ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଗାମୀ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଘନ ଘନ ବୈଠକ କରୁଛନ୍ତି। ଜାତୀୟ ଦଳ ବିଜେପି ଓ କଂଗ୍ରେସ ଅଧିକ ତତ୍ପର ହେଉଥିବା ଦେଖିବାକୁ ମିଳିଛି। ବିଜେପି ଏଥିପାଇଁ ଏକ ଷ୍ଟ୍ରାଟେଜି ବୈଠକ କରିଛି। ଦଳର ଜାତୀୟ ସଭାପତି ଜେ ପି ନଡ୍ଡା ଏହି ବୈଠକରେ ଯୋଗ ଦେବା ସହ ଆଗାମୀ ନିର୍ବାଚନ ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷ କରି ହାରିଥିବା ଲୋକସଭା ସିଟ ଉପରେ ଦଳ ଫୋକସ କରିଛି। ଦେଶର ୧୬୦ ଟି ଲୋକସଭା ସିଟ ଯେଉଁଠି ଦଳ ହାରିଥିଲା କିମ୍ବା ଦୁର୍ବଳ ପ୍ରଦର୍ଶନ କରିଥିଲା ସେସବୁ ସିଟକୁ ନେଇ ଆଲୋଚନା ହୋଇଛି। ଏପରିକି ପୂର୍ବ ନିର୍ବାଚନରେ ଯେଉଁଠି ଦଳ ସହଯୋଗୀଙ୍କୁ ସିଟ ଛାଡି ଲଢ଼ି ନ ଥିଲା ସେସବୁ ସିଟ ଉପରେ ନଜର ପକାଇଛି। ଏଥିସହିତ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି। କର୍ଣ୍ଣାଟକରେ ସବୁ ପ୍ରସ୍ତୁତି ସତ୍ତ୍ୱେ ହାରିବା ଯୋଗୁ ଦଳ ଉଦ୍ୟମକୁ ଜୋରଦାର କରିଛି। ତେଣୁ ଏହାକୁ ଆଖି ଆଗରେ ରଖି ତୃଣମୂଳ ସ୍ତରର ନେତାଙ୍କୁ ଗୁରୁତ୍ୱ ଦେବାକୁ ଦଳ ଯୋଜନା କରିଛି। ସେଥିପାଇଁ ଦେଶର ପଞ୍ଚାୟତସ୍ତରର ସମସ୍ତ ନିର୍ବାଚିତ ଦଳୀୟ ପ୍ରତିନିଧିଙ୍କ ସହ ବୈଠକ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଲୋକସଭା ପ୍ରଭାସ କାର୍ଯ୍ୟକ୍ରମ ସମ୍ପର୍କିତ ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପଂଚାୟତସ୍ତରୀୟ ନେତାଙ୍କ ସହ ବିଭିନ୍ନ ଜୋନରେ ଅନୁଷ୍ଠିତ ହେବ। ବିଜେପି ସେଥିପାଇଁ ଚାରୋଟି ଜୋନ ପ୍ରସ୍ତୁତ କରିବାକୁ ଥିବାବେଳେ ପ୍ରତି ଯୋନରେ ୧୦ ରୁ ୧୨ ଟି ରାଜ୍ୟ ରହିବେ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଟାର୍ଗେଟ ଦିଆଯାଇଛି। ସେଥିପାଇଁ ଦଳ ପକ୍ଷରୁ ଆଗୁଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଆଞ୍ଚଳିକ ସ୍ତରରେ ମୋଦୀଙ୍କ ସରକାର ବିଭିନ୍ନ କାର୍ଯ୍ୟ କିଭଳି ଲୋକଙ୍କୁ ଲାଭ ଦେଇଛି ସେ ସମ୍ପର୍କରେ ପଂଚାୟତ ନେତାମାନେ ଜାଣିବା ସହ ଲୋକଙ୍କ ପାଖରେ ବ୍ୟାପକ ଭାବେ ପହଞ୍ଚାଇ ବାକୁ ଯୋଜନା ହୋଇଛି।ଏସବୁ କାର୍ଯ୍ୟକୁ ସଫଳ କରିବାକୁ ଦଳର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଟାର୍ଗେଟ ଦିଆଯାଇଛି। ଯେଉଁଠି ଦଳ ପୂର୍ବ ନିର୍ବାଚନରେ ହାରିଛି ସେଠାକୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନେ ବାରମ୍ବାର ଗସ୍ତ କରିବା ସହ ରାତିରେ ରହିବାକୁ ମଧ୍ୟ କୁହାଯାଇଛି।
ତେଣୁ ତୃତୀୟ ଥର ପାଇଁ ଦେଶରେ ଶାସନକୁ ଆସିବାକୁ ବିଜେପି ବଡ଼ ପ୍ରସ୍ତୁତି କରିଥିବା ବେଳେ କଂଗ୍ରେସ ମଧ୍ୟ ଅତ୍ୟନ୍ତ ଯୋଜନବଦ୍ଧ ଭାବେ କାର୍ଯ୍ୟ କରୁଛି। ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛି। ପ୍ରଥମେ ବିଧାନସଭା ନିର୍ବାଚନ ଥିବା ରାଜ୍ୟଗୁଡିକ ଉପରେ ଦଳ ଫୋକସ କରିବା ସହ ତା ପରେ ଅନ୍ୟ ରାଜ୍ୟ ଉପରେ ଫୋକସ କରିବା ଆରମ୍ଭ କରିଛି। ଏହି କ୍ରମରେ ଉତ୍ତରାଖଣ୍ଡ ଉପରେ ନଜର ପକାଇଛି କଂଗ୍ରେସ। ଉତ୍ତରାଖଣ୍ଡର ଦଳୀୟ ନେତାଙ୍କ ସହ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ବୈଠକ କରିଛନ୍ତି। ବୈଠକରେ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ସେପଟେ ବିରୋଧୀ ଦଲଗୁଡିକୁ ମଧ୍ୟ ଏକାଠି କରିବାକୁ କଂଗ୍ରେସ ସବୁ ଉଦ୍ୟମ କରୁଛି। ଏପରିକି ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଆଭିମୁଖ୍ୟକୁ ନେଇ ଆପ ଅସନ୍ତୁଷ୍ଟ ଥିବାବେଳେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ବିରୋଧୀ ଏକତା ବୈଠକ ପୂର୍ବରୁ ଅର୍ଥାତ ୧୬ ତାରିଖରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଆପକୁ ସମର୍ଥନ ଦେଇପାରେ ବୋଲି କୁହାଯାଉଛି। ତେଣୁ ଆଗାମୀ ନିର୍ବାଚନରେ ବିଜେପି ପୁଣିଥରେ ଶାସନକୁ ଫେରିବାକୁ ଉଦ୍ୟମ ଜୋରଦାର କରିଥିବା ବେଳେ ବିଜେପିକୁ ଚେକ ଦେବାକୁ ବିରୋଧୀ ମଧ୍ୟ ସବୁ ଶକ୍ତି ଲଗାଇ ଦେଇଛନ୍ତି।