାଡି କାରବାର ଆଳରେ ଗଞ୍ଜେଇ ଚୋରା ଚାଲାଣ ଓ ନିଶା କାରବାର ଚଳାଇ କୋଟିପତି ପାଲଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଘନଶ୍ୟାମ ଏକ ବିଏମଡବ୍ଲ୍ୟୁ ବାଇକ ଚଢ଼ୁଥିବା ଏବଂ ଦାମୀ କାର ବ୍ୟବହାର କରୁଥିବା ସହ ସରକାରୀ ଜମିରେ ବିଶାଳ କୋଠା ଘର ତିଆରି କରିଥିବା ସୂଚନା ମିଳିଛି। ତେବେ ଏହି ଅଞ୍ଚଳରେ ଆହୁରି କିଛି ଗଞ୍ଜେଇ ମାଫିଆମାନେ ମଧ୍ୟ ବ୍ୟାପକ ନିଶା କାରବାର ଚଲାଇଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଅପରାଧୀମାନଙ୍କ ମନୋବଳ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ତେଣୁ ଏହି ଅଞ୍ଚଳରେ କିଛି ମାଫିଆ ଘରେ ଗଞ୍ଜେଇ ମହଜୁଦ ରଖିଥିବାରୁ ଅବକାରୀ ବିଭାଗ ଚଢ଼ାଉ କରିବା ପାଇଁ ସାଧାରଣରେ ଦାବୀ ହେଉଛିl

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.