ଲକଡାଉନରେ ବି ମିଳିବ ମଦ

ବିୟର ଓ ଆଇଏମଏଫଏଲ୍ ମଦକୁ ସ୍ୱୀକୃତିପ୍ରାପ୍ତ ଖାଦ୍ୟଯୋଗାଣକାରୀ ସଂସ୍ଥା, ଟେକ୍ନୋଲୋଜି ପ୍ଲାଟଫର୍ମ ଓ ଡେଲିଭରି ସର୍ଭିସ ପ୍ରୋଭାଇଡର ଏବଂ ଆଇଏମଏଫଏଲ୍ ଅଫ୍ ଓ ଅନ୍ ସପ୍ ଲାଇସେନ୍ସଧାରୀଙ୍କ ଦ୍ୱାରା ହୋମ୍ ଡେଲିଭରି କରାଯିବ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟବ୍ୟାପୀ ୧୫ଦିନିଆ ଲକଡାଉନ୍ ଆରମ୍ଭ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏହି ଲକଡାଉନବେଳେ ମଦ ଦୋକାନ ବନ୍ଦ ରହିଲେ ବି ଲୋକମାନେ ଚାହିଁଲେ ହୋମ୍ ଡେଲିଭରିରେ ମଦ ମଗାଇ ପାରିବେ। ଲକଡାଉନବେଳେ ନକଲି ମଦ ବିକ୍ରିକୁ ରୋକିବା ନିମନ୍ତେ ରାଜ୍ୟ ସରକାର ଏଭଳି ଅନୁମତି ଦେଇଥିବା ଜଣାପଡ଼ିଛି। ସରକାରଙ୍କ ଏହି ଅନୁମତି ପରେ ଅବକାରୀ ବିଭାଗ ମଦର ହୋମ୍ ଡେଲିଭରି ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସଂକ୍ରାନ୍ତରେ ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ, କୋଭିଡ-୧୯ର ଲକଡାଉନ୍ ଗାଇଡଲାଇନ ଅନୁସାରେ ମେ’ ତାରିଖରୁ ରାଜ୍ୟରେ ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ସହ ମଦ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ। ତେବେ ମଦ ଦୋକାନଗୁଡ଼ିକ ବନ୍ଦ ରହୁଥିବାରୁ ଅସଲି ମଦ ମିଳିବା ବନ୍ଦ ହୋଇଯିବ ଓ ଏଥିଯୋଗୁ ଗ୍ରାହକମାନେ ବେଆଇନ ଭାବେ ପ୍ରସ୍ତୁତ ଚୋରା ମଦ କିଣିବାର ଆଶଙ୍କା ଅଧିକ ରହିଛି। ଯାହାକି ସେମାନଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ହାନିକାରକ ହେବ।

ପୂର୍ବରୁ ମଧ୍ୟ ମଦର ବ୍ୟାପକ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦର ହୋମ୍ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଖାଦ୍ୟଯୋଗାଣ କରୁଥିବା ସଂସ୍ଥା ଅବା ମଦ ବିକ୍ରି ଲାଇସେନ୍ସ ଥିବା ଦୋକାନୀମାନେ ଅନଲାଇନ୍ ବୁକିଂ ବା ଟେକ୍ନୋଲୋଜି ମାଧ୍ୟମରେ ଏହି ମଦର ହୋମ୍ ଡେଲିଭରି କରିପାରିବେ। ଗତବର୍ଷ କୋଭିଡ୍ ଲକଡାଉନବେଳେ ଟେକ୍ନୋଲୋଜି ଉପଯୋଗ କରି ମଦର ହୋମ୍ ଡେଲିଭରି କରାଯାଉଥିଲା। ମଦ ଯୋଗାଣକୁ ସୁନିଶ୍ଚିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମଦ ନିଗମର ଗୋଦାମଗୁଡ଼ିକ କାର୍ଯ୍ୟ କରିବ। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲକଡାଉନବେଳେ ବିୟର ଓ ଆଇଏମଏଫଏଲ୍ ମଦକୁ ସ୍ୱୀକୃତିପ୍ରାପ୍ତ ଖାଦ୍ୟଯୋଗାଣକାରୀ ସଂସ୍ଥା, ଟେକ୍ନୋଲୋଜି ପ୍ଲାଟଫର୍ମ ଓ ଡେଲିଭରି ସର୍ଭିସ ପ୍ରୋଭାଇଡର ଏବଂ ଆଇଏମଏଫଏଲ୍ ଅଫ୍ ଓ ଅନ୍ ସପ୍ ଲାଇସେନ୍ସଧାରୀଙ୍କ ଦ୍ୱାରା ହୋମ୍ ଡେଲିଭରି କରାଯିବ। ସେହିପରି କଣ୍ଟ୍ରି ଲିକର ଲାଇସେନ୍ସଧାରୀ ମଧ୍ୟ ମଦ ଯୋଗାଣ କରିପାରିବେ। ମଦ ନିଗମର ଗୋଦାମଗୁଡ଼ିକ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବ। ଟିକସ ଦେଇ କିଣାଯାଇଥିବା ଆଇନସମ୍ମତ ମଦର ପରିବହନରେ ନିୟୋଜିତ ଗାଡ଼ି ମଧ୍ୟ ଚଳପ୍ରଚଳ କରିପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.