ବନ୍ୟା ମୁକାବିଲା ପାଇଁ ନର୍ଲାରେ ଟେବୁଲ ଟପ ବୈଠକ

ସୋମବାର ମକଡ୍ରିଲ

ଜିରୋ କଜୁଆଲଟି ଉପରେ ଗୁରୁତ୍ୱ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଗତ ବର୍ଷ ମାନଙ୍କରେ ବନ୍ୟବାତ୍ୟାକୁ ମୁକାବିଲା କରି ରାଜ୍ୟ ସରକାର ଅନେକ ଅନୁଭୂତି ପାଇଛନ୍ତି । କେବଳ ମହାବାତ୍ୟା ସମୟରେ ସଠିକ ସୂଚନା ଅଭାବରୁ ଓଡ଼ିଶାରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା । ଏହାପରେ ରାଜ୍ୟ ନବୀନ ସରକାରଙ୍କ ସମୟରେ ଆସିଥିବା ବାତ୍ୟା ଫାଇଲିନ, ହୁଡହୁଡ, ଫନି, ହେଲେନ ଭଳି ବାତ୍ୟା ର ସଠିକ ମୁକାବିଲା କରିଥିଲେ । ଜିରୋ କଜୁଆଲଟି କରିବାରେ ସଫଳ ହୋଇଥିଲେ ରାଜ୍ୟ ସରକାର । ହେଲେ ୧୫ ରେ ଗୁଜୁରାଟରେ ହୋଇଥିବା ବାତ୍ୟା “ବିପର୍ଯ୍ୟୟ” ରେ ଅନେକ ଧନ ଜୀବନ ନଷ୍ଟ ହେଲା । ବନ୍ୟା ମୁକାବିଲାରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ବହୁ ଆଗରେ ରହି ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବସନ୍ତି ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଳା ପାଇଁ ଟେବୁଲ ଟପ ଏକ୍ସସାଇଜ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ତହସିଲଦାର ଶଙ୍କର ବାଗ, ଆଇଆଇସି ଗଙ୍ଗାଧର ମେହେର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ମଞ୍ଚସୀନ ରହି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ଆରଡବ୍ଲୁ ଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀ ପଣ୍ଡା, କ୍ଷୁଦ୍ର ଜଳସେଚନ ଯୋଜନା ନର୍ଲା ର କନିଷ୍ଠ ଯନ୍ତ୍ରୀ ସୌମ୍ୟ ମାଝୀ, ନର୍ଲା ରେଞ୍ଜର ଶ୍ରୀ ପାଳ, ଜିଲ୍ଲା ଉଦ୍ୟାନ ଉପ ନିର୍ଦ୍ଦେଶକ, ନର୍ଲା କୃଷି ବିଭାଗ ଓ ନର୍ଲା ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଏଥିରେ ଯୋଗଦାନ କରିଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଳା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ବିଭିନ୍ନ ବିଭାଗ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପଦକ୍ଷେପ ଉପରେ ଅଧିକାରୀ ମାନେ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ l ବିଡ଼ିଓ ଶ୍ରୀମତୀ ସେଠୀ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମର ତଥ୍ୟ ଗୁଡିକର ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟା ର ସଠିକ ଓ ସଫଳ ମୁକାବିଳା ନିମନ୍ତେ ବିପର୍ଯ୍ୟୟ ର ଅତ୍ୟନ୍ତ ଗୁରୁତର ପ୍ରଭାବ କୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇ ବନ୍ୟା ଆଶ୍ରୟ ସ୍ଥଳୀ ମାନଙ୍କରେ ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହିତ ବନ୍ୟା ସମ୍ୱନ୍ଧୀୟ ଯେକୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି l ବ୍ଲକ ର ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ସମ୍ପୂର୍ଣ ପ୍ରସ୍ତୁତ ରହି ସ୍ଥିତି ପରିସ୍ଥିତି କୁ ଦେଖି ତ୍ୱରିତ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l ଆସନ୍ତା କାଲି ସୋମବାର ପୂର୍ବାହ୍ନ ୧୦ ଘଟିକା ସମୟରେ ନର୍ଲା ବ୍ଲକ ପରିସରରେ ମକଡ୍ରିଲ ଅନୁଷ୍ଠିତ ହେବ l କାର୍ଯ୍ୟକ୍ରମ ଅବସରରେ ନର୍ଲା ବ୍ଲକ ଅଞ୍ଚଳର ସମସ୍ତ ବିଭାଗର ଅଧିକାରୀଯୋଗଦାନ କରି ନିଜ ନିଜର ସୁ ଚିନ୍ତିତ ମତବ୍ୟକ୍ତ କରି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଉଚିତ ମୁକାବିଳା ନିମନ୍ତେ ଦୃଢ ପରିକର ରହିଥିବା ଜଣାପଡିଛି l ଏହି ଟେବୁଲ ଟପ କାର୍ଯ୍ୟକ୍ରମ କୁ ଜିପିଇଓ ଶ୍ରୀ ନାଏକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.