କଳାହାଣ୍ଡି: ଗତ ୨୦୧୮ ମସିହା ମାର୍ଚ ମାସ ୨୪ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ବଡଡ଼ୁଙ୍ଗୁରୀଗୁଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରର ଛାତ ପକାଉଥିବା ବେଳେ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉକ୍ତ ଗ୍ରାମର ମିସ୍ତ୍ରୀ ସରୋଜ ବାଗ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏ ନେଇ ଭବାନୀପାଟଣାର ମାନବାଧିକାର କର୍ମୀ ଦିଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଅଭିଯୋଗ କରିଥିଲେ । ଏ ନେଇ କମିଶନ ଏକ ମାମଲା ରୁଜୁ କରି ତଦନ୍ତ କରି ଗତ ୨୪ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କୁ ମୃତକ ସରୋଜ ବାଗଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପୈଠ କରିବା ସହ ୬ ସପ୍ତାହ ମଧ୍ୟରେ ରିପୋର୍ଟ (ଅର୍ଥ ପୈଠ ର ପ୍ରମାଣ ସହ) କମିଶନଙ୍କ ଠାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶଥାଉକି ମୃତ ସରୋଜ ବାଗଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରୋଜ ହିଁ ମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଖୁବ ଅଳ୍ପ ବୟସରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଅକାଳ ମୃତ୍ୟୁରେ ପଡିବାପରେ ପରିବାର ଅସହାୟ ହୋଇ ପଡ଼ିଥିଲେ । ଏନେଇ ଗଣମାଧ୍ୟମରେ ମଧ୍ୟ ଉକ୍ତ ପରିବାରର ସ୍ଥିତି ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ମାନବାଧିକାର କମିଶନ ଏଇ ରାୟ ଶୁଣାଇଥିବାରୁ ଅଭିଯୋଗକାରୀ ମାନବାଧିକାର କର୍ମୀ ଦିଲୀପ ଦାସଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in