ସାପ କାମୁଡ଼ାରେ ମା ଓ ପୁଅଙ୍କ ମୃତ୍ୟୁ ଘଟଣା : ଗାଁକୁ ଯାଇ ପରିବାରକୁ ଭେଟିଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଓ ପିଇଓ

ଲାଞ୍ଜିଗଡ,୨୧/୭: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସୋରଗୁଡା ଗ୍ରାମର ଗଦନ ମାଝୀଙ୍କ ସ୍ତ୍ରୀ ଓ ପୁଅ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ମୁଖରେ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ଓ ଗ୍ରାମପଞ୍ଚାୟତ ପିଇଓ ଅଲେଖ ବିଶି ସୋରଗୁଡା ଗ୍ରାମକୁ ଯାଇ ମୃତକମାନଙ୍କ ପରିବାରକୁ ଚାଉଳ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଆର୍ଥିକ ସହଯୋଗ ଯୋଗାଇ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ସୋରଗୁଡା ଗ୍ରାମର ଗଦନ ମାଝୀଙ୍କ ସ୍ତ୍ରୀ ଲେଲା ମାଝୀ (୩୫) ଓ ନାବାଳକ ପୁଅ ଦୀପକ ମାଝୀ (୭) ଶନିବାର ଶୋଇଥିବା ବେଳେ ରାତ୍ରି ୩ ଘଣ୍ଟା ସମୟରେ ଏକ ବିଷାକ୍ତ ସାପ ପ୍ରଥମେ ମା’କୁ କାମୁଡିବା ପରେ ସେ ସାପକୁ ଫିଙ୍ଗି ଦେଇଥିଲା । ସାପ ପୁଅ ଦୀପକ ପାଖରେ ପଡିଯାଇ ତାକୁ କାମୁଡି ଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ ରାତିରେ ଦୁହିଁଙ୍କୁ ମେଡିକାଲ ନେବା ସମ୍ଭବ ହୋଇପାରିନଥିଲା। ରବିବାର ସକାଳେ ଲେଲା ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଦୀପକକୁ ଧରି ଗାଁଠାରୁ ୫ କିମି ଚାଲିଲା ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନେଇଥିଲେ। ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସନ୍ଧ୍ୟା ସାଢ଼େ ୪ ଟାରେ ପହଞ୍ଚାଇ ଥିଲେ। ମେଡିକାଲ ରେ ପ୍ରାଥମିକ ଚିକିତ୍ସା ଚାଲିଥିବା ସମୟରେ ସନ୍ଧ୍ୟା ୬.୧୫ରେ ଦୀପକଙ୍କ ମୃତ୍ୟୁ ଘଟିଥିଲା। ସୋମବାର ଶବ ବ୍ୟବଚ୍ଛେଦ ହୋଇଥିଲା। ଅନ୍ୟ ପଟେ ଗାଁରେ ରବିବାର ସକାଳେ ଗଦନଙ୍କ ସ୍ତ୍ରୀ ଲେଲାଙ୍କ ଶବକୁ ଦାହ କରି ଦେଇଥିଲେ। ପାଞ୍ଚ ବର୍ଷର ଶିଶୁ କନ୍ୟା ରୁବିତା ମାଝୀ ମା ପାଖରେ ଶୋଇ ଥିଲେ ମଧ୍ୟ ବିଷାକ୍ତ ସାପରୁ ରକ୍ଷା ପାଇଥିଲା। ଏହି ଘଟଣାପରେ ପରିବାରବର୍ଗ ସନ୍ତାପ ଭିତରେ ରହିଥିବା ସମୟରେ ସେମାନଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇ ଦେବାସହ ସମବେଦନା ଜ୍ଞାପନ କରିଛନ୍ତି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ ନିଲେଶଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.