କବିତା ସଂକଳନ ‘ଦ ଟାଇନି ଏଷ୍ଟ୍ରୋନଟ୍’ ଓ ‘କଥା କାଦମ୍ବରୀ’ ଉନ୍ମୋଚିତ

କଳାହାଣ୍ଡି (କ୍ଷମାନିଧି ମହାକୁଡ): କଳାହାଣ୍ଡିର ଅଗ୍ରଣୀ କଳା ସଂସ୍କୃତି ସଂସ୍ଥା ‘କଳାୟନ’ ପକ୍ଷରୁ ତରୁଣ କବି ଅମ୍ଳାନ ଅକ୍ଷୟାଂଶୁ ସାହୁଙ୍କ ପ୍ରଥମ ଇଂରାଜୀ କବିତା ସଂକଳନ ‘ଦ ଟାଇନି ଏଷ୍ଟ୍ରୋନଟ୍’ ଓ ବିଶିଷ୍ଟ କବି ଡା. ଦୀନବନ୍ଧୁ ସାହୁଙ୍କ ପଞ୍ଚମ ଓଡ଼ିଆ କବିତା ସଂକଳନ ‘କଥା କାଦମ୍ବରୀ’ ଉନ୍ମୋଚନ ସହ ‘ୱିନ୍-କରୋନା ମୁଭମେଣ୍ଟ’ ଶୀର୍ଷକ ଚିତ୍ରକଳା ସମାଗମ ଆୟୋଜିତ ହୋଇଯାଇଛି। ଭବାନୀପାଟଣା ସ୍ଥିତ ଅମଲା ଭବନ ପରିସରରେ ଆୟୋଜିତ ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ସତ୍ୟ ପଟ୍ଟନାୟକ, ମୁଖ୍ୟବକ୍ତା ନାଟ୍ୟକାର ଉମେଶ ଶତପଥୀ, ସମ୍ମାନିତ ଅତିଥି ଅଧ୍ୟାପକ ତପନ ରଥ, ପ୍ରତାପ ଚନ୍ଦ୍ର ଦାସ, ପ୍ରଜାରଞ୍ଜନ ପଣ୍ଡା, ଡ. ଅରୁଣ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସଭାପତିତ୍ୱ କରିଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ଲୋକନାଥ ସାହୁ। ସଭା ପରିଚାଳନା କରିଥିଲେ ଅତିଥି ଅଧ୍ୟାପିକା ସୁଶ୍ରୀ ବିଦିଶା ମୁଣ୍ଡ। ଏହି ଅଧିବେଶନରେ ଇଂରାଜୀ ପୁସ୍ତକ ଉନ୍ମୋଚନ ସହ ‘ସାଂପ୍ରତିକ ସମୟର ଇଂରାଜୀ ସାହିତ୍ୟ ଓ ସୃଜନଶୀଳତା’ ବିଷୟ ଉପରେ ଆଲୋଚନା ହୋଇଥିଲା। ପୁସ୍ତକ ସମ୍ପର୍କରେ କବି ଅମ୍ଳାନ ଅକ୍ଷୟାଂଶୁ କହିଥିବା ବେଳେ ପୁସ୍ତକର କିଛି କବିତା ଆବୃତ୍ତି କରିଥିଲେ ସୁମନ୍ ପ୍ରିୟଦର୍ଶିନୀ ସାହୁ, ରୋଜଲିନ୍ ତ୍ରିପାଠୀ ଓ ସ୍ୱାଗତିକା ଶତପଥୀ। କବିଙ୍କ ମାତାପିତା ଡା. ନିବେଦିତା ସାହୁ ଓ ଡା. ଦୀନବନ୍ଧୁ ସାହୁଙ୍କ ସମେତ ଶିକ୍ଷୟିତ୍ରୀ ଚାରୁଲତା ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କୋଭିଡ-୧୯ରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ‘ୱିନ୍-କରୋନା ମୁଭମେଣ୍ଟ’ର କାଟାଲଗ୍ ଉନ୍ମୋଚିତ ହୋଇଥିଲା।

ସେହିପରି ଦ୍ଵିତୀୟ ଅଧିବେଶନରେ ଡା. ଦୀନବନ୍ଧୁ ସାହୁଙ୍କ କବିତା ସଂକଳନ ‘କଥା କାଦମ୍ବରୀ’ ଉନ୍ମୋଚନ ସହ ‘ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ମିଥ୍ ଓ ଜନଜୀବନର ଗୁରୁତ୍ୱ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ଔପନ୍ୟାସିକ ରାସବିହାରୀ ବେହେରା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ବକ୍ତା ଭାବରେ ଅଧ୍ୟାପକ ସତ୍ୟ ପଟ୍ଟନାୟକ, କବି ଅଖିଳ ନାୟକ, ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ଗାଳ୍ପିକ ସୁକାନ୍ତ ସାହୁ, କବି ସୁଶାନ୍ତ ଲେଙ୍କା ଯୋଗଦେଇଥିବା ବେଳେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଭା ସଂଯୋଜନା କରିଥିଲେ। ଉଦଯାପନୀ ବକ୍ତବ୍ୟ ରଖିଥିଲେ କବି ଡା. ଦୀନବନ୍ଧୁ ସାହୁ। ପୁସ୍ତକର କବିତଗୁଡିକୁ କବି ରାଜେଶ ମୁଣ୍ଡ, ବିଶ୍ୱରଂଜନ ପଣ୍ଡା, ହେମନ୍ତ ସାହୁ, ଜୟଦ୍ରଥ ସୁନା, ଯାଦବେନ୍ଦ୍ର ସାହା, ସୁମିତା ପଟ୍ଟନାୟକ, ଡିଲେଶ୍ୱର ରଣା ଓ ସିଦ୍ଧାନ୍ତ ନନ୍ଦ ଆବୃତ୍ତି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.