ଗ୍ୟାସ ସିଲିଣ୍ଡର କଳା ବଜାର ରୋକିବାକୁ ପ୍ରଶାସନ ତତ୍ପର, ବିଭିନ୍ନ ବାଣିଜ୍ୟିକ ଅନୁଷ୍ଠାନରେ ଚଢ଼ାଉ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ତତ୍ୱାବଧାନରେ ଗୁଣପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ବିଭିନ୍ନ ହୋଟେଲ, ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଅବୈଧ ଭାବେ ଘୋରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଥିବା ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ନଜରକୁ ଆସିବାପରେ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଚଢ଼ାଉ ହୋଇଛି । ଗୁଣପୁର ସହରର ଭାମ୍ସି କ୍ରିଷ୍ଣା, ଗ୍ରୀନ ଚିଲ୍ଲୀ,  ନିଉ ଗ୍ରୀନ ଚିଲ୍ଲୀ, ଆରକେ, ହାଇଦ୍ରାବାଦ ବିରିୟାନି, ପପକ୍ଵନ, ରେଡ଼ ଚିଲ୍ଲୀ ଭଳି ବିଭିନ୍ନ ହୋଟେଲରେ ଚଢ଼ାଉ କରି ନିଉ ଗ୍ରୀନ ଚିଲ୍ଲୀ ହୋଟେଲରୁ ଗୁଣପୁର ଅତିରିକ୍ତ ତହସିଲଦାର ଅଭିଳାଷ ଶତପଥୀ ରାମନଗୁଡା ଅତିରିକ୍ତ ତହସିଲଦାର ଦୀପରାଣୀ ବେହେରା ଓ ଯୋଗାଣ ବିଭାଗ ପ୍ରଦୀପ ନାଲା ପ୍ରମୁଖ ଚଢ଼ାଉ କରି ତିନୋଟି ଘରେଇ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି ଓ ଘରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି । ମୁନିଗୁଡା ତହସିଲଦାର ଏମ ଅନୁରାଧାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ବ୍ରଜ ଗୋପାଳ ଦାସ ପ୍ରମୁଖ ମୁନିଗୁଡା ଗ୍ୟାସ ଗୋଦାମ, ହୋଟେଲ ଆଦିରେ ଚଢ଼ାଉ କରାଯାଇ ବିଭିନ୍ନ ହୋଟେଲ ମାଲିକଙ୍କ ଠାରୁ ଘରେଇ ଗ୍ୟାସ ବ୍ୟବହାର ନକରିବାକୁ ସ୍ବୀକାରୋକ୍ତି ଲିଖିତ ଭାବେ ଆଦାୟ କରିଛନ୍ତି । ସେହିପରି ରାମନଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାମନଗୁଡାର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଘରେଇ ଗ୍ୟାସ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଥିଲା । ପଦ୍ମପୁର, ଗୁଡାରି, ବିଷମକଟକ ଆଦି ସ୍ଥାନରେ ମଧ୍ୟ ତହସିଲଦାର, ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ମାନେ ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ, ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତି, ଅନୁଷ୍ଠାନ ଆଦିରେ ଚଢ଼ାଉ କରିଥିଲେ । ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାର କରୁଥିବା ବ୍ୟକ୍ତି ଅନୁଷ୍ଠାନ ପ୍ରତି ନଜର ରଖିବାକୁ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ଘରୋଇ ଗ୍ୟାସ ବଣ୍ଟନ ପ୍ରତି ସୁନିଶ୍ଚିତ କରିବାକୁ ଓ ଗ୍ୟାସ ମହଜୁଦ ଥିବା ଫଳକ ଗୋଦାମ, ଅଫିସ ସାମ୍ନାରେ ଟାଙ୍ଗିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ଗ୍ୟାସ ଏଜେନ୍ସିଙ୍କୁ ପରାମର୍ଶ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.