ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାହାଡର ପାଦ ଦେଶର ଥିବା ତ୍ରିଲୋଚନପୁର ପଞ୍ଚାୟତର ବେରେନପିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାଇସିଙ୍ଗ ମାଝୀ(୫୫)।ସ୍ବର୍ଗତ ରାଇସିଙ୍ଗ ମାଝୀ ରବିବାର ସନ୍ଧ୍ୟା ସାଢ଼େ ୫ ଘଣ୍ଟା ସମୟରେ କାଶୀବଣ୍ଡେଲରୁ ନିଜ ଗାଁ ବେରେନପିଣ୍ଡା ଫେରୁଥିବା ସମୟରେ ବେରେନପିଣ୍ଡା ଓ ମଇନଗୁଡା ଜଙ୍ଗଲରେ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ରାଇସିଂ ନିଜ ଘର ବେରେନପିଣ୍ଡା ପାହାଡିଆ ଚଲାପଥ ଗାଁ ଠାରୁ ଦୁଇଶହ ମିଟର ଦୂରରେ ଥିବା ମଇନଗୁଡା ଜଙ୍ଗଲ ଦେଇ ନିଜ ଗାଁ ବେରେନପିଣ୍ଡାକୁ ଫେରୁଥିଲେ। ହେଲେ ସେ ରାତିରେ ଘରକୁ ନ ଫେରିବାରୁ ରାଇ ମାଝୀଙ୍କ ସ୍ତ୍ରୀ ଓ ବନ୍ଧୁବାନ୍ଧବ ଲୋକେ ମିଶି ପ୍ରଥମେ ଆଖ ପାଖ ଗାଁକୁ ଯାଇ ପଚାରି ବୁଝିଥିଲେ। ଖୋଜାଖୋଜି କରିବା ପରେ ସୋମବାର ସକାଳୁ ୬ ଘଣ୍ଟା ସମୟରେ ଗାଁ ଠାରୁ ପ୍ରାୟ ଦୁଇଶହ ମିଟର ବରେନପିଣ୍ଡା ଓ ମାଇନଗୁଡା ଜଙ୍ଗଲ ମଧ୍ୟରେ ରାଇ ମାଝୀଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ରାଇକୁ ହାତୀ ଘୋଷାରି ଘୋଷାରି ପେଟ ଓ ଜଙ୍ଘରେ ମାଡ଼ି କ୍ଷତବିକ୍ଷତ କରିଥିବା ଅନୁମାନ କରାଯାଉଛି। ତେବେ ପରିବାର ଲୋକେ ଲାଞ୍ଜିଗଡ଼ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।