କରୋନା ଟେଷ୍ଟ ପାଇଁ ଆସିଥିବା ଟିମକୁ ୧ ଘଣ୍ଟା ଧରି ଅଟକ ରଖିଲେ ଅଞ୍ଚଳବାସୀ
ଲାଞ୍ଜିଗଡ଼,୩୦/୭: ବୁଧବାର କଳାହାଣ୍ଡି ଜିଲ୍ଲାରେ ୨୬ ଜଣ କରୋନା ପଜିଟିଭ ହୋଇଥିବା ବେଳେ ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପରେ ୨୪ ଜଣ ଚିହ୍ନଟ ହୋଇଥିଲା। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଗୁରୁବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବେଦାନ୍ତ ଟାଉନସିପକୁ କରୋନା ଟେଷ୍ଟ କରିବା ନିମନ୍ତେ ଯାଉଥିବା ବେଳେ ଲାଞ୍ଜିଗଡ଼ଠାରେ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା।
ଅଞ୍ଚଳର ଲାଞ୍ଜିଗଡ଼, ଛତ୍ରପୁର, ବସନ୍ତପଡା ଓ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ଲୋକଙ୍କ କହିବା ଅନୁସାରେ ଯେଉଁ ମାନଙ୍କ ପଜିଟିଭ୍ ଚିହ୍ନଟ ହୋଇଛି ସେମାନଙ୍କ ଆଖ ପାଖରେ ଏହି ଚାରିଗୋଟି ପଞ୍ଚାୟତର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଅଣଦେଖା କରି ବେଦାନ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରି ଯାଉଥିବା ବେଳେ ଲାଞ୍ଜିଗଡ଼ ଠାରେ କଳାହାଣ୍ଡି ଏଡିଏମ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ମେଡିକାଲ ଅଫିସର ଇନ୍ଦ୍ର କୁମାର ନାଥାନୀ ଓ ଦୁଇ ଗୋଟି କରୋନା ଟେଷ୍ଟ ପାଇଁ ଆସିଥିବା ଟିମକୁ ୧ ଘଣ୍ଟା ଧରି ଅଟକ ରଖିଥିଲେ।
ଲାଞ୍ଜିଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ବୁଝାବଣା ହୋଇଥିଲା। ଗୋଟିଏ ଟିମ ବେଦାନ୍ତ ଟାଉନସିପକୁ ଯାଇଥିବା ବେଳେ ଅନ୍ୟ ଏକ ଟିମ ଲାଞ୍ଜିଗଡ଼ ଅଞ୍ଚଳର ଚାରିଗୋଟି ପଞ୍ଚାୟତରେ ଗାଁଗାଁ ବୁଲି ଲୋକଙ୍କ ସ୍କିନିଙ୍ଗ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅନ୍ୟପଟେ ଲାଞ୍ଜିଗଡ଼ଠାରେ ଲୋକଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଥିଲା।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in