ବାଲେଶ୍ୱରରେ ରାମଚନ୍ଦ୍ର ପଣ୍ଡା ଏଜୁକେସନ ଟ୍ରଷ୍ଟ ଓ ‘ନାଚ୍’ ନୃତ୍ୟାନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେଲା ଗଣିତ ବୃତ୍ତି ପରୀକ୍ଷା ଓ ସାଂସ୍କୃତିକ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାମଚନ୍ଦ୍ର ପଣ୍ଡା ଏଜୁକେସନ ଫାଉଣ୍ଡେସନ ଟ୍ରଷ୍ଟ (RPEFT), ବାଲେଶ୍ୱର ଓ ପ୍ରମୁଖ ନୃତ୍ୟ ପ୍ରତିଷ୍ଠାନ ‘ନାଚ୍’ର ମିଳିତ ସହଭାଗିତାରେ ଗଣିତ ବୃତ୍ତି ପରୀକ୍ଷା ଓ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର ଉଦ୍‌ଯାପନୀ ସଭା ନାଚ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କର ୧୧୨ତମ ଜନ୍ମଜୟନ୍ତୀ ମଧ୍ୟ ପାଳିତ ହୋଇଛି। ପର୍ଯ୍ୟାୟକ୍ରମେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଶିକ୍ଷାର୍ଥୀମାନଙ୍କ ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ, ଭଜନ ଗାୟନ ଓ ଭଜନ ଆଧାରିତ ନୃତ୍ୟ ସହିତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ ତିନିଜଣ ବିଜେତାଙ୍କୁ ଏହି ସଭାରେ ସମ୍ମାନିତ କରାଯାଇଥିଲା। ପ୍ରଖ୍ୟାତ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଶ୍ରୀ ନାରାୟଣ ପଣ୍ଡା ଟ୍ରଷ୍ଟର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ସମାଜରେ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ପ୍ରଚାର-ପ୍ରସାର ଉପରେ ଜୋର୍ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ରସାଳପୁର କଲେଜର ପୂର୍ବତନ ପ୍ରଧାନାଚାର୍ଯ୍ୟା ଶ୍ରୀମତୀ କବିତା ପଣ୍ଡା ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଜୀବନ ଓ ଆଦର୍ଶକୁ ଉଜାଗର କରି କହିଥିଲେ ଯେ ସେ ଜଣେ ଆଦର୍ଶ ଶିକ୍ଷକ, ସଙ୍ଗୀତଜ୍ଞ ଓ ଅଭିନେତା ହେବା ସହିତ ସମାଜ ସୁଧାରକ ମଧ୍ୟ ଥିଲେ, ଯିଏ ନାରୀ ଶିକ୍ଷାର ପ୍ରସାର ଓ ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରୁଣାଂଶୁ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ‘ନାଚ୍’ ଡାନ୍ସ ଇନ୍‌ଷ୍ଟିଟ୍ୟୁଟ୍‌ର ନିର୍ଦ୍ଦେଶିକା ଓ ନୃତ୍ୟଶିଳ୍ପୀ ଶ୍ରୀମତୀ ରୋନାଲିସା ପଣ୍ଡା ସୁଚାରୁରୂପେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରିଥିଲେ। ଗଣିତ ବୃତ୍ତି ପରୀକ୍ଷାରେ ସଫଳ ମେଧାବୀ ଶିକ୍ଷାର୍ଥୀମାନଙ୍କୁ ନଗଦ ପୁରସ୍କାର, ସନନ୍ଦପତ୍ର ଓ ମେମେଣ୍ଟୋ ଦିଆଯାଇଥିବା ବେଳେ ସାଂସ୍କୃତିକ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ସନନ୍ଦପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.