କୃଷି ବିଭାଗ ପକ୍ଷରୁ ୧ଲକ୍ଷ ୫୯ହଜାର ୮୫୧ମେଟିକ୍ର ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ
ଓଏସସିଏସସି ପକ୍ଷରୁ ୧୪ଟି ପ୍ୟାକ୍ସ ମାଧ୍ୟମରେ ୩୬ଟି ଧାନମଣ୍ଡିରୁ ଲ୍ୟାମ୍ପସ ଓ ଏମପିସିଏସ ଜରିଆରେ ଧାନ କ୍ରୟ କରାଯିବ
ରାୟଗଡ,୨/୧୧ : ରାୟଗଡ ଜିଲ୍ଳାରେ ଚଳିତ ଖରିଫ ଋତୁ ୨୦୧୯-୨୦ବର୍ଷ ପାଇଁ ଧାନ ସଂଗ୍ରହ ନିମନ୍ତେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା କକ୍ଷରେ ଶୁକ୍ରବାର ଦିନ ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ତଥା ଗୁଣପୁର ଏସିସିଓ ବ୍ରଜେନ୍ଦ୍ର କୁମାର ନାୟକ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ପ୍ରଶାସନ ତରଫରୁ କି ପ୍ରକାର ବ୍ୟବସ୍ଥା କରାଯାଇଛି ସେଗୁଡିକ ଉପରେ ଆଲୋକପାତ କରିବା ସହ ମିଲର୍ସ ଓ ଚାଷୀମାନେ ମଣ୍ଡି ସମୟରେ ଭୋଗୁଥିବା ବିଭିନ୍ନ ସମସ୍ୟାଗୁଡିକର ସମାଧାନ ପାଇଁ ମତାମତ ମାଗିଥିଲେ । ଜିଲ୍ଳା ମିଲର୍ସ ସଂଘ ପକ୍ଷରୁ ଖୋଲାମଣ୍ଡି ଗୁଡିକରେ ପ୍ଳାଟଫର୍ମ ନିର୍ମାଣ କରିବା, ଗ୍ରେଡ ଏ’ଧାନ (ଏଫଏକ୍ୟୁ)ନିର୍ଦ୍ଧାରଣ ପାଇଁ ଆନାଲାୟିଷ୍ଟ ନିଯୁକ୍ତ କରିବା, ଗୁଣପୁର ଉପଖଣ୍ଡରେ ଥିବା ଅନେକ ମଣ୍ଡିଗୁଡିକରେ ଗୋଦାମ ଗୃହ ନ ଥିବାରୁ ତାହାର ବ୍ୟବସ୍ଥା କରିବା, ସହ ଟ୍ରାନ୍ସପୋର୍ଟସେନ୍ ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବା ଆଦି ଅନ୍ୟାନ୍ୟ ବିଷୟଗୁଡିକ ଉପରେ ପ୍ରକାଶ କରିଥିଲେ । ସେହିପରି ଚାଷୀଭାଇମାନେ ମଣ୍ଡିରେ ଆନୁସାଙ୍ଗିକ ବ୍ୟବସ୍ଥା କରିବା ସହ ଖୋଲା ମଣ୍ଡିଗୁଡିକରେ ଧାନକୁ ସୁରକ୍ଷିତ ରଖିବା ପାଇଁ ପଲିଥିନର ବ୍ୟବସ୍ଥା କରିବା ସହ ପଂଜୀକରଣରୁ ବାଦ ପଡିଥିବା ଚାଷୀମାନଙ୍କୁ ଯଥାଶୀଘ୍ର ସାମିଲ କରିବା ପାଇଁ କୁହାଯାଇଥିଲା । ଚଳିତ ଖରିଫ ଋତୁରେ ଜିଲ୍ଳାରେ ୬୦,୨୦୦ମେଟ୍ରିକ ଟନ ଚାଉଳ ଉତ୍ପାଦନର ଲକ୍ଷ୍ୟ ରହିଥିବା ବେଳେ ଏଥି ନିମନ୍ତେ ୮୯,୮୫୧ମେଟ୍ରିକ ଟନ ଧାନ ସଂଗ୍ରହ ହୋଇପାରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଉପ ନିର୍ଦ୍ଦେଶକ, କୃଷି ବିଭାଗ ପକ୍ଷରୁ ୧ଲକ୍ଷ ୫୯ହଜାର ୮୫୧ମେଟିକ୍ର ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ପରି ଓଏସସିଏସସି ପକ୍ଷରୁ ୧୪ଟି ପ୍ୟାକ୍ସ ମାଧ୍ୟମରେ ୩୬ଟି ଧାନମଣ୍ଡିରୁ ଲ୍ୟାମ୍ପସ ଓ ଏମପିସିଏସ ଜରିଆରେ ଧାନ କ୍ରୟ କରାଯିବ । ଏଥି ନିମନ୍ତେ ରାୟଗଡ ଓ ଗୁଣପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରତ୍ୟେକ ଧାନମଣ୍ଡିଗୁଡିକରେ ଓଜନ ବ୍ୟବସ୍ଥା,ଧାନ ଜମା ପାଇଁ ସ୍ଥାନ, ମିନି ଗ୍ରାଡେର, ଆଦ୍ରତା ଯନ୍ତ୍ର, ଆନାଲାଇସିଜ କିଟ, ପର୍ଯ୍ୟାପ୍ତ ପରିମାଣର ପଲିଥିନ ସିଟ୍, ବସିବା ପାଇଁ ବ୍ୟବସ୍ଥା, ଖୋଲା ମଣ୍ଡିରେ ଧାନ ରଖିବା ବ୍ୟବସ୍ଥା ଓ ପାନୀୟ ଜଳର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଚଳିତ ବର୍ଷ ସରକାରଙ୍କ ନୂଆ ନିୟମ ପ୍ରକାରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ଅନଲାଇନ ମାଧ୍ୟମରେ ୨୪ରୁ ୪୮ଘଂଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପୈଠ କରିବାର ବ୍ୟବସ୍ଥା ରଖାଯାଇଛି । ମିଲର୍ସମାନଙ୍କ ମୋବାଇଲକୁ ଚାଉଳ ପ୍ରଦାନ ନେଇ ମୋବାଇଲ ମାଧ୍ୟମରେ ଅବଗତ କରାଯିବ ବୋଲି ବୈଠକରେ କୁହାଯାଇଥିଲା । ସେହିପରି ଗତବର୍ଷ ୧୭୯୭୯ଜଣ ଚାଷୀ ଅନଲାଇନ ମାଧ୍ୟମରେ ପଂଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ୧୬୪୧୬ ଜଣ ଚାଷୀ ନିଜ ନାମ ଧାନ ବିକ୍ରୟ ନିମନ୍ତେ ପଂଜୀକୃତ କରିଥିବା ବେଳେ ରାୟଗଡ ଓ ଗୁଣପୁର ଉପଖଣ୍ଡରେ ଏକ ପ୍ରଚାର ରଥ ସଚେତନତା ନିମନ୍ତେ ବୁଲିବ ବୋଲି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଡଃ.ପୁରୁଷୋତମ ଗମାଙ୍ଗ,ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ଙ୍କ ସମେତ ଆରଏମସି ଅଧିକାରୀ, ମିଲର୍ସ ସଂଘର ସଭାପତି କାଶୀ ନାଇଡୁ, ଉପସଭାପତି ଏଲ.ଶ୍ରୀଧର,ସମସ୍ତ ବ୍ଳକର ଯୋଗାଣ ନିରୀକ୍ଷକ, ଚାଷୀ, ଲ୍ୟାମ୍ପସ ଅଧିକାରୀ, ଟିଡିସିସି, ଏଆରସିସି, ଏମପିସିଏସ,ଏଫସିଆଇ, କେସିସି ଓ କେପିଜି ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।