🖋ସୁଶୀଲ କୁମାର ବାଗ
ଶବାଗାରରେ ଧଳା ଚାଦର, ଦୁଇଟି ଧୋତି ଘୋଡ଼ିଆହେଇ ଶୋଇଛି ମୁଁ । ଗୋଟେ ଦଦରା ତ ନୁହେଁ ତିନିଗୋଡ଼ିଆ ଷ୍ଟ୍ରେଚର ଏବେ ମୋର ଭରସା । ମୋର ସଦ୍ୟ ମୃତଦେହର ଆଶରା । ଗତକାଲି ମୋର ଚିକିତ୍ସା ଚାଲିଥିଲା ସହରର ଏଇ ନାମଜାଦା ହସ୍ପିଟାଲରେ । ଗଣ୍ଡାଗଣ୍ଡା ଡାକ୍ତର ଆଉ ନର୍ସଙ୍କ ଭିଡ଼ ହାଉଯାଉ ଭିତରେ ମୋ ଭଳି ରୋଗୀମାନେ ଏକଦମ୍ ସଙ୍କୁଡ଼ି ଯାଉଥିଲୁ ।
ନାମଜାଦା ଡାକ୍ତରଖାନାରେ କଣ ଭର୍ତ୍ତି ହେବା ସହଜ କଥା ପଡ଼ିଛି ! ଏଇ ହସ୍ପିଟାଲରେ ପରା ଟଙ୍କା ବଦଳରେ ଜୀବନ କିଣିହୁଏ । ଯମ ମୁହଁରୁ କୁଆଡ଼େ ଜୀବନ ଫେରାଇ ଆଣିବାର ଦକ୍ଷତା ଏଇମାନଙ୍କ ପାଖରେ ଅଛି । ସେଇଥିପାଇଁ ତ ମୋ ବାପା ମୋତେ ଭର୍ତ୍ତି କଲାବେଳେ ଆଗତୁରା ଟଙ୍କା ଦେବାକୁ କୁହାଗଲା । ଧାରକରଜ କରି ଆଣିଥିବା ସବୁତକ ଟଙ୍କା କାଉଣ୍ଟରରେ ଜମା କରିବା ପରେ ମୋର ଚିକିତ୍ସା ଆରମ୍ଭ ହେଲା । ଦାମିକା ହସ୍ପିଟାଲରେ ପା ଦାମିକା ଚିକିତ୍ସା, ଦାମିକା ଇଞ୍ଜେକସନ୍, ଦାମିକା ଓଷୋ ଆଦି ଡାକ୍ତର ଲେଖନ୍ତି । ସେଇଥିପାଇଁ ବି ତ ପଇସା ଲୋଡ଼ା ନା!
ବୁଢାବାପ ଆଣିଥିବା ସବୁତକ ପଇସା ମୋତେ ଭର୍ତ୍ତି କରିବାର ଦୁଇ ଦିନରେ ସରିଗଲା । ମୋର କିନ୍ତୁ ଚିକିତ୍ସା ଚାଲିଥାଏ । ହସ୍ପିଟାଲ ଭିତରେ ନିରୁପାୟ ଭାବେ ପଡ଼ିଥାଏ ମୁଁ । ହଜାର ହଜାର ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଥାଏ, କିନ୍ତୁ ସ୍ୱାସ୍ଥ୍ୟରେ ଟିକେ ବି ସୁଧାର ଆସୁନଥାଏ । ଭାବୁଥାଏ ମୁଁ ମରିଯିବି । ସିଆଡ଼େ ବାପର ମୁହଁ ଝାଉଁଳି ପଡୁଥାଏ, ମାଆର ଆଖିରୁ ଲୁହ ଶୁଖୁନଥାଏ । ଡାକ୍ତର କିନ୍ତୁ ସବୁ ଠିକ୍ ଅଛି, ସବୁ ଅଛି କହୁଥାନ୍ତି । ଡାକ୍ତର ଭଗବାନଙ୍କ କଥାରେ ସେମାନେ ସାମାନ୍ୟ ଆଶ୍ୱସ୍ତ ହେଉଥାନ୍ତି । ପ୍ରତି ଘଣ୍ଟାରେ ଇଞ୍ଜେକସନ ଫୋଡୁଥାନ୍ତି ସିଷ୍ଟରମାନେ । କିନ୍ତୁ ମୋର ପରିସ୍ଥିତି ସୁଧୁରିଲା ନାହିଁ । ଶେଷରେ ଡାକ୍ତରମାନଙ୍କ ଭାଷାରେ ସବୁ ଉଦ୍ୟମ ସତ୍ତ୍ୱେ ମୁଁ ମରିଗଲି ।
ମୁଁ ଜାଣି ପାରୁଥାଏ । ମୋର ଶ୍ୱାସ-ପ୍ରଶ୍ୱାସ ବନ୍ଦ ହେଇଆସୁଛି, ମୋର ଛାତି ରୁନ୍ଧିରୁନ୍ଧି ହେଇଯାଉଛି । ଅନ୍ତଃନଳୀ ଫୁଲିଫୁଲି ଯାଉଛି । ହାତଗୋଡ଼ ଝିମଝିମେଇ ଗଲାଣି । ମୁଁ ଭାବିଲି ନାମଜାଦା ହସ୍ପିଟାଲର ନାମଜାଦା ଡାକ୍ତର ଆଉ ଦାମିକା ଦାମିକା ସୁଜା, ଓଷୋ ମୋର ଜୀବନ ରକ୍ଷା କରି ପାରିବେନି।
ସେତେବେଳକୁ ମୋର କିନ୍ତୁ ବାପାଙ୍କ କାନ୍ଦୁରା ମୁହଁ ଦିଶୁଥାଏ, ମାଆ ଆଖିର ଶୁଖିଲା ଲୁହଧାର ଜଳଜଳ ହେଇ ଦିଶିଯାଉଥାଏ । ଭାବୁଥାଏ, ଶଳା କେତେ କଥା ଭାବିଥିଲି । ଭଲ ହେଲେ ବୁଢା ବାପ-ମାଆଙ୍କୁ ସାହାରା ହେବି । କୁଲିଭୁତି କରି ଦେବି ଦାନା ଗଣ୍ଡିଏ । ବାହାସାହା ହେବା କଥା ଅଲଗା, ଶଃ ବେମ୍ରିଆକୁ କୋଉ ଟୋକୀ ବା ବାହା ହେବ ଯେ, ଧେତ୍ ତେରିକି । ୟା ଭିତରେ ମୋର ମରିବା ଖବର ସମସ୍ତଙ୍କୁ ଦେଇ ସାରିଥିଲେ ଡାକ୍ତର । ବାରମ୍ବାର ମୋର ଛାତି ଉପରେ ଷ୍ଟେଥୋସ୍କୋପ୍ ଛୁଆଁଇ ସାରିବା ପରେ କହିଲେ ହିି ଇଜ୍ ନୋ ମୋର୍ ।
ନୋ ମୋର୍ କଣ ଇଆଡ଼େ ମୋର ପିଳେହି ପାଣି ହେଇ ସାରିଲାଣି । ନାକବାଟେ ଯେତେ ଚେଷ୍ଟା କଲେ ବି ପବନ ଯାଉନି କି ଆସୁନି । ନାକ ପାଖରୁ ଫେରିଆସୁଛି । ବାପ-ମାଆ ରାହା ଧରି କାନ୍ଦୁଥିବାବେଳେ ସେମାନଙ୍କୁ ହାତ ଉଠାଇ ମନା କରିପାରୁନି । ପାଟି ବି ଫିଟୁନି । ସବୁ ଜାଣୁଛି ହେଲେ କିଛି କରିପାରୁନି । ଦିନେ ବାପାକୁ କହିଥିଲି, ବାପା ଏଣ୍ଡ୍ରଏଡ୍ ମୋବାଇଲଟେ କିଣିଦିଅ । ବାପା କିଣି ଦେଇନଥିଲେ । ଓଲଟା କହିଥିଲେ ସେଇ ବାତେରା ଟୋକାମାନଙ୍କ ସହ ସାଙ୍ଗ ହେବା ଛାଡ଼ି ଦେ, ନହେଲେ ମରିବୁ । ମୁଁ କହିଥିଲି ମରିଗଲେ ଗଲି । ଆଉ ମରିଯିବା ପରେ ଭାବୁଛି, ମରିଗଲେ ସବୁକିଛି ସରିଯାଏ । ପ୍ରକୃତରେ ସରିଯାଏ । ମୋର କିନ୍ତୁ ମୃତ୍ୟୁ ପରେ ବି ସରିଲାନି ।
ହସ୍ପିଟାଲବାଲାଏ ଏଇ ଷ୍ଟ୍ରେଚରରେ ଶୁଆଇ ନେଇ ଆସିଲେ ଶବାଗାରକୁ । ବାହାରେ ଜୋର ପାଟିତୁଣ୍ଡ ହୋହଲ୍ଲା । ବାପା କହୁଥାନ୍ତି- ପୁଅ ତ ମରିଗଲା ତାର ଶବ ତ ନେବାକୁ ଦିଅ । କିଏ ଜଣେ କହୁଥାଏ- ସେମିତି ହେଇପାରିବ ନାହିଁ । ଇମ୍ପସିବଲ । ଆଗ ହସ୍ପିଟାଲର ବାକିଥିବା ଷୋଳ ହଜାର ପାଞ୍ଚଶହ ଦିଅ । ତାପରେ ବାକି କଥା । ମୁଁ ବି ଆଶ୍ଚର୍ଯ୍ୟ ହଉଥାଏ । ଶବକୁ ରଖି ଏ ମୂଲଚାଲ କଣ ? ମୁଁ ବଂଚିଥିଲେ ବା କଥା ଅଲଗା । ବାପା ତ ପୁଣି ଦଶ ଟଙ୍କା ସୁଧରେ ଟଙ୍କା ଆଣି ହସ୍ପିଟାଲବାଲାଙ୍କୁ ଦେଇଥିଲେ । ଆଉ ପୁଣି କଣ?
ଟଙ୍କା ଦେଲେ ଯାଇ ମୋର ଶବ ଛଡ଼ାଯିବ, ଇଏ କି କଥା । ମୋର ରାଗ ଚଢି ପଞ୍ଚମରେ । କି ଚିକିତ୍ସା କରିଚ ବେ ତମେ ମୋର । ସେଇ ଓଷୋ, ସେଇ ଇଞ୍ଜେକସନ ଆଉ ସାଲାଇନ୍ । ତମର ଯାହା ଏସି ଖଣ୍ଡକ ଲାଗିଛି, ବେଡ୍ ଭଲ ଟିକେ ନରମ ଗଦି ତ ଆଉ ଅଧିକ କଣ ଯେ ? ମୋତେ ସାମାନ୍ୟ ଜଣ୍ଡିସ୍ ରୋଗରୁ ବଞ୍ଚେଇ ପାରିଲନି ଆଉ ମୋର ଶବ ସହିତ ମୂଲଚାଲ କରୁଛ? କିଏ କହିଲା ତମେ ଭଗବାନ ବୋଲି ତମେ ଶଳେ ସାକ୍ଷାତ ଯମ, ଯମଦୂତ । ତମେ ଶଳେ ଶାଗୁଣା । ତମର ମାନବିକତା ବୋଲି କିଛି ନାହିଁ । ମୁଁ ପାଟି କରି ଏସବୁ କହୁଥାଏ, ହେଲେ ମୋର ସବୁତକ ରାଗରୁଷା, ଆକ୍ରୋଶ ସବୁ ପବନରେ ମିଳାଇ ଯାଉଥାଏ ଠିକ୍ ମୋ ବାପାଙ୍କ କାକୁତିମିନତି ଆଉ ଆଖିର ତତଲା ଲୁହ ଭଳି ।
ଏପଟେ ମୋ ପାଖରେ ପଡିଥିବା ଦୁଇଟି ଶବ ଭାଇ ମୋତେ ବାରମ୍ବାର ପଚାରୁଥାନ୍ତି- ହେଃ କେମିତି ମଲୁ ବା? ମୋ ଡାହାଣ କଡରେ ପଡିଥିବା ଜଣେ ତ କହୁଥାଏ- ଶଃ.. ପିଇକରି ଗାଡି ଚଲଉଥିଲୁ କିରେ? ମୁଁ ଟିକେ କଣେଇ ଚାହିଁଲି, ତା ମୁହଁରୁ ଫେଣ ବାହାରୁଥାଏ । ବୋଧେ ନିଜେ ପିଇଲା ନିଶା ସେଯାଏଁ ତାର ଛାଡିନଥାଏ । ହାତଗୋଡ ଓ ମୁହଁରେ ପଟି ବନ୍ଧା ଯାଇଥାଏ । ଲାଗିଲା ଗାଡି ଏକ୍ସିଡେଣ୍ଟରେ ସଦ୍ୟ ଜୀବନ ହରାଇଛି ସେ । ମୋର ବାମ କଡ଼କୁ ବି ଜଣେ ପଡ଼ିଥାଏ । ଦେଖିଲି ଟିକେ ବୟସ୍କ ଲୋକ । ସେ କହୁଥିଲେ- ବାବୁରେ ଥିଲାବାଲା ଲୋକ ଏମିତି ହସ୍ପିଟାଲକୁ ଆସନ୍ତି । ତମଭଳି ଗରିବ ଲୋକେ ଏମିତି ହସ୍ପିଟାଲକୁ କାଇଁ ଚିକିତ୍ସା ପାଇଁ ଆସୁଛ? ଘରେ ପଡି ମୃତ୍ୟୁକୁ ଆଦରି ନେଲେ ବରଂ ଭଲ ।
ଜାଣିଲି ବାହାର ଲୋକ ମୋର ସ୍ୱର ଶୁଣି ନପାରିଲେ ବି ଏମାନେ ପାରୁଛନ୍ତି । ମୁଁ ସେ ବୟସ୍କ ଲୋକଙ୍କୁ ପଚାରିଲି- ମଉସା, ଠିକ୍ କହିଛ ଯେ, ମୋ ବାପା ପାଖରେ ପଇସା ସିନା ନାଇଁ, କିନ୍ତୁ ଦୁଇ ଦୁଇଟି ବୀମା କାର୍ଡ ଅଛି । ଗୋଟିକରେ ପଚିଶ ଆର ଗୋଟିକରେ ପରା ପଚସ୍ତରୀ ହଜାର ଟଙ୍କା ଚିକିତ୍ସା ସହାୟତା ମିଳିବ । ସର୍କାରୀ ଛଡ଼ା ବଛାବଛା ବେସର୍କାରୀ ହସ୍ପିଟାଲରେ ବି ଏଇ ସେବା ମିଳୁଛି ପରା! ଆମ ଗାଁ ସରପଞ୍ଚ ପରା ସେଇ କଥା କହିଲା । କହିଲା କି- ଏଇ ଯୋଉ ଉଚ୍ଚାଉଚ୍ଚା ହସ୍ପିଟାଲ ଦେଖୁଛୁ, ସବୁ ସର୍କାରଠାରୁ ଜମି ନେଇଛନ୍ତି । କିଛିକିଛି ଗରିବ ରୋଗୀକୁ ମାହାଳିଆ ଚିକିତ୍ସା ଦେବା ପାଇଁ । ସର୍କାର ବି ତ ମୋଦୀ ଯୋଜନାକୁ ଛି କରି ନିଜ ଯୋଜନା ଚଳେଇଛନ୍ତି । ଚାଲ ସେ ହସ୍ପିଟାଲକୁ । ଟଙ୍କା ଅଭାବ ହେବନି । ମୋ କଥା ଶୁଣି ବୟସ୍କ ଲୋକ କହିଲେ- ହଇରେ ବୋକା, ସେସବୁ କୁହାକଥା । କୋଉଠି ହେଲାଣି ସେକଥା? ଏପରି ହେଲେ ତୋଭଳି ଲୋକେ ଅକାଳରେ ମରନ୍ତେନି ବୁଝିଲୁ ।
ଆମ କଥା ଭିତରେ ଶବାଗାରରେ ପଡ଼ିଥିବା ଆଉ କିଛି ଶବ ନିଜନିଜ ଭିତରେ କଥାବାର୍ତ୍ତା ହେଉଥିଲେ । ତୋର ସବୁ କିଏକିଏ ଆସିବେ ? କିଏ ଦେବ ମୁଖାଗ୍ନି? କୋଉ ଶ୍ମଶାନକୁ ନେବେ ? ସ୍ୱର୍ଗଦ୍ୱାର ନେଲେ ସଭିଁଏ ଏକାଠି ହେବା । ଏମିତି କେତେ କଥା । ୟା ଭିତରେ ବାହାରେ ଆଉରି ପାଟିତୁଣ୍ଡ ହେଲା, ମୁଁ ଟିକେ କାନେଇଲି । ଶବକୁ ରଖି ତମର ଲାଭ କଣ? ଓଲଟା ତମ ହସ୍ପିଟାଲର ରେପୁଟେସନ୍ ଖରାପ ହେବ, ମାନବିକତା ଦୃଷ୍ଟିରୁ ଡେଡ୍ ବଡି ରିଲିଭ୍ କର ବୋଲି ଜଣେ କିଏ କହୁଥିଲେ । ତାଙ୍କୁ କିନ୍ତୁ କେହିଜଣେ ଚଢାଗଳାରେ କହୁଥିବାର ଶୁଣିଲି- ତମ କଥା ସେଇ ସଭାଘରେ କହିବ, ଏଠି ନୁହେଁ । ଆମେ ଲୋକଙ୍କୁ ସେବା କରିବାକୁ ଠିକା ନେଇନୁ । ଆମର ହର୍ ହାଲତରେ ପଇସା ଦରକାର । ଏତେବଡ ହସ୍ପିଟାଲ ଖୋଲି ବସିଛୁ କଣ ଏମିତି ମାହାଳିଆ ସେବା ଯୋଗାଇବା ପାଇଁ? ଟଙ୍କା ନଥିଲା ତ ସର୍କାରୀ ହସ୍ପିଟାଲକୁ କାଇଁ ନେଲନି? ତମ ମୁଖିଆ ପା ଏଇଠିକି ଆସନ୍ତି ନିଜ ଚିକିତ୍ସା ପାଇଁ । ଏଇଠୁ ବୁଝ କୋଉ ଲେଭେଲର ଚିକିତ୍ସା ଉପଲବ୍ଧ ହେଉଛି ସର୍କାରୀ ହସ୍ପିଟାଲରେ ।
ଏସବୁ ଶୁଣୁଥାଏ, ମୋର ତ ହାଡ଼ ଜଳିଯାଉଥାଏ । ଜଣେ କିଏ ଭଦ୍ରଲୋକ ମୋ ପାଇଁ ପଦେ କହିଦେଲା ବୋଲି ଏମତି ରୋକଠୋକ୍ ଶୁଣାଇଦେବେ ! ଛିଃ… ଛିଃ । ୟା ଭିତରେ ସେଇ ଭଦ୍ରଲୋକ ଜଣକ ମୋ ସଂପର୍କରେ କାହାକୁ ଫୋନରେ କହୁଥିବା ଶୁଣିଲି । ଏପଟେ ମୋର ମୃତ୍ୟୁ ସହିତ ମୋର ଶବ ବନ୍ଧା ପଡ଼ିଥିବା ଦେଖି ବାପା-ମାଆ କାନ୍ଦିକାନ୍ଦି ନୟାନ୍ତ ହେଲେଣି । ଭଦ୍ରବ୍ୟକ୍ତିଙ୍କ ଫୋନ ପରେ ମୋର ଶବକୁ ଛାଡ଼ିଦେବାକୁ ରାଜିହେଲେ ହସ୍ପିଟାଲବାଲା । ମୁଁ ମୋର ସାଥୀ ଶବମାନଙ୍କୁ ବିଦାୟ ମାଗି ବୁହାହେଲି ମହାପ୍ରୟାଣ ଗାଡ଼ିରେ ।
ଗାଁକୁ ଚାଲିଲା ମୋର ଶବ । ବାଟସାରା ଭାବୁଥାଏ । ଗାଁରେ ବି ତ ମୋର ମଲା ଖବର ପହଂଚି ସାରିଥିବ । ମୋର ଦୁର୍ଦ୍ଦଶା କଥା ବି ଜାଣି ସାରିଥିବେ । କେଡେକଥାଟେ ନକଲେ ଏ ହସ୍ପିଟାଲବାଲା ସତରେ ! ଗାଡି ପହଂଚି ସାରିଥିଲା ଆମ ଦାଣ୍ଡ ଦୁଆରେ । ମୋର ଶବକୁ ଗାଡିରୁ ଓହ୍ଲାଇବା କ୍ଷଣି କାନ୍ଦବୋବାଳିରେ ଫାଟି ପଡିଲା ଆମ ଗାଁ ଦାଣ୍ଡ । ପରିବାର ଲୋକେ, ସାହି ପଡିଶା ସମସ୍ତଙ୍କ କାନ୍ଦୁଣୁମାନ୍ଦୁଣୁ ଅବସ୍ଥା । ମୁଁ କିନ୍ତୁ ପଡିଥାଏ ଠିକ୍ ଗୋଟେ ଶବ ପରି । ଯେମିତି ପଡିଥିଲା ମୋର ଜେଜେମାଆର ଶବ । ମୋର ବୁଢାବାପାର ଶବ । ଆଉ ଚାରିପଟେ ବେଢି ଆମେ ସମସ୍ତେ କାନ୍ଦୁଥିଲୁ । ଆଜି ମୋର ଶବ ଚାରିପାଖରେ ମୋ ଲୋକେ କାନ୍ଦୁଥିବା ପ୍ରଥମଥର ଦେଖିଲି । କେତେ କଥା ଭାବିଥିଲି । ମୋ ନିଜ ସଂପର୍କରେ, ଘର ଲୋକଙ୍କ ସଂପର୍କରେ, ଗାଁ ସଂପର୍କରେ । ସବୁକିଛି ମୋର ମରିବା ସହିତ ଶେଷ ହୋଇଗଲା ।
ଏଇ ସମୟରେ କିଏକିଏ କୁହାକୁହି ହେବା ଶୁଣିଲି । ମୋର ଶବ ସହିତ ଅମାନବିକତା କୁଆଡ଼େ ଟିଭିରେ ବି ଦେଖଉଛି । ମୋର ଭାରି ଇଛା ହଉଥାଏ ଟିକେ ଟିଭି ଦେଖିବାକୁ, କିନ୍ତୁ କୋଉ ଦେଖିହେଲା ଯେ ? କୋକେଇ ସଜା ସରିଥିଲା । ଆଉ ରାମନାମ ସତ୍ୟ ହେ ନାରା ସହିତ ମୋତେ ନିଆଯାଉଥିଲା ଶ୍ମଶାନକୁ । ଗାଁ ଶ୍ମଶାନରେ ପୋଡିଜଳି ମାଟିରେ ମିଶିଯିବାର ଶେଷ ଆଶା ଟିକକ ସମସ୍ତଙ୍କର ଥାଏ । ମୋର ବି ଥିଲା । ପୂରଣ ହେଲା ।
ଇତି ମଧ୍ୟରେ କାଠ ସଜଡା ସରିଛି, ନିଆଁ ହୁଳା ବି ଏଇ ଜଳିବା ଆରମ୍ଭ କଲାଣି । ଆଉ କିଛି ସମୟ ପରେ ହୁଏତ ମୁଁ ପୋଡ଼ି ପାଉଁଶ ହେଇଯିବି । ମାଟିରେ ମିଶିଯିବି । ମୋର ଜୀବନ ନାଟିକା ସବୁଦିନ ପାଇଁ ଶେଷ ହେଇଯିବ । ମୋତେ ସମସ୍ତେ ଭୁଲିଯିବେ । କିନ୍ତୁ ସମସ୍ତଙ୍କୁ ହାତଯୋଡି ଅନୁରୋଧଟିଏ କରୁଛି – ଦୟାକରି ମୋଭଳି ଗରିବ ଘରେ ଜନ୍ମ ହେବେନି । ନହେଲେ ମୋଭଳି ଅବସ୍ଥା ହେବା ହିଁ ସାର ହେବ । ଆପଣ ଭାବୁଛନ୍ତି କି ଅବସ୍ଥାରେ ଦିନେ ନା ଦିନେ ପରିବର୍ତ୍ତନ ଘଟିବ? କିଛି ନାଇଁ ଆଜ୍ଞା, ନାଇଁ । ଏମତି ହିଁ ଚାଲିଥିବ । ଏମତି ହିଁ ଚାଲିଥିବ । ଘରକୁ ଯାଇ ଟିଭି ଖୋଲି ଦେଖନ୍ତୁ, କେଉଁଠି ନା କେଉଁଠି ଆଜି ବି ମୋଭଳି ଗରିବର ଶବ ଶବାଗାରରେ ବନ୍ଧା ପଡିଥିବ ।
ଚିତାରେ ନିଆଁ ଲାଗି ସାରିଲାଣି । ଧେତ୍, ମୁଁ ଯେ ହାତ ବି ଯୋଡ଼ି ପାରୁନି!