ଆଜି ବିଶ୍ୱ ନିଶାମୁକ୍ତି ଦିବସ

ଖଲ୍ଲିକୋଟରେ ବଢୁଛି ବେଆଇନ ନିଶା ବିକ୍ରି, ନିଶାମୁକ୍ତି କେନ୍ଦ୍ରରୁ ୨୫୦୦ ନିଶାଡୀ ଫେରିଛନ୍ତି ସାଧାରଣ ଜୀବନକୁ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଭାରତର ବିଭିନ୍ନ ପ୍ରଦେଶ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ପଦକ୍ଷେପ ନେଇଥିବା ବେଳେ ଓଡିଶାର ବିଭିନ୍ନ ଅଂଚଳରେ ଲଗାମଛଡ଼ା ଭାବେ ନିଶା କାରବାର ବୃଦ୍ଧି ପାଉଥିବା ସାଙ୍ଗକୁ ଦିନକୁ ଦିନ କୋମଳମତି କିଶୋର ଙ୍କ ଠାରୁ ଆରମ୍ଭ କରି ଯୁବକ, ଶ୍ରମିକ, କୃଷକ ସମେତ ମହିଳାମାନେ ନିଶା କବଳରେ ପଡି ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବା ସାଙ୍ଗକୁ ପରିବାର ଭାଙ୍ଗିବା, ଆର୍ଥିକ କ୍ଷେତ୍ରରେ ଅନଗ୍ରସରତା ଓ ଆଇନ ଶୃଙ୍ଖଳା ଭଳି ପରିସ୍ଥିତି ଉପୁଜୁଥିବା ସାଙ୍ଗକୁ ରାସ୍ତା ଦୁର୍ଘଟଣା, ଅସଦାଚରଣ ମାମଲାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ ହେଲାଣି। ଐତିହାସିକ ସହର ଖଲ୍ଲିକୋଟ ତଥା ଆଖପାଖ ଗ୍ରାମାଞ୍ଚଳରେ ବେଆଇନ ନିଶା ବିକ୍ରି ବୃଦ୍ଧି ପାଇବା ସହ କ୍ରମଶଃ ନିଶାଡୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ସଚେତନେତା ଓ ସ୍ୱାସ୍ଥ୍ୟ ଉପରେ ନିଶାର କୁପ୍ରଭାବ ସମ୍ପର୍କରେ ଅଜ୍ଞାତ ଥିବା ଯୋଗୁ ନିଶା ସେବନକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଖଲ୍ଲିକୋଟ ବ୍ଲକର କେତେକ ଆଦିବାସୀ ପଲ୍ଲୀରେ ଅନିୟନ୍ତ୍ରିତ ଭାବେ ଦେଶୀ ମହୁଲି ମଦ ହଜାର ହଜାର ଲିଟର ପ୍ରସ୍ତୁତ ହେଉଥିଲେ ମଧ୍ୟ ପୋଲିସ ଓ ଅବକାରୀ ପ୍ରଶାସନ ସଚେତନ କରି ସେମାନଙ୍କୁ ସଭ୍ୟ ଶିକ୍ଷିତ କରି ଅନ୍ୟ ବିକଳ୍ପ ଧନ୍ଦା ସୃଷ୍ଟି କରି ନପାରିବା ଫଳରେ ଲଗାମଛଡ଼ା ଭାବେ ଉତ୍ପାଦନ ବୃଦ୍ଧି ପାଉଛି। ଏଣେ ଏକପକ୍ଷରେ ନିଶା ଓ ନିଶା ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନିଶାଖୋରମାନଙ୍କୁ ନିଶାମୁକ୍ତ ଜୀବନଯାପନ ପାଇଁ ଗତ ୧୯୯୮ ମସିହାରୁ ଖଲ୍ଲିକୋଟ ନିର୍ମଳଝରଠାରେ ଜୀବନ ଜ୍ୟୋତି ନାମକ ଏକ ସଂସ୍ଥା ପ୍ରତିଦିନ ପ୍ରାୟ ୧୫ ଜଣ ନିଶା ସେବନକାରୀଙ୍କୁ ଓପିଡିରେ କାଉନ୍ସେଲିଂ କରି ନିଶାମୁକ୍ତ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଚଳାଇଥିବା ଜଣାପଡିଛି। ଏ ସମ୍ପର୍କରେ ଜୀବନ ଜ୍ୟୋତି ନିଶା ନିବାରଣ କେନ୍ଦ୍ରର ନିର୍ଦେଶକ ପ୍ରିୟବ୍ରତ ରାଉତରାୟଙ୍କ ସହ ଯୋଗାଯୋଗ କରିବାରୁ ଗତ ୧୯୯୮ ମସିହା ଠାରୁ କେନ୍ଦ୍ର ସରକାରଙ୍କ ସହାୟତାରେ ଖଲ୍ଲିକୋଟ ଠାରେ ନିଶା ମୁକ୍ତି ଅଭିଯାନ ଆରମ୍ଭ ହୋଇଛି। ଅନୁଷ୍ଠାନର ଓପିଡ଼ିରେ ୧୦,୫୦୦ ନିଶାଡୀ ଙ୍କୁ କାଉନସିଲିଂ କରାଯାଇଥିବା ବେଳ ସେମାନଙ୍କ ମଧ୍ୟରୁ ୨୫୦୦ ନିଶାଖୋର ବ୍ୟକ୍ତିଙ୍କୁ ଅନ୍ତଃ ଚିକିତ୍ସା ସେବା ସମେତ ମାଗଣା ଖାଇବା ସାଙ୍ଗକୁ ରହଣି ସୁବିଧା ପ୍ରଦାନ କରି ନିଶାମୁକ୍ତ କରାଯାଇଥିବା ପ୍ରକାଶ କରିଛନ୍ତି। ଏତଦ ବ୍ୟତୀତ ନିଶା ମୁକ୍ତି ହେବାପରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଆତ୍ମନିଯୁକ୍ତି ସୁବିଧା କରିବା ଓ ସାଧାରଣ ଭାବେ ବଂଚିବା ପାଇଁ ସୁଯୋଗ ସୃଷ୍ଟି କରାଯାଏ। ତେବେ ବିଦେଶୀ ମଦ ଅପେକ୍ଷା ଦେଶୀ ମହୁଲି ମଦ ସେବନ କରି ବହୁ ଲୋକ ଛାତି ରୋଗ ଓ ବୃକକ ଜନିତ ସମସ୍ୟାରେ ପଡୁଥିବା ଦେଖିବାକୁ ମିଳିଛି। ବେଶୀ ଶ୍ରମଜୀବୀ କ୍ଷେତ୍ରରେ ଉପୁଜିଥିବା ବେଳେ ଖଲ୍ଲିକୋଟ ଓ ଆଖପାଖ ଅଂଚଳର ପ୍ରାୟ ୫୦ ଜଣ ମଦ୍ୟପ ମଦ, ଗଞ୍ଜାଇ ଓ ଅନ୍ୟାନ୍ୟ ନିଶା ସେବନ କରି ମୃତ୍ୟୁବରଣ କରିଥିବା ଏକ ବେସରକାରୀ ତଥ୍ୟରୁ ଜଣାପଡିଛି। ତେଣୁ ସରକାର ଏକ ମାଇକ୍ରୋ ସ୍ତରୀୟ ସର୍ଭେ କରି ମଦଜନିତ କ୍ଷତିର ଆକଳନ କରି ଆବଶ୍ୟକ ଥଇଥାନ ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.