ପେନକାମ ପଂଚାୟତ ଚାଷୀଙ୍କ ବୈଠକ : ସରକାରଙ୍କ ନଜରକୁ ଚାଷୀ ସମସ୍ୟା ଆଣିବାକୁ ପ୍ରୟାସ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଝରା ଗ୍ରାମର ଗୋଷ୍ଠିଖଳା ଗୃହରେ ପେନକାମ ପଂଚାୟତର ଶତାଧିକ ଚାଷୀ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।ସେମାନେ ପ୍ରକାଶ କରିଥିଲେ ଯେ, ଦଲାଲ, ସାହୁକାର, ବେପାରୀ ଓ ଏପରିକି ସରକାରଙ୍କ ଦ୍ୱାରା ମଧ୍ୟ ବାରମ୍ବାର ଶୋଷିତ ହେଉଛନ୍ତି। ଫସଲର ଉପଯୁକ୍ତ ମୁଲ୍ୟ ମିଳିପାରୁନି। ଧାନମଣ୍ଡିକୁ ଧାନ ବିକ୍ରି କରିବାକୁ ନେଲେ ଟାର୍ଗେଟ ସରିଯାଇଛି କହି ୩୦୦ଟଙ୍କା କମ ଦରରେ ମାଗୁଛନ୍ତି, ସେହିପରି କପାମଣ୍ଡିକୁ କପାନେଲେ ୫୦୦ଟଙ୍କା କମରେ ମାଗୁଛନ୍ତି।

ନେବା ଆଣିବା ଭଡ଼ା ଲାଗିବା ଡରରେ ବାଧ୍ୟହୋଇ କମ ଦରରେ ବିକିବାକୁ ପଡୁଛି। ମଣ୍ଡିରେ ଫସଲର ଜଳୀୟଅଂଶ ଅଧିକ କହି ମିଲମାଲିକମାନେ ଓଜନରେ ଅଧିକ ନେଉଛନ୍ତି। ସାର କଳାବଜାରୀରେ ଅତିଷ୍ଠ ହେଉଛନ୍ତି ଚାଷୀ, ଠିକ୍ ସମୟରେ ସାର ନ ମିଳିବା, ସାର ପାଇଁ ବାରମ୍ବାର ଦୌଡ଼ିବା ଫଳରେ ଚାଷ କାମ ଠିକରୂପେ ହୋଇପାରୁନାହିଁ। ଚଢ଼ା ଦରରେ ସାର ଓ କୀଟନାଶକ କିଣିବା ଫଳରେ ସେମାନଙ୍କ କ୍ଷତି ଭରଣା ହେଉନାହିଁ। ଋଣବୋଝରେ ଚାଷ ଛାଡି ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ସାର ଓ କୀଟନାଶକ ବିକ୍ରି ଉପରେ କୃଷିବିଭାଗ କିମ୍ବା ପ୍ରଶାସନର କୌଣସି ଅଙ୍କୁଶ ନାହିଁ।

ଏହିସବୁ ସମସ୍ୟା ଦୂର କରିବାକୁ ପେନକାମ ଚାଷୀ ଆଗାମୀ ଦିନରେ ରାମନାଗୁଡା ବ୍ଲକର ସମସ୍ତ ପଂଚାୟତରେ ବୈଠକ କରି ବ୍ଲକ ସ୍ତରୀୟ କମିଟି ଗଠନ କରି ଚାଷୀଙ୍କ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ଏହି ବୈଠକରେ ଅଗ୍ରଣୀ ଚାଷୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବୀନ ପିପଳି ସଭାପତିତ୍ୱ କରିଥିବା ବେଳେ ପେନକାମ ସରପଞ୍ଚ ସମ୍ବରା ଶବର ଉପସଭାପତି ଏବଂ ଯୋଗେନ୍ଦ୍ର ନେମାଲିପୁରିଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.