ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗୁଣ୍ଡିଚା ମନ୍ଦିର ଠାରେ ଚତୁ୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ ମହାପୁଣ୍ୟ ଓ ଫଳ ପ୍ରାପ୍ତି ଅଟେ । ସେପଟେ ଦିନସାରା ଝିପଝିପି ବର୍ଷା ସତ୍ତ୍ବେ ମହାପ୍ରଭୁଙ୍କ ଦିବ୍ୟ ଲୀଳାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡ଼ିରେ ରହିଥିବା ବେଳେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରଥଯାତ୍ରା କମିଟି ଓ ପୋଲିସ୍ ପକ୍ଷରୁ ସୁ ବନ୍ଦୋବସ୍ତ କରାଯାଇଛି ।
ଏହି ଅବସରରେ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ‘ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା’ ଓ ଆଜି ‘ଭକ୍ତି ଆରାଧନା’ କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭଜନ କାର୍ଯ୍ୟକ୍ରମର ମଜା ନେଇଥିଲେ । ଆଜିର ସାଂସ୍କୃତିକ ମଞ୍ଚରେ ମୂଖ୍ୟ ଅତିଥି ଭାବେ ତରଭା ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ କମ୍ପ ଓ ଏସଡିପିଓ ପୁଷ୍ପାଞ୍ଜଳି ନୀଙ୍ଗି ଯୋଗ ଦେଇଥିଲେ ।
ସେହିପରି ଆସନ୍ତା କାଲି ସୋମବାର ଦିନ ‘ସଙ୍ଗୀତ ସାଧନା’ ମଙ୍ଗଳବାର ଦିନ ‘ସର୍ଗମ୍ ଅର୍କେଷ୍ଟ୍ରା’ କଟକ ଓ ବୁଧବାର ବାହୁଡ଼ା ଯାତ୍ରା ଦିନ ‘ହରିଓଁ ମେଲୋଡି’ ଅର୍ଚ୍ଚନା ପାଢ଼ୀ ଓ ସାଥୀଙ୍କ ଦ୍ବାରା ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିରୀକୃତ ହୋଇଛି । ସେହିପରି ବୃନ୍ଦାବନ ମନ୍ଦିରରେ ପ୍ରଭୁ ଜଗନ୍ନାଥ କାଳୀୟ ଦଳନ ଅବତାର ରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡା ଠାରେ କୃଷ୍ଣ ଓ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ କରୁଛନ୍ତି ।