ଟିଏସ୍ ସିଂହଦେଓ ଛତିଶଗଡ଼ର ନୂତନ ଉପମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ଛତିଶଗଡ କଂଗ୍ରେସକୁ ଆହୁରି ମଜବୁତ କରିବାକୁ ଯାଇ ଦଳରେ ଅସନ୍ତୁଷ୍ଚ ଥିବା ବା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଆଶାୟୀ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଟି. ଏସ୍. ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପ୍ରସ୍ତାବକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଅନୁମୋଦନ ଦେଇଛନ୍ତି। ଏପରି କରି ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ସହ ସିଂହଦେଓ ଓ ତାଙ୍କ ଅନୁଗାମୀଙ୍କୁ ସନ୍ତୁଷ୍ଟ କରିବାକୁ କଂଗ୍ରେସ ଗୋଟି ଚଳାଇଛି। ୨୦୧୮ ରେ କଂଗ୍ରେସ ଛତିଶଗଡରେ ନିର୍ବାଚନ ଜିତିବା ପରେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ସର୍ତ୍ତ ରହିଥିଲା । ଯେଉଁଥିରେ ବାଘେଲ ପ୍ରଥମ ଅଢେଇ ବର୍ଷ ପରେ ଶେଷ ଅଢେଇ ବର୍ଷ ସିଂହଦେଓ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ସର୍ତ୍ତ ରହିଥିଲା। ଏବେ କିନ୍ତୁ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇ ଭୋଟ ବିଭାଜନ ଆଶକୁ ପ୍ରଶମିତ କରିବାକୁ କଂଗ୍ରେସ ନିର୍ବାଚନର ବହୁ ପୂର୍ବରୁ ଗୋଟି ଚଳାଇଛି। ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ମତଭେଦର ସମାଧାନ ପାଇଁ କଂଗ୍ରେସ ସମାନ ଧରଣର ଏକ ନିଷ୍ପତ୍ତି ନେଇପାରେ ବୋଲି ଜଣାପଡ଼ିଛି। ଯାହା ଆଗାମୀ ଦିନରେ ଦୁଇ ରାଜ୍ୟ ସମେତ ମଧ୍ୟପ୍ରଦେଶରେ କଂଗ୍ରେସକୁ ନିର୍ବାଚନ ଜିତାଇବାରେ ସହଯୋଗ କରିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଛତିଶଗଡ଼ରେ ଉପମୁଖ୍ୟମନ୍ତ୍ରୀ ଭାବେ ସିଂହଦେଓଙ୍କୁ ନିଯୁକ୍ତି ଦେବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ୨୦୧୮ରେ ରାଜ୍ୟରେ ଦଳ କ୍ଷମତାକୁ ଆସିବା ପରଠାରୁ ସିଂହଦେଓ ଓ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ବୁଧବାର ବାଘେଲ ଓ ସିଂହଦେଓ ନୂଆଦିଲ୍ଲୀ ଯାଇ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟି ରଣନୀତି ଓ ନିର୍ବାଚନ ପାଇଁ ଦଳ କେତେ ପ୍ରସ୍ତୁତ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ, କୁମାରୀ ଶୈଲଜା ପ୍ରମୁଖ ଉପସ୍ଥିତ ଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.