“ଝରିରେ ଝରା ଦେବଗିରିର ପଥର
ମୁଇଁ ପରେ ତୋର ସାନ ଦିଅର….
ମୁଇଁ ପରେ ତୋର ସାନ ଦିଅର….
ଝରିରେ ଝରା
କେବେ ନକରିବୁ ପର
ରଶ ଭରନାରେ ନକରିବୁ ପାସୁ ଦୂର
ଗେହ୍ଲେଇ ବହୁଗା ନକରିବୁ କେବେ ପର……।।”
ପଶ୍ଚିମ ଓଡିଶାର ବିବାହ ସଂସ୍କାରରେ “ଗଣା ବଜା” ବା “ଡମ୍ ବଜା” ଏକ ଅଭିନ୍ନ ଅଙ୍ଗ । ପଞ୍ଚ ବାଦ୍ୟର ସମାହାରରେ ଅନୁଷ୍ଠିତ ହେଉଥିବା ଏହି ବାଦ୍ୟ ବିବାହର ପୂର୍ବଦିନ ରାତିରେ “ବଜାସାଲ୍” ନାମରେ ନାମିତ ହୋଇଥାଏ । ‘ବଜାବସା’ ରୁ ‘ବଜାସାଲ୍’ । ବଜାସାଲରେ ପରିବେଷିତ ହେଉଥିବା ବିଭିନ୍ନ ଗୀତ ମାନଙ୍କ ମଧ୍ୟରୁ ଜାଇଫୁଲ, ମାଏଲାଜାଡ, ରଶରକେଲି, ଚପକରାଟି, ଛଡରଶ ଆଦି ପ୍ରଧାନ । ଏହି ଗୀତ ତଥା ଅନ୍ୟଗୀତ ମାନଙ୍କୁ ନେଇ ଗୀତ ଜୁରାଜୁରୀ ଚାଲିଥାଏ । ଏହି ଲୋକଗୀତ ମଧ୍ୟରେ ପଶ୍ଚିମାଞ୍ଚଳର ସରଳ ଗ୍ରାମ୍ୟ ଜୀବନର କଥା ପରିଦୃଷ୍ୟ ହୋଇଥାଏ । ସେହି ସମୟରେ ପୁରୁଷ ଓ ନାରୀ ମାନଙ୍କ ମଧ୍ୟରେ ଗୀତ ଜୁରା ହେଉଥିଲା ।
ବଜାସାଲ୍ ରେ ଖେତା ସଂପର୍କ ଓ ପ୍ରେମ ପ୍ରଣୟର ଗାଥା ଗୀତର ରୂପ ନେଇ ସୁନ୍ଦର ଭାବେ ପରିବେଷିତ ହୋଇଥାଏ । ଏହା ଦିଅର-ଭାଉଜ , ମାମୁର ଝିଅ, ପିଉଷୀ ( ନନା ) ର ଝିଅ ଅଦିକୁ ନେଇ ଅଧୀକ ରସାଣିତ ହୋଇଥାଏ । ଉପରୋକ୍ତ ଗୀତରେ ଭାଉଜ ( ସ୍ଥାନୀୟ ଭାଷାରେ ‘ବଉ’)କୁ ପ୍ରାଣ ଭରି ଭଲ ପାଉଥିବା ଏକ ରଶିକିଆ ଦିଅରର ମନ ଗହନର କଥାକୁ ଉପସ୍ଥାପନା କରାଯାଇଛି । ଏହି ଗୀତ ମଧ୍ୟରେ ଆମେ ନିଷ୍କପଟ ପ୍ରେମର ଧାରା ଦେଖିବାକୁ ପାଇବା ।
ଦିଅରର ନିଷ୍କପଟ ଭଲ ପାଇବା ଭାଉଜର ମନକୁ ଆମୋଦିତ କରୁଥାଏ । ସେହି ନବ ଯୌବନାବତୀ ରମଣୀ ପରିବାରର ସମସ୍ତଙ୍କ ସେବା ଜତ୍ନ ନେଉଥିବା ବେଳେ ଦିଅର ପ୍ରତି କୌଣସୀ ଏକ ଅଜଣା ସମ୍ମୋହନରେ ଟାଣି ହୋଇ ଯାଇଥାଏ । ଏକଥା ବଜାସାଲରେ —
“ଝରିରେ ଝରା ମଡାରେ ଭରିଲି ପୁର
ତମେ ପରେ ମୋର ସୁନା ଦିଅର
ତମେ ପରେ ମୋର ସୁନା ଦିଅର
ଝରିରେ ଝରା
ବୁହିବ ଗୁରସ ଭାର….
ରଶିଆ ପିଲାରେ ନାଇଁ ହୁଅ ହରବର…
।।”
ଦିଅର ଭାଉଜଙ୍କ ଏହି ପ୍ରିତିଭରା କଥାକୁ ନେଇ ଗତିଶିଳ ହେଉଥିବା ବଜାସାଲର ପ୍ରକୃତ ମାଧୁର୍ଯ୍ୟ ଆସେ ଯେତେବେଳେ ସେଠାରେ ଉପସ୍ଥିତ ସମସ୍ତ ଯୁବତୀଙ୍କ ପଟକୁ ଗୀତର ତୀର ଛଡାଯାଏ ଏପରି ଏକ ବଜାସାଲିଆ ଗୀତ—-
“ଝରିରେ ଝରା ମଲିଫୁଲ ଦନାଦନା
କେନ ମଲିଫୁଲେ କେନ ବାସନା
କେନ ମଲିଫୁଲେ କେନ ବାସନା
ଝରିରେ ଝରା
ମାଖିଲେ ଜାନିବୁ ସିନା……..।।”
ବଜାସାଲ୍ ବ୍ୟତିରେକ ବିବାହ ସଂସ୍କାରର ଏକ ଅଭିନ୍ନ ଅଙ୍ଗ ‘ଦୁର୍ଲାନଚା’ରେ ମଧ୍ୟ ଦିଅର ଭାଉଜଙ୍କ ଗାଥା ଦେଖିବାକୁ ମିଳିଥାଏ। ବର ଅବା କନ୍ୟାକୁ ପର୍ଲାରେ ବସାଇ ସାତ ସଁତେନମାନେ ଦୁର୍ଲାନଚା ଗୀତ ଗାନ କରିଥାନ୍ତି। ଜଣେ ଯୁବକ ପ୍ରତି ତା’ର ଭାଉଜର ମନୋଭାବକୁ ନେଇ ଏମିତି ଏକ ଦୁର୍ଲାନଚା ଗୀତ –
“ସୁରୁ ସୁରୁ କୁହୁଁରିଆ କାଠିକେ ଆଁଠି ଆଁଠି ବାଟ
ସେ ଆଁଠି ଆଁଠି ବାଟରେ ବଉଲ
ସେ ଆଁଠି ଆଁଠି ବାଟରେ ବଉଲ….
ଘରେ ଥିଲା ଦିଅରକେ ଦୁଦୁ ଚୁରା ଦିଅ
ସେ ଦୁଦୁ ଚୁରା ଦିଅରେ ବଉଲ
ସେ ଦୁଦୁ ଚୁରା ଦିଅରେ ବଉଲ….
ପରା ବୁଲା ବାବୁକେ ଗୋଡ ସଁରେଇ ନିଅ
ସେ ଗୋଡ ସଁରେଇ ନିଅରେ ବଉଲ
ସେ ଗୋଡ ସଁରେଇ ନିଅରେ ବଉଲ…..।।”
ନିଜ ଦିଅରକୁ ଗଭୀର ଭାବରେ ଭଲ ପାଉଥିବା ଭାଉଜ ଅନେକ ସମୟରେ ତା’ର ଦିଅରକୁ ଆକଟରେ ରଖିଥାଏ। ଏକଥା ଲୋକଗୀତରେ –
ବାଟର କୁଲୁତା ବୁଟା ସେ ବାଟରେ କୁଲୁତା ବୁଟାରେ ବଉଲ
ସେ ବାଟର କୁଲୁତା ବୁଟାରେ ବଉଲ….
ଇ କାଲି ମିଟିମିଟା ପଛରେ ଥିଲା ବାଗ୍’ଧରା କାହିଁ ଗଲା
ସେ ବାଗ୍’ଧରା କାହିଁ ଗଲାରେ ବଉଲ
ସେ ବାଗ୍’ଧରା କାହିଁ ଗଲାରେ ବଉଲ…….।।”
ପ୍ରେମ କେତେବେଳେ ସ୍ବକିୟ ତ କେତେବେଳେ ପରକିୟ। ପରକିୟା ପ୍ରେମ କଣ୍ଟକିତ, କଳଙ୍କମୟ। କିନ୍ତୁ ଏପରି ଲୁଚା ଛପା ପ୍ରେମ ଅଧିକ ଆକର୍ଷଣୀୟ ହୋଇଥାଏ। ସାମାଜିକ ବାଡ ବନ୍ଧନକୁ ପାଦରେ ଆଡେଇ ଦେଇ ଦିଅର ପ୍ରେମରେ ମସଗୁଲ୍ ଥିବା ଜଣେ ଯୁବତୀକୁ ଲକ୍ଷ୍ୟକରି ବଜାସାଲ୍ ରେ ଜଣେ ଯୁବକ ଗାନ କରୁଛି –
“ଜାଇଫୁଲରେ ଆରେ ଜାଇଫୁଲ ବାଟରେ ହାଜିରି ଘର…
ତୁଳସି ପତରେ କିରିଆ କର
ତୁଳସି ପତରେ କିରିଆ କର…
ଜାଇଫୁଲରେ ଜଲେ ଜାଇ ବୁଡିମର
ଆରେ ଜାଇଫୁଲରେ ଜଲେ ଜାଇ ବୁଡିମର…….।
ଆରୁ ପଦେ କହୁ ଲୁସୁକୁ ଲୁସା
ଆରୁ ପଦେ କହୁ ଲୁସୁକୁ ଲୁସା
ରଶାଲି ସେଥିରେ ବେଲ ବୁଡେ ଅଁଟାଦୁଖା….
ସତେ ଜାଇଫୁଲ ଦିଅର ବନ୍ଧର ରଜା
ଆହା ଜାଇଫୁଲ ଖାଉଚେ ଖଣ ଖିରିସା
ସତେ ଜାଇଫୁଲ ଖାଉଚେ ଖଣ ଖିରିସା……।।”
ଆଧୁନିକତାର ମାୟାରେ ବଜାସାଲ୍ ଧୀରେ ଧୀରେ ଆମ ଜନଜୀବନରୁ ଆପସରିତ ହୋଇଯାଉଛି । ଏଣୁ ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ହେବା ଜରୁରୀ ହୋଇପଡିଛି । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ଡମ୍ କଳାକାର ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦେଲେ ପଶ୍ଚିମ ଓଡ଼ିଶା ମାଟିର ମହାନ ବିଭବ ‘ଡମ୍ ବଜା’ ବା ‘ଗଣାବଜା’ ବଞ୍ଚିରହିବା ସହ ସାଂସ୍କୃତିକ ଧାରା ବଜାୟ ରୁହନ୍ତା ।
✍️ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ, ‘ଓଡିଆ ବାର୍ତ୍ତା’
Click here to get 24×7 News & Views alerts
https://facebook.com/odiabarta