ଲେଖକ ମାଧବ କୌଶିକ ପାଇଲେ ଫକୀରମୋହନ ଜାତୀୟ ସାହିତ୍ଯ ପୁରସ୍କାର

ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ଯ ଅତିଥି ଭାବରେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଫକୀରମୋହନ ସେନାପତିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଲେ ଯେ ତାଙ୍କ ଭଳି ଜଣେ ପ୍ରେରଣାଦାୟୀ ବ୍ଯକ୍ତିତ୍ବଙ୍କ ପ୍ରକୃତ ଉତ୍ତରାଧିକାରୀ ଆଜିର ଏହି ଛାତ୍ରଛାତ୍ରୀ। ଜିଜ୍ଞାସା ଜ୍ଞାନ ଆହରଣ କରିବାର ଏକମାତ୍ର ଉତ୍ସ ଓ ମୌଳିକ ସୃଜନଶୀଳତାର ବିକାଶ ଦ୍ବାରା ଛାତ୍ରଛାତ୍ରୀ ମାନେ ଏକ ସଂପୂର୍ଣ୍ଣ ନାଗରିକର ଦାୟିତ୍ବ ନିର୍ବାହ କରନ୍ତୁ ବୋଲି ସେ ଆହ୍ଵାନ ଦେଇଥିଲେ। ଶିକ୍ଷାର ମୁଖ୍ଯ ଉଦ୍ଦେଶ୍ଯ ଚରିତ୍ର ନିର୍ମାଣ ତଥା ସଂସ୍କାରଯୁକ୍ତ ହେଲେ ହିଁ ଏକ ସଶକ୍ତ ଦେଶ ଗଠନ କରା ଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ୨୬ତମ ସ୍ଥାପନା ଦିବସ ଅବସରରେ ସୁପ୍ରସିଦ୍ଧ ଲେଖକ ତଥା କେନ୍ଦ୍ର ସାହିତ୍ଯ ଏକାଡେମୀର ସଭାପତି ମାଧବ କୌଶିକଙ୍କୁ ୨୦୨୪ ମସିହା ପାଇଁ ଫକୀରମୋହନ ଜାତୀୟ ସାହିତ୍ଯ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠା ଦିବସ ତଥା ରୌପ୍ଯଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମରେ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ଶ୍ରୀ କୌଶିକଙ୍କୁ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସାମଗ୍ରିକ କୃତି ପାଇଁ ଏହି ସାରସ୍ବତ ପୁରସ୍କାର ପ୍ରଦାନ କରାଯାଇଥିଲା। ମାଧବ କୌଶିକଙ୍କ ରଚିତ ପୁସ୍ତକ ମଧ୍ଯରେ ,”ଉଡନେ କୋ ଆକାଶ ମିଲେ”, ” ଠିକ୍ ଉସି ୱକ୍ତ” ,”କଡି ଧୂପ ମଁ ନଙ୍ଗେ ପୈରୋଁ”, “ମେରୀ ଚୁନିନ୍ଦା କାହାନିଆଁ”, “ରୋଶନୀ ୱାଲି ଖିଡକୀ” ଇତ୍ୟାଦି ଖୁବ ପ୍ରସିଦ୍ଧିଲାଭ କରିଛି। ସେ ପାଇଥିବା ପୁରସ୍କାର ମଧ୍ଯରେ ” ଅଖିଲ୍ ଭାରତୀୟ ବଲରାଜ ସାହାନୀ ପୁରସ୍କାର ” , ” ମହାକବି ସୁରଦାସ ସମ୍ମାନ “, ” ସୁବ୍ରମଣ୍ୟମ ଭାରତୀ ଜାତୀୟ ପୁରସ୍କାର ” ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ଏଠାରେ ଉଲ୍ଲେଖଯୋଗ୍ଯ ଶ୍ରୀ କୌଶିକ ବର୍ତ୍ତମାନ ଜ୍ଞାନପୀଠ ପୁରସ୍କାର ଚୟନ କମିଟିର ସଦସ୍ଯ ଭାବେ ମଧ୍ଯ ରହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟର ପ୍ରାତଃସ୍ମରଣୀୟ ସାହିତ୍ୟିକ ଫକୀରମୋହନ ସେନାପତିଙ୍କ ନାମରେ ନାମିତ ଏହି ପୁରସ୍କାର ଏଥି ପୂର୍ବରୁ ୟୁ.ଆର ଅନନ୍ତମୂର୍ତ୍ତୀ, ପେରୁମଲ ମୁରୁଗନ ଓ ଅଳକା ସରାଗୋଇଙ୍କୁ ପ୍ରଦାନ କରାଯାଇଛି। ମାନପତ୍ର ସମ୍ମାନ ସହ ଶ୍ରୀ କୌଶିକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ଲେଖକ ତଥା ସାହିତ୍ଯ ଏକାଡେମୀର ସଭାପତି ଶ୍ରୀ ମାଧବ କୌଶିକ ମୁଖ୍ଯବକ୍ତା ଭାବେ ଯୋଗଦେଇ ନିଜ ଉଦବୋଧନରେ, ବିଶ୍ବର ସାହିତ୍ଯ ଜଗତକୁ ଓଡ଼ିଶାର ଅବଦାନ ଓ ବିଶେଷ କରି ଫକୀରମୋହନ ସେନାପତିଙ୍କ ନିର୍ଭୀକ ଲେଖା, ଯୁଗୋପଯୋଗୀ ରଚନା, ସାମାଜିକ କୁସଂସ୍କାର ଓ ନିୟମ ବିରୁଦ୍ଧରେ ସ୍ୱର ଉତ୍ତୋଳିତ ଗଳ୍ପ ସଙ୍କଳନ ଆଦି ବିବିଧ ବିଷୟଗୁଡ଼ିକ ଉପରେ ଆଲୋକପାତ କରି ଫକୀରମୋହନ ସେନାପତିଙ୍କୁ ସମଗ୍ର ଭାଷା ସାହିତ୍ୟର ସେନାପତି ଭାବରେ ସମ୍ବୋଧନ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ପୂର୍ବତନ କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ଡେଭେଲପମେଣ୍ଟ ଅଧିକାରୀ ପ୍ରଫେସର ପବିତ୍ରମୋହନ ନାୟକ ଉପସ୍ଥିତ ରହିଥିଲେ। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଦତ୍ତ ବ୍ଯାସଗୌରବ ସମ୍ମାନ-୨୦୨୪ ବିଶିଷ୍ଟ ଲେଖକ ଓ ପ୍ରଶାସକ ଶ୍ରୀ ବିଜୟ ନାୟକ ଓ ପ୍ରଖ୍ୟାତ ନାଟ୍ୟକାର ଶ୍ରୀ ହେମେନ୍ଦ୍ର ମହାପାତ୍ରଙ୍କୁ ମାନପତ୍ର ସହ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ବେଳେ ତରୁଣ କଥାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ କବିତା ବାରିକ ପ୍ରଦତ୍ତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଯୁବଗାଳ୍ପିକ ପୁରସ୍କାର ଗ୍ରହଣ କରିଥିଲେ ଗାଳ୍ପିକା ସୁଶ୍ରୀ ଲୋପାମୁଦ୍ରା ମିଶ୍ର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଗଳ୍ପ ଲିଖନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ଯରେ ପ୍ରଚଳିତ “ମନୋଜାୟନ” ସଂଗଠନ ଦ୍ବାରା “ମନୋଜ ନବପ୍ରତିଭା କଥା ପୁରସ୍କାର” ପାଇଁ ବିଶ୍ବବିଦ୍ୟାଳୟ ଛାତ୍ରୀ ରଞ୍ଜିତା ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କବିତା ଲିଖନକୁ ପ୍ରୋତ୍ସାହିତ କରିବା ପାଇଁ ସୁମନ୍ତ ମଲ୍ଲିକଙ୍କୁ “ଜୟନ୍ତ ମହାପାତ୍ର କବିତା ପୁରସ୍କାର” ଦିଆଯାଇଥିଲା। ଏହି ପୁରସ୍କାର”ଦି ଓଡ଼ିଶା ଆସୋସିଏସନ ଫର୍ ଇଂଲିଶ ଷ୍ଟଡିଜ” ପକ୍ଷରୁ ଦିଆଯାଏ। ଏଥିସହିତ ଜାତୀୟ ସେବା ଯୋଜନାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଥିବା ସଂଯୋଜକ ଓ ସ୍ବେଚ୍ଛାସେବୀଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି ଓ ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ଦୁଇଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀ ହେମେନ୍ଦ୍ର ମହାପାତ୍ର ନିଜ ନାଟ୍ୟକାର ଜୀବନର କାହାଣୀ ଅତି ସଂକ୍ଷେପରେ ଦର୍ଶକଙ୍କୁ କହି ଅଭିଭୂତ କରିଥିଲେ। ଏଥିସହ ବିଶିଷ୍ଟ ଲେଖକ, ଅତିରିକ୍ତ ସଚିବ, ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀରୁ ଆମନ୍ତ୍ରିତ ଶ୍ରୀ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଶ୍ବବିଦ୍ୟାଳୟର ଅତୀତ ସହ ବର୍ତ୍ତମାନର ପରିବର୍ତ୍ତନକୁ ତୁଳନା କରି ପ୍ରଶଂସାଗାନ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଉଦବୋଧନରେ ବିଶ୍ବବିଦ୍ୟାଳୟରେ ଭବିଷ୍ୟତରେ ହେବାକୁଥିବା ଯୋଜନା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ବ୍ୟାଖ୍ୟା କରିଥିଲେ। ସମସ୍ତଙ୍କ ସହଯୋଗ ହେତୁ ବିଶ୍ବବିଦ୍ୟାଳୟର ଦୀର୍ଘ ୨୫ ସଫଳ ବର୍ଷର ପାଳନ କରିପାରିଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହିତ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ୪ଟି ପୁସ୍ତକର ଉନ୍ମୋଚନ କରାଯାଇଥିଲା ଓ ଆନ୍ତଃ ବିଶ୍ବବିଦ୍ୟାଳୟ ସ୍ତରରେ ଖେଳାଯାଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ବିଜେତା ଭାବରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦଳକୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ଯ ରୌପ୍ୟଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ବିଶ୍ବବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଓ ଆନ୍ତଃ ବିଶ୍ବବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥିଲା ।ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଫକୀରମୋହନ ସାହିତ୍ଯ ସଂସଦର ସଦସ୍ଯ, ମନୋଜାୟନର ସଦସ୍ଯ ତଥା ଦି ଓଡ଼ିଶା ଆସୋସିଏସନ ଫର୍ ଇଂଲିଶ ଷ୍ଟଡିଜର ସଦସ୍ଯ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼କ୍ଟର ସ୍ମିତି ପାଢୀ ସଂଚାଳନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇ ଥିଲେ। କୁଳସଚିବ କୁକୁମୀନା ଦାସ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ଡେଭେଲପମେଣ୍ଟ ଅଧିକାରୀ ପ୍ରଫେସର ପବିତ୍ରମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.