ଆମ୍ବ ଗଛରୁ ପଡି ଯୁବକ ଗୁରୁତର; ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଲମପୁର ବ୍ଲକ  ହାରାମାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମ ଠାରେ ଆଜି ଘଟିଛି ଏକ ଅଘଟଣ। ଜଣେ ଯୁବକ ଆମ୍ବ ତୋଳିବାକୁ ଯାଇ ଗଛର ୨୦ଫୁଟ ଉଚ୍ଚରୁ ଆସି ପଡି ଗୁରୁତର ହେଇ ପଡିଥିଲେ। ଯୁବକ ଏକାକୀ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଭୋର ସମୟ ଏବଂ ଜଙ୍ଗଲି ଭାଲୁର ପ୍ରଭାବ ଯୋଗୁଁ କେହି ଯାତାୟତ କରୁନଥିଲେ । କିନ୍ତୁ ଉକ୍ତ ଯୁବକଙ୍କ ପାଇଁ ଦେବଦୂତ ଭଳି ପ୍ରାତଃ ଭ୍ରମଣରେ ଯାଉଥିବା ପୂର୍ବତନ ସରପଞ୍ଚ ସଞ୍ଜୀବ କୁମାର ଠାକୁର ଘଟଣା ସ୍ଥଳରେ ପହଞ୍ଚି କିଛି ସହଯୋଗୀଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏହାସହ ଚିକିତ୍ସା ସହାୟତା ଯୋଗାଇବା ପାଇଁ ତୁରନ୍ତ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ପାଇଁ ଯୋଗାଯୋଗ କରିଥିଲେ । କିନ୍ତୁ ପରିତାପର ବିଷୟ ଏଭଳି ଏକ ଜରୁରୀ ସମୟରେ କଲମପୁର, ଜୟପାଟଣା, ଥୁଆମୁଳ ରାମପୁର, ଚାରବାହାଲ, ଜୁନାଗଡ଼ ଓ କୋକସରା ପାଇଁ ନିୟୋଜିତ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିଲା । ଯେଉଁଥିପାଇଁ ଶେଷରେ କଲମପୁର ଅଗ୍ନିଶମ ବିଭାଗକୁ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇ ଯୁବକଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ଏ ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଓ.ଆଇ.ସି. ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ବରେ ନିରଞ୍ଜନ ଦାସ, ଆଶିଷ କୁମାର ନନ୍ଦ ଏବଂ ଡିସେମ୍ବର ବୁଡେକ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ ପାଣିଗାଁର ପୁଲସ୍ତ୍ୟ ନାଏକ ବୋଲି ସୂଚନା ମିଳିଛି । ତାଙ୍କ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଗୁରୁତର ଆହତ ହେଇଥିବା ପୁଲସ୍ତ୍ୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.