ବିଶ୍ବ ଏକ ପରିବାର :ଗୋପବନ୍ଧୁ

ଗୋପବନ୍ଧୁଙ୍କ ଜୀବନ ଦର୍ଶନ ଓ ସାହିତ୍ୟ କୃତି ସବୁକୁ ଅବଲୋକନ କଲେ ଜଣାପଡେ ସେ ଜଣେ ବିଶ୍ବପ୍ରେମୀ। ଜଣେ ଦରଦୀ ମଣିଷର ସାରା ସଂସାର ହିଁ ନିଜର। ତାଙ୍କ ପାଖରେ ଭେଦଭାବ ନ ଥାଏ। ସମଗ୍ର ବିଶ୍ୱ ପ୍ରତି ତାଙ୍କର ପ୍ରଗାଢ ମମତା ଥିଲା।ଉତ୍କଳ ଭାରତ ଠାରୁ ବିଛିନ୍ନ ନୁହେଁ କି, ଭାରତ ବିଶ୍ବ ଠାରୁ ଆଲଗା ନୁହେଁ। ଏହିପରି ଏକ ବିଶ୍ବ ଭାବ ରଖୁଥିବା ମହାନୁଭବ ଥିଲେ ଗୋପବନ୍ଧୁ। ଗୋପବନ୍ଧୁ କହୁଥିଲେ: ଆମ୍ଭେମାନେ ଉତ୍କଳ ସେବାରେ ଭାରତସେବା ବା ବିଶ୍ବ ସେବା କରିବା, ଉତ୍କଳ ଜାତିର ଉନ୍ନତିରେ ମାନବ ଜାତିର ଉନ୍ନତି ହେବ। ଉତ୍କଳ ପ୍ରାଣରେ ବିଶ୍ବ ପ୍ରାଣ ଅନୁଭବ କରିବା ଓ ଉତ୍କଳ ହୃଦୟତନ୍ତ୍ରୀରେ ବିଶ୍ବ ମାନବର ହୃଦୟର ଗୀତ ଶୁଣିବା। ଉତ୍କଳ ଭୂମିକୁ ବିଶ୍ବ ଭାବରେ ଅନୁପ୍ରାଣିତ କରି ଓଡିଆମାନଙ୍କ ଜାତୀୟ ଜୀବନ ଗଢିବାକୁ ହେଲେ ଓଡିଆ ଭାଷା ମୁଖରେ ବିଶ୍ବ ପ୍ରେମର ଭାବ ସୃଷ୍ଟି କରିବାକୁ ହେବ। ବିଭିନ୍ନ ଦେଶର ମାନବୀୟ ଚିନ୍ତା ଧାରା ଉତ୍କଳର ସାହିତ୍ୟରେ ସଂପାଦୀତ ହେବା ସହ ଉତ୍କଳର ମହନୀୟତା ବିଶ୍ବ ସାହିତରେ ସମାହିତ ହୋଇ ପାରିବ।

ଗୋପବନ୍ଧୁ “କାଠଯୋଡ଼ି ତୀରେ” କବିତାରେ ଲେଖିଛନ୍ତି:
“ସର୍ବ ଅନୁଭୂତି ସର୍ବଭୂତେ ତାର,
ତା ଦୃଷ୍ଟିରେ ବିଶ୍ବ ଏକ ପରିବାର।
ସେହି ନିଜେ ବିଶ୍ବ ବିଶ୍ବ ମଧ୍ୟେ ସେହି,
ଅନ୍ୟ ହୋଇ ତାର ନାହିଁ ଆଉ କେହି।”

୧୯୧୯ ମସିହାରେ ଉତ୍କଳ ସମ୍ମିଳନୀର ସଭାପତି ଭାବରେ ତାଙ୍କର ଭାଷଣ ଥିଲା: ସାର୍ବଜନୀନ ମାନବ ସମାଜ ଭଗବାନଙ୍କ ଅଭିବ୍ୟକ୍ତି। ମାନବସେବା ହିଁ ଭଗବତ ସେବା, ମାତ୍ର ବ୍ୟକ୍ତି ଯେଉଁ ସଂକୀର୍ଣ୍ଣତା ମଧ୍ୟରେ ବାସ କରି ସୀମାବଦ୍ଧ ହୋଇରହିଛି ତେଣୁ ବିଶ୍ବ ମାନବ ସେବାରୁ ବଞ୍ଚିତ ହୋଇଛି। ସେ ଯେଉଁ ନିଦ୍ଧିଷ୍ଟ ଦେଶରେ ଏବଂ ନିଦ୍ଧିଷ୍ଟ ଜାତି ମଧ୍ୟରେ ବାସ କରନ୍ତି, ସେହି ଦେଶ ତାଙ୍କର ପୂଜାପୀଠ ଏବଂ ସେହି ଜାତିର ସେବା ହିଁ ମାନବ ସେବା। ହୃଦୟରେ ଏହି ବିଶ୍ବାସ ଜାଗ୍ରତ ହେଲେ, କ୍ଷୁଦ୍ର ପଲ୍ଲୀର ସୀମାବଦ୍ଧ କାର୍ଯ୍ୟ କ୍ଷେତ୍ରରେ ରହି ମନୁଷ୍ୟ ସମସ୍ତ ମାନବ କଲ୍ୟାଣରେ ଆତ୍ମ ବିନିଯୋଗ କରିପାରିବେ। ଏହିପରି ଏକ ବିଶ୍ୱାସ ସମଗ୍ର ମାନବ ସମାଜକୁ ଏକତା ସୁତ୍ରରେ ବାନ୍ଧି ପାରିବ।
ପୁଣି ଗୋପବନ୍ଧୁ କହିଛନ୍ତି: ବିଶ୍ବ ପ୍ରୀତି ହିଁ ଓଡିଆର ଜାତୀୟତା, ମନୁଷ୍ୟତା,ଦେଶାନୁରାଗ।ଓଡିଆର ଏହି ଭାବ ନୀଳାଚଳ ଧାମରେ ପ୍ରକଟିତ।ଜଗନ୍ନାଥ ସମଗ୍ର ବିଶ୍ବ ଦେବତା।ଜଗନ୍ନାଥଙ୍କ ସମସ୍ତ ପରମ୍ପରା ସାରା ବିଶ୍ବବାସୀଙ୍କ ପାଇଁ ନିହିତ।
କାରାକବିତାରେ ଗୋପବନ୍ଧୁ ଲେଖିଲେ:
“ଅନନ୍ତ ମହିମା ଅତୁଳ ସୁଷମା,
ଦିଶେ ବିଶ୍ବେ ସ୍ତରେ ସ୍ତରେ
ତବ ମହାପ୍ରେମ ଖେଳେ ଚରାଚର
ଜୟ ଜଗଦୀଶ ହରେ।”
ଯେତେବେଳେ ଗୋପବନ୍ଧୁ ଦେଖିଛନ୍ତି କେବଳ ଭାରତରେ ନୁହେଁ ସାରା ବିଶ୍ବରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ନାହିଁ। ସେ ଏମିତି ବ୍ୟତିକ୍ରମ ଦେଖି ତାଙ୍କର ଆତ୍ମା ବିଦ୍ରୋହୀ ହୋଇ ଉଠିଛି। ସ୍ବାଧୀନତା ହେଉଛି ଜନ୍ମଗତ ଅଧିକାର। ସେଥିପାଇଁ ସେ ଲେଖିଅଛନ୍ତି-
“ସ୍ବାଧୀନତା ମାନବର ଜନ୍ମ ଅଧିକାର,
ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର।
ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି,
ଚାରିସ୍ତମ୍ଭେ ମାନବର ସମାଜ ସଂସ୍ଥିତି।”

ଗୋପବନ୍ଧୁ ନିଜକୁ ବିଶ୍ବ ମଧ୍ୟରେ ଦେଖୁଥିଲେ। ଏହି ବିଶ୍ବ ଦୃଷ୍ଟି ତାଙ୍କ ଜୀବନର ବିଶେଷତ୍ଵ। ସେ ସତ୍ୟବାଦୀ ବନବିଦ୍ୟାଳୟରେ ଦୈନନ୍ଦିନ ଉପାସନାର ବ୍ୟବସ୍ଥା କରିଥିଲେ। ଛାତ୍ରମାନେ ନିୟମିତ ଭାବରେ ସକାଳେ ଓ ସନ୍ଧ୍ୟାରେ ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ଭଗବତ୍ ସ୍ତୁତି କରୁଥିଲେ। ଏଥିରେ ଭଗବତଗୀତାର ପାରାୟଣ ହେଉଥିଲା।ବିଶେଷ କରି ଭଗବତଗୀତାର ବିଶ୍ବରୂପ ଦର୍ଶନ ଅଧ୍ୟାୟଟି ଗୋପବନ୍ଧୁଙ୍କ ଅତି ପ୍ରିୟ ଥିଲା। ବିଶ୍ବରୂପ ଦର୍ଶନ ସମୟର ବାର୍ତ୍ତା ସାରା ବିଶ୍ବ ପାଇଁ ଆବଶ୍ୟକ ବୋଲି କହୁଥିଲେ। ସତ୍ୟବାଦୀ ବିଦ୍ୟାଳୟକୁ କେନ୍ଦ୍ର କରି ସେ ଯେଉଁ ଉତ୍କଳବ୍ୟାପୀ ଶିକ୍ଷା ପ୍ରସାରର ପରିକଳ୍ପନା କରିଥିଲେ, ତାହାର ନାମ “ୟୁନିଭରସାଲ ଏଜୁକେସନ ଲିଗ” ବା ବିଶ୍ବଜନୀନ ଶିକ୍ଷାସଂଘ ଥିଲା। ସାରା ଉତ୍କଳ ସହିତ ଭାରତ ଓ ଭାରତ ବାହାରେ ଶିକ୍ଷାର ଗୁଣାତ୍ମକ ବିକାଶ ଏହି ଅନୁଷ୍ଠାନର ଲକ୍ଷ୍ୟ ଥିଲା। ଗୋପବନ୍ଧୁଙ୍କ ଦୃଷ୍ଟିରେ ଜଗତକୁ ଅତିକ୍ରମ କରି ଅତିନ୍ଦ୍ରିୟ ଜଗତରେ ମନୁଷ୍ୟ ଗତି କରିଥାଏ। ନିତ୍ୟ ପ୍ରବାହମାନ ମନୁଷ୍ୟର ଏ ଜୀବନ ସ୍ରୋତ। ଇହଲୋକ ପରେ ପରଲୋକ ବିଦ୍ୟମାନ। ମର୍ତ୍ତ୍ୟକୁ ସତେ ଯେମିତି ଲାଗି ରହିଛି ଏକ ପରମ ଧାମ। ଇହ ଜଗତରେ ନୈରାଶ୍ୟ, ଦୁଃଖ ଶୋକରେ କ୍ଷତବିକ୍ଷତ,ସେ ଏହି ଅତିନ୍ଦ୍ରିୟ ରାଜ୍ୟରେ ଦେଖିବ ଆଶାର ସଞ୍ଚାର,ପୁଲକର ଉନ୍ମାଦନା ଏବଂ ଜୀବନର ସାର୍ଥକତା। ସେଥିପାଇଁ ସେ ଲେଖିଛନ୍ତି:
“ଏ ଜୀବନ ପ୍ରେମ ନୁହେଁ ଅବସାନ,
ଅନ୍ୟ ସ୍ଥାନେ ପୁଣି ହେବ ତ ଦେଖା,
ଶୁଦ୍ଧନେତ୍ରେ ତହିଁ ଦେଖିବ ମୋ ହୃଦେ,
ପ୍ରେମ ରସାଣିତ ଅମୃତ ଲେଖା।”
ପ୍ରେମର ଏହି ଅନନ୍ତ ବିସ୍ତାର ପରିକଳ୍ପନା ଓ ଧ୍ରୁବ ବିଶ୍ବାସରେ ଗୋପବନ୍ଧୁଙ୍କର ବ୍ୟାପକ ବିଶ୍ବଜନ ମନୋଭାବ ଯେପରି ପ୍ରକଟିତ, ତାଙ୍କର ଧର୍ମ ବୋଧରେ ମଧ୍ୟ ସେହିପରି କ୍ଷୁଦ୍ର ସାମ୍ପ୍ରଦାୟିକତା ବିବର୍ଜିତ ସାର୍ବଜନୀନ ଉଦାରତା ଅଭିବ୍ୟକ୍ତି ଉନ୍ମୋଚିତ। ଜାତି ଧର୍ମ ନିର୍ବିଶେଷରେ ଲୋକହିତ ସାଧନ ହିଁ ତାଙ୍କ ଜୀବନର ମୂଳଭୂତ ଧର୍ମବୋଧ। ସ୍ୱରାଜ୍ୟ ପାଇଁ ସେ ଅସହଯୋଗ ଆନ୍ଦୋଳନରେ ଜୀବନକୁ ଆହୁତି ଦେଇଥିଲେ। ଏହା କେବଳ ଭାରତର କଲ୍ୟାଣ ପାଇଁ ନୁହେଁ ସମଗ୍ର ଜଗତର କଲ୍ୟାଣ ନିମନ୍ତେ।
“ସ୍ବରାଜ୍ୟ ସାଧନେ ରହୁ ମୋର ଧ୍ୟାନ,
ଭାରତେ ସ୍ବରାଜ୍ୟ ଜଗତ କଲ୍ୟାଣ।”
ଗୋପବନ୍ଧୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତାରେ ପାର୍ଥକ୍ୟ ଦେଖୁ ନଥିଲେ। ମାନବ ସଭ୍ୟତାର ଭୌତିକ ଓ ପରମାର୍ଥିକ ବିଭେଦ ଦେଖୁ ନଥିଲେ। ତାଙ୍କ ଦୃଷ୍ଟିରେ ମାନବ ସଭ୍ୟତା ଏକ। ସାରା ବିଶ୍ବରେ ଶାନ୍ତି ନିମନ୍ତେ ସେ ପ୍ରାର୍ଥନା କରିଥିଲେ-
“ଭାରତ ପ୍ରଭାବେ ହେଉ ସ୍ବାର୍ଥ ଋଷିବାଣୀ,
ମଧୁମୟ ଭାବେ ମତ୍ତ ହେଉ ବିଶ୍ବପ୍ରାଣୀ।
ମଧୁମୟ ଋତେ ହେଉ ବିଶ୍ବ ନିନାଦିତ,
ଉଠୁ ବିଶ୍ବ ପ୍ରାଣେ ମଧୁ ଅମୃତ ସଂଗୀତ।”
ଗୋପବନ୍ଧୁ ସମଗ୍ର ବିଶ୍ବବାସୀଙ୍କର ଶାନ୍ତି ପାଇଁ ନିଜର ସେବା ଓ ସମର୍ଥନ ଜଣାଇଥିଲେ। ସେହି ଶୁଦ୍ଧପୂତ ବଳିଷ୍ଠ ପ୍ରାଣ ବିଶ୍ବ ମଂଗଳ କାମନାରେ ସମୁଜ୍ଜଳ ସ୍ବାକ୍ଷର ପ୍ରଦିପାଦିତ କରି ଯାଇଛନ୍ତି। ଗୋପବନ୍ଧୁଙ୍କ ଆଦର୍ଶ,ପରୋପକାର, ସେବା ସର୍ବଦା ବିଶ୍ବବାସୀଙ୍କୁ ପ୍ରେରଣା ଦେଉଥିବ।

ମୋହନ ଚରଣ ବିଷି

ଗଡରାମାଲ, କୋକସରା, କଳାହାଣ୍ଡି
ମୋ: ୯୭୭୭୪୬୮୮୪୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.