ରାୟଗଡା ଠାରେ ନିଶା ଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ ପାଳିତ

ସର୍ବନାଶୀ ନିଶା ଠାରୁ ଯୁବ ସମାଜ ଦୁରେଇ ରୁହନ୍ତୁ -ଅତିରିକ୍ତ ଜିଲ୍ଲପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନିଶାଭ୍ୟାସ ଏକ ମାରାତ୍ମକ ରୋଗ | ଦୀର୍ଘ ଦିନ ଧରି ଏହାକୁ ସେବନ କରି ଶାରୀରିକ ଓ ମାନସିକ ସ୍ତରରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ନିଶାଗ୍ରସ୍ତ ରୋଗୀ | ତମାଖୁ, ବିଡ଼ି, ଗୁଟଖା, ସିଗାରେଟ, ଭାଙ୍ଗ, ଗଂଜେଇ, ମଦ, ଅଫିମ, ଚରସ, ବ୍ରାଉନସୁଗାର, ନରଫିନ, ଟିଜିଯେସିକ ଓ ରାସାୟନିକ ଉପାୟରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକାର ନିଶା ବଟିକା ଓ ଇଞ୍ଜେକ୍ସନ ପ୍ରଭୁତି ନିଶା ସେବନ କରି ପରବର୍ତ୍ତୀ ସମୟରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି | ନିଶାଗ୍ରସ୍ତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତିକୁ ବିପନ୍ନ କରିବା ସହ ମାନସିକ ଭାରସାମ୍ୟ ହରାଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ଓ ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରିଥାଏ | ନିଶା ଭଳି ଦ୍ରବ୍ୟକୁ ବ୍ୟବହାର କରି ଆଜିକାର ଯୁବ ସମାଜ ପଥ ଭ୍ରଷ୍ଠ ହେଇଯାଉଛନ୍ତି | ବିଶେଷ କରି କୁସଙ୍ଗରେ ପଡି ପିଲାମାନେ ନିଶା ସେବନର ଅଭ୍ୟାସକୁ ଛାଡି ପାରୁ ନାହାନ୍ତି | ତେଣୁ ନିଜେ ନିଶା ଠାରୁ ଦୁରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଦୁରେଇ ରଖିବା ଓ ସମାଜକୁ ଦିଗଦର୍ଶନ ଦେବା ପାଇଁ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ ହୋଇଛି ପଡିଛି ବୋଲି ରାୟଗଡା ଜିଲ୍ଲା ପ୍ରଶାସନ ସୌଜ୍ୟନତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଅବକାରୀ ପୋଲିସ ବିଭାଗ ତରଫରୁ ଅନୁଷ୍ଠିତ ନିଶା ଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ କାର୍ଯ୍ୟକ୍ରମରେ ନିଜ ବକ୍ତ୍ୟବ ରଖିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା |

ରାୟଗଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଆଲୋଚନା ବୈଠକରେ ମୁଖ୍ୟ ଅତିଥି ଶ୍ରୀ ବେହେରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ରାୟଗଡା ସଦର ଥାନା ଅବକାରୀ ନିରୀକ୍ଷକ ସୀମା କିରଣ ବେକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ବୈଠକରେ ନିଷିଦ୍ଧ ଓ ନିଶ୍ଚେତକ ନିଶା ଦ୍ରବ୍ୟ ସେବନ ପରିତ୍ୟାଗ କରିବା, ନିୟମିତ ନିଶାପନ ଜନିତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର କ୍ଷତି, ନିଶା ସେବନ କରୁଥିବା ବ୍ୟକ୍ତିର ସାମାଜିକ ଓ ପାରିବାରିକ ସ୍ଥିତି, ନିଶା ରୋଗର ଚିକିତ୍ସା ଓ ନିରାକରଣ ଏବଂ ଗଂଜେଇ ଚାଷ ଓ ଚୋରା ଚାଲାଣ ବିରୁଦ୍ଧରେ ଜନ ସଚେତନତା ସହ ଏନ ଡି ପି ଏସ ଆକ୍ଟ ର ଧରା ୪୭ ଓ ୨୦ ସମ୍ବନ୍ଧରେ ବୈଠକରେ ଆଲୋକପାତ କରିଥିଲେ | ସେହିପରି ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମମତା ଚୌଧୁରୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ବବିଲତା ସରାଫ, ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଉଦୟ କୁମାର, ଲେଫ୍ଟନାଣ୍ଟ ଏନସିସି ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ହୋଇ ନିଶା ଠାରୁ ଦୁରେଇ ରହିବା ପାଇଁ ଏବଂ ନିଶା ସ୍ୱାସ୍ଥ୍ୟକୁ ସବୁବେଳେ କ୍ଷତି ହିଁ ପହଞ୍ଚାଇଥାଏ କେବେ ବି ଲାଭ ଦେଇ ନ ଥାଏ ବୋଲି ନିଜ ବକ୍ତ୍ୟବ ମାଧ୍ୟମରେ ବୈଠକରେ ପରାମର୍ଶ ଦେଇଥିଲେ |

ଏହି ଅବସରରେ ନିଶା ଠାରୁ ଦୁରେଇ ରହିବା ଓ ଅନ୍ୟଙ୍କୁ ମଧ୍ୟ ଦୁରେଇ ରଖିବାରେ ସଚେତନ କରିବା ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ଦାୟିତ୍ୱବୋଧତା ନେବା ପାଇଁ ଏକ ଶପଥ ପାଠ କରାଯାଇଥିଲା | ନିଶାମୁକ୍ତି ଚିକିତ୍ସା ଓ ପୁନଃସଂସ୍ଥାନ କେନ୍ଦ୍ର “ସେବା” ଠାରେ ମିଳୁଥିବା ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଗ୍ରହଣ ସମ୍ବନ୍ଧରେ ଅତିଥି ମାନେ ଗୁରୁତ୍ୱଆରୋପ କରିଥିଲେ | ଅବକାରୀ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର କେ. ଭାସ୍କର ଆଜିର ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ | ନିଶା ଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ ପାଳନ ଅବସରରେ ଆଜି ସକାଳେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ସଚେତନତା ରାଲି ବାହାରି ନଗର ପରିକ୍ରମା କରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଂଚି ଥିଲା | ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା ରାଲିକୁ ଶୁଭାରମ୍ଭ କରିଥିଲେ | ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡଟମାନେ ଏହି ରାଲିରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.