ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ। ଶରୀରକୁ ସୁସ୍ଥ, ମନକୁ ଶାନ୍ତ ଓ ଶ୍ୱାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ୱରେ ଏହି ଯୋଗ ଦିବସ ପାଳନ କରାଯାଉଛି। ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ଯେ ସମ୍ଭବ,ସେଥିଲାଗି ବିଶ୍ୱବ୍ୟାପି ଲୋକ ଏବେ ସୁସ୍ଥ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି। ଏହା ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ କରିଥାଏ। ଯୋଗ କରିବା ଦ୍ୱାରା ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ସିଦ୍ଧ ଉପଚାର।
୨୦୧୪ ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେସନକୁ ପ୍ରଥମ କରି ସମ୍ବୋଧିତ କରି ଅଭିଭାଷଣରେ କହିଥିଲେ ଯେ, “ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ। ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ। ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ।” ଏହାପରେ ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ନିଆଯାଇଥିଲା।
“ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ; ଚିନ୍ତା ଏବଂ କ୍ରିୟା; ସଂଯମ ଏବଂ ପୂର୍ଣ୍ଣତା; ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି; ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ। ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ, ଚେତନା ଉଦ୍ରେକକରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ।ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି, ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇ ଉପସ୍ଥାପନ କରିଥିଲେ ଯେ ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହିଦିନର ମହତ୍ୱ ଅଛି।
ଆନ୍ତର୍ଜାତିକ ଯୋଗ ଦିବସ ପାଳନର ପ୍ରଥମ ବର୍ଷ ୨୦୧୫ ମସିହା ଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଦ୍ୱାରା ଅୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀ ନୂଆଦିଲ୍ଲୀର ରାଜପଥଠାରେ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦିଲ୍ଲୀ ମୁଖ୍ୟମତ୍ନୀ ଅରବିନ୍ଦ କେଜରିଓ୍ବାଲ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ସେନା ଓ ପୋଲିସର ଯବାନ, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ଅଧାଘଣ୍ଟା ଧରି ଯୋଗ କରିଥିଲେ। ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରମନ୍ତ୍ରୀ, ବ୍ୟୁରୋକ୍ରାଟ, କୂଟନୈତିଜ୍ଞ ତଥା କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ୨ ହଜାର ଡିଜିଟାଲ ସିନେମା ସ୍କ୍ରିନ ବ୍ୟବସ୍ଥା କରାଯାଇଥିଲା। ଏହି ଆୟୋଜନ ୧୦ ବର୍ଷର ଏକ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଥିଲା। ୧୦ ବର୍ଷ ତଳେ ୨୦୦୫ ନଭେମ୍ବର ୧୯ ତାରିଖରେ ଗ୍ୱାଲିଅରରେ ୧୯,୯୭୩ ଜଣ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଯୋଗାଭ୍ୟାସ କରିଥିଲେ । ଆଉ ଏହା ବିଶ୍ୱ ରେକର୍ଡ ହେବା ସହିତ ‘ଗିନିଜ ବୁକ ଅଫ ବର୍ଲ୍ଡ ରେକର୍ଡ’ରେ ସ୍ଥାନିତ ହୋଇଥିଲା। ଏହା ସହିତ ଦେଶର ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଘରୋଇ ଓ ସରାକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଯୋଗ ଦିବସ ପାଳନ କରିଥିଲେ। ସେହିପରି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା।
ପ୍ରାୟ ୧୯୧ଟି ଦେଶର ୨୫୧ଟି ସହରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା। ନିୟୁର୍କ ସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅତିଥି ଭାବେ ଯୋଗ ଦେଇଥିଲେ। ସେହି ଦିନ ଠାରୁ ପ୍ରତ୍ୟେକ ବର୍ଷ ଜୁନ୍ ୨୧ ତାରିଖ ରେ ଆନ୍ତର୍ଜାତୀୟ, ରାଜ୍ୟ ସ୍ତରୀୟ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଯୋଗ ଦିବସ ପାଳନ କରାଯାଇଥାଏ।
ଯୋଗ କରିବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ନିତିଦିନଆ ଜୀବନରେ ଖାଦ୍ୟ ପାନୀୟ ପରି ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଯୋଗ ପ୍ରତି ସମସ୍ତଙ୍କର ଭଲ ଧାରଣା ଥିବାବେଳେ ଏହା ଉପରେ ବେଶ ବିଶ୍ୱାସ ରହିଛି। ଡ଼ାକ୍ତରମାନେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ପାଇଁ ପ୍ରତିଦିନ ଯୋଗ କରିବାକୁ ପରାମର୍ଶ ଦେଇଥାଆନ୍ତି। ଡ଼ାକ୍ତରଙ୍କ ମତାନୁଯାୟୀ ଔଷଧ ସହ ଶରୀର ପାଇଁ ଯୋଗ ମଧ୍ୟ ଆବଶ୍ୟକ। ବଡରୁ ବଡ ରୋଗକୁ ମାତ୍ ଦେଉଛି ଏହି ଯୋଗ। ଯେଉଁ ପ୍ରକାରେ ମନୁଷ୍ୟ ଜୀବିତ ରହିବା ପାଇଁ ଭୋଜନ, ନିଦ୍ରା, ନିତ୍ୟକର୍ମ ଓ ଉପାସନା ଆବଶ୍ୟକ ସେହିପରି ସକ୍ରିୟ, ପ୍ରସନ୍ନତା ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଯୋଗ କରିବା ଉଚିତ। ମୁନି ଋଷିମାନେ ଗଭୀର ସାଧନା ତଥା ଚିନ୍ତନ ଦ୍ୱାରା ଯୋଗ ସାଧନାର ପଥ ପ୍ରଶସ୍ତ କରିଥିଲେ। ଯୋଗର ବିଭିନ୍ନ ପ୍ରକାର ଆସନ ରହିଛି। ବିଭିନ୍ନ ପ୍ରକାରର ଯୋଗାସନ ଅଭ୍ୟାସ କରିବା ଦ୍ୱାରା ଜୀବନରେ ନୂତନତା ଭରିଯାଏ ଓ ପ୍ରଫୁଲ୍ଲିତ ଅନୁଭବ ହୋଇଥାଏ। ଶାରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଶରୀରିକ, ମାନସିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱର ବିକାଶ ପାଇଁ ମଧ୍ୟ ଯୋଗାସନର ବିଶେଷ ମହତ୍ତ୍ୱ ରହିଛି। ଏହା ଏକ ଦୃଢ ମନ ତଥା ସୁସ୍ଥ ଶରୀର ଗଠନରେ ମଧ୍ୟ ସହାୟକ ହୋଇଥାଏ। ମାନସିକ, ଶାରିରୀକ ଓ ମନସ୍ତାତ୍ତ୍ବିକ ଆହ୍ବାନଗୁଡିକର ସମ୍ମୁଖୀନ ହେବା ପାଇଁ ଯୋଗ ସାହାଯ୍ୟ କରିଥାଏ।