ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ‘ସମ୍ବିଧାନ ସମ୍ମତ’ ବୋଲି ଘୋଷଣା କରିବାକୁ ଆବେଦନ ଖାରଜ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ସମ୍ବିଧାନ ସମ୍ମତ ବୋଲି ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ‘ବିଭ୍ରାନ୍ତିକର’ ବୋଲି ଦର୍ଶାଇ କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦର ସାମ୍ବିଧାନିକ ବୈଧତା ନେଇ ମାମଲା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ଖଣ୍ଡପୀଠରେ ବିଚାରାଧୀନ ରହିଛି। ଏହା କି ପ୍ରକାର ଆବେଦନ? ଆପଣ ଏବେ ଏହି କୋର୍ଟଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦ ବୈଧ ବୋଲି ଘୋଷଣା ମାଗୁଛନ୍ତି। ଆପଣଙ୍କ ଆବେଦନ ଉପରେ ଆମେ କାହିଁକି ସେହି ଘୋଷଣାନାମା ଜାରି କରିବୁ? କିଏ ଆପଣଙ୍କ କ୍ଲାଏଣ୍ଟଙ୍କୁ ସେଟ୍ କରିଛି ଜଷ୍ଟିସ ଜେ. ବି. ପରଦିଓ୍ୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ।

ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ଆବେଦନକାରୀ ଏକ ଜନସ୍ୱାର୍ଥ ମାମଲା ଦାୟର କରି ସମ୍ବିଧାନର ଧାରା ୩୭୦ (୧) ଉଚ୍ଛେଦ ଓ ଧାରା ୩୫-ଏ ହଟାଇବା ସାମ୍ବିଧାନିକ ଦୃଷ୍ଟିରୁ ବୈଧ ବୋଲି ଘୋଷଣା କରିବା ପାଇଁ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧତା ସମ୍ପର୍କରେ ଏହି ଅଦାଲତ ଘୋଷଣାନାମା ଜାରି କରିପାରିବେ ନାହିଁ। ସାମ୍ବିଧାନିକ ବୈଧତା ପ୍ରସଙ୍ଗ ସାମ୍ବିଧାନିକ ଖଣ୍ଡପୀଠରେ ବିଚାରାଧୀନ ରହିଛି ବୋଲି ଏଥିରେ କୁହାଯାଇଛି।ତେଣୁ ବର୍ତ୍ତମାନର ଆବେଦନକୁ ଭୁଲ ଭାବେ ବିଚାର କରାଯାଉଛି ଏବଂ ସେହି ଅନୁସାରେ ଏହାକୁ ଖାରଜ କରିଦିଆଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

୧୯୫୪ ଧାରାରେ ରାଷ୍ଟ୍ରପତିଙ୍କ ଆଦେଶ ବଳରେ ସମ୍ବିଧାନରେ ସାମିଲ ହୋଇଥିବା ଧାରା ୩୫-ଏ ଜମ୍ମୁ-କଶ୍ମୀରର ନାଗରିକଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିବା ସହ ରାଜ୍ୟ ବାହାରର ଲୋକଙ୍କୁ ରାଜ୍ୟରେ କୌଣସି ସ୍ଥାବର ସମ୍ପତ୍ତି କିଣିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେହିପରି ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ବିବାହ କରିଥିବା ମହିଳାଙ୍କୁ ସମ୍ପତ୍ତି ଅଧିକାରରୁ ବଞ୍ଚିତ କରାଯାଇଛି। ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରିନେବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଛନ୍ତି। ଧାରା ୩୭୦ ଉଚ୍ଛେଦ କରି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତାକୁ ପ୍ରତ୍ୟାହାର କରିନେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.