ଓଡ଼ିଆ ବାର୍ତ୍ତା/ ୱାଶିଂଟନ: ମୁହାଁମୁହିଁ ହୋଇଛନ୍ତି ଚୀନ-ଆମେରିକା ରାଷ୍ଟ୍ରପତି । ଚୀନ ରାଷ୍ଟ୍ରପତିଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସିଧାସଳଖ ଧମକ ଦେଇ ବାଇଡେନ କହିଛନ୍ତି, ଚୀନ ଭଲଭାବେ ବୁଝିବା ଉଚିତ୍ ଯେ, ତାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପଶ୍ଚିମ ରାଷ୍ଟ୍ର ଉପରେ ନିର୍ଭର କରୁଛି । ବାଇଡେନ କହିଛନ୍ତି, ମୁଁ ଏମିତି କହି ଚୀନକୁ ଧମକ ଦେଉନି, ଏହା ବାସ୍ତବତା ଯାହା ମୁଁ ଅନୁଧ୍ୟାନ କରି କହୁଛି ।’ ବାଇଡେନ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଅତୀତର କଥା ମନେପକାଇ ଆହୁରି କହିଛନ୍ତି, ‘ଯେବେଠାରୁ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଛି, ୬୦୦ ଆମେରିକୀ ନାଗରିକ ରୁଷରୁ ବାହାରି ଆସିଛନ୍ତି । ସେତେବେଳେ ଆପଣ ମୋତେ କହିଥିଲେ ଆପଣଙ୍କର ଅର୍ଥ ବ୍ୟବସ୍ଥା ୟୁରୋପ ଏବଂ ଆମେରିକାର ନିବେଶ ଉପରେ ନିର୍ଭର କରେ । ସେଥିପାଇଁ ସାବଧାନ ରୁହନ୍ତୁ ।’
ଚୀନ ଏବେ ବିଶ୍ୱର ସୁରପପାୱାର ହେବା ପାଇଁ ଚେଷ୍ଟା କରୁଛି । ଆମେରିକାକୁ ପଛରେ ପକାଇ ନିଜର ଦବଦବା ଦେଖାଇବା ପାଇଁ ଅଣ୍ଟା ଭିଡିଛି । ତାଇବାନ ଏବଂ ଟ୍ରେଡ ୱାର ଭିତରେ ବି ଚୀନ ପ୍ରତିବର୍ଷ କୋଟି କୋଟି ଡଲାରର ବ୍ୟବସାୟ କରୁଛି । ଏପରି ସ୍ଥିତିରେ ପଶ୍ଚିମ ଦେଶ ତଥା ୟୁରୋପରେ ଚୀନର ନିବେଶ ଏବଂ ଆମଦାନୀ-ରପ୍ତାନୀକୁ ନେଇ ବାଇଡେନଙ୍କ ଏପରି ଚେତବାନୀ ଅନେକ ଦିଗକୁ ସଙ୍କେତ ଦିଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସାକ୍ଷାତ ପରେ ବାଇଡେନ ଏପରି ଚେତାବନୀ ଦେଇଛନ୍ତି ଯାହାକୁ ନେଇ ସାରା ବିଶ୍ୱ ଅନେକ ପ୍ରକାର ଆଶାଆଶଙ୍କା କରୁଛି । ରଏଟର୍ସ ରିପାର୍ଟ ଅନୁଯାୟୀ, ପୁଟିନ ଏବଂ ସି ଜିନପିଙ୍ଗ ଚଳିତବର୍ଷ ମାର୍ଚ୍ଚରେ ସାକ୍ଷାତବେଳେ ପଶ୍ଚିମ ଦେଶ ଏବଂ ଆମେରିକା ଉପରେ ବର୍ଷିଥିଲେ । ଏକ ମାରାଥନ ବୈଠକ କରିଥିଲେ । ଆମେରିକା ଏହାର କଡା ବିରୋଧ କରିଥିଲା । ଏବେ ଏମିତି ଧମକ ଦେଇ ଆମେରିକା ପରୋକ୍ଷରେ ଚୀନକୁ ରୁଷଠାରୁ ଦୂରରେ ରହିବା ପାଇଁ ଚେତାବନୀ ଦେଇଛନ୍ତି । ଇସାରାରେ ଇସାରାରେ କହିଛନ୍ତି, ରୁଷଠାରୁ ଯେତେ ଦୂରେଇ ରହିବ ସେତ ଫାଇଦା । ସୂଚନାଥାଉ କି, ଆମେରିକା ଟ୍ରେଜରୀ ସଚିବ ଜେନେଟ ୟେଲେନ ଏବେ ବେଜିଂ ଗସ୍ତରେ ଅଛନ୍ତି । ଏପରି ସ୍ଥିତିରେ ଆମେରିକା-ଚୀନ ସମ୍ପର୍କରେ ସୁଧାର ଆଣିବା ତାଙ୍କ ପାଇଁ ଏକ ବଡ ଚାଲେଞ୍ଜ ।