‘ବାପା ତୁଇ ସମ୍ବଲପୁର ଯାଉଛୁ ହେଲେ ମୁଇଁ ଦେଶ୍ ଯାଉଚେଁ’: ଏବେ ଗାଁକୁ ଫେରୁଛି ଯୁବା ପୁଅର ଶବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବାପା ତୁଇ ସମ୍ବଲପୁର ଯାଉଛୁ, ହେଲେ ମୁଇଁ ଦେଶ୍ ଯାଉଚେଁ, ଗରିବ ପରିବାର ଭଙ୍ଗା କୁଡ଼ିଆ ଦେଶ ଦୁରିଆ, ଫେରଲେ ପରିବାର ଠିକ୍ ରେ ଚାଲିବା -ଏମିତି କିଛି କହି ଦିପଇସା ରୋଜଗାର କରିବା ଆଶା ନେଇ ଗତ ଦେଢ ମାସ ତଲେ ଘରୁ ଗୋଡ଼ କାଢିଥିଲେ କୋକସରା ବ୍ଲକ ଆମପାଣି ଥାନା ନୂଆଗାଁର ବାସୁଦେବ ମାଝୀଙ୍କ ବଡ଼ପୁଅ ଚରଣ ମାଝି। ହେଲେ ଆଜି କିନ୍ତୁ ଆସିଛି ତାଙ୍କ ମୃତ୍ୟୁ ଖବର। ଆଉ ରୋଜଗାରକ୍ଷମ ପୁଅର ମୃତ୍ୟୁ ଖବର ପାଇ ମା’ର ଛାତି ଫାଟି ଯାଉଛି।ଛାତିରେ ଛାତିଏ କୋହ, ଆଖିରେ ଆଖିଏ ଲୁହ ମାରି, ଛାତିପିଟି ବାହୁନି ବାହୁନି କାନ୍ଦୁଛିl ଆମପାଣି ଥାନା ନୂଆଗାଁର ଚରଣ ମାଝୀ, ଗତ ଦେଢ ମାସ ତଳେ ପରିବାରର ଆର୍ଥିକ ସ୍ଥିତି ଖରାପ ହେତୁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ। ସବୁଦିନ ପରି କାମକୁ ଯାଇଥିବାବେଳେ ଛାତିରେ ଯନ୍ତ୍ରଣା ହେବାରୁ ସାଥୀ ଶ୍ରମିକ ମାନେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହେଲେ ପରିବାର ଲୋକ ପହଞ୍ଚିବା ପରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଏବେ ମୃତ ଶ୍ରମିକଙ୍କ ଶବ ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ନିଜ ଭିଟାମାଟି କୁ ଫେରୁଛି। ରୋଜଗାର କ୍ଷମ ଭେଣ୍ଡିଆ ପୁଅର ମୃତ୍ୟୁ ପରେ ମା’ ଆଖି ଲୁହରେ ପନତ କାନି ଭିଜୁ ଥିବାବେଳେ ପୁରା ପରିବାର ଲୋକଙ୍କ ଆଖିରୁ ଲୁହ ଝରୁଛି। ଏପଟେ ପାଖ ପଡୋଶୀ ସ୍ତବ୍ଧ ହୋଇ ବସିଛନ୍ତି, ଗାଁ ଦାଣ୍ଡ ବି କାନ୍ଦ ବୋବାଳିରେ ଫାଟି ପଡୁଛି।ଚରଣଙ୍କ ପରିବାରଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଥିବାବେଳେ ଏବେ ରୋଜଗାର କ୍ଷମ ଭେଣ୍ଡିଆ ପୁଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏପଟେ ଗାଁ ଲୋକେ ସରକାରୀ ସହାୟତା ପାଇଁ ମଧ୍ୟ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.