ଟୀକାକରଣ ପାଇଁ ଭୁଲିଗଲେ ଲୋକେ ସାମାଜିକ ଦୂରତା

ଉଗ୍ରତାରା କଲେଜ ଟୀକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ

ରାୟଗଡ: ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଜିଲ୍ଳା ପ୍ରଶାସନ ଚିନ୍ତାରେ ରହିଥିବା ବେଳେ ଟୀକାକରଣ ନିମନ୍ତେ ଟୀକାକରଣ କେନ୍ଦ୍ରରେ ପଂଜୀକୃତ ଲୋକେ ସାମାଜିକ ଦୂରତା ନିୟମକୁ ଫୁ କରି ଗହଳି ଜମାଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷଭାବ ପ୍ରକାଶ ପାଇଥିବା ବେଳେ କରୋନା ମହାମାରୀ ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ଅନେକ ସଚେତନତା ସୃଷ୍ଟି କରାଯିବା ସହ ଗଣମାଧ୍ୟମ ତଥା ଭିଡିଓ ମାଧ୍ୟମରେ ଜିଲ୍ଳାପାଳ ଜିଲ୍ଳାବାସୀଙ୍କୁ ନିୟମ ମାନି ଚଳିବାକୁ ନିବେଦନ କରୁଥିବା ବେଳେ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି ।

ଆଜି ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ କୁମୁତଲପେଟା ସ୍ଥିତ ଉଗ୍ରତାରା କଲେଜ ପରିସରରେ ହୋଇଥିବା ଟୀକାକରଣ କେନ୍ଦରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଉକ୍ତ କେନ୍ଦ୍ରରେ ପ୍ରଥମ ଡୋଜ ଗ୍ରହଣ କରିଥିବା ୨୧୬ଜଣ ପଂଜୀକୃତ ଲୋକଙ୍କୁ ଦ୍ୱିତୀୟ ଡୋଜ ଟୀକା ନେବା ନିମନ୍ତେ ଖବର ଦିଆଯାଇଥିଲା । ତେବେ ବନ୍ଦ ରହିଥିବା ଟୀକାକରଣ ଆରମ୍ଭ ହେବା ଖବର ପାଇ ସ୍ଥାନୀୟ ଅଂଚଳର ଶତାଧିକ ଲୋକେ ଭୋର ୫ଟାରୁ ଆସି କେନ୍ଦ୍ରରେ ଅପେକ୍ଷା କରି ରହିଥିଲେ । ଏପରିକି ଧାଡି ହୋଇଥିଲେ ସୁଦ୍ଧା ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ନ ରଖିବା ସହ ଠିକ୍ ଭାବେ ମାସ୍କ ବ୍ୟବହାର ନ କରି ଭିଡ ଜମାଇଥିଲେ ।

ପରେ ଖବର ପାଇ ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଅଫିସର ଡାକ୍ତର ପ୍ରଦୀପ୍ତ କୁମାର ସୁବୁଦ୍ଧି କେବଳ ଦ୍ୱିତୀୟ ଡୋଜ ନେବା ପାଇଁ ଆସିଥିବା ଲୋକଙ୍କୁ ହିଁ ଟୀକାକରଣ କରାଯିବ ବୋଲି କହିବା ପରେ ଚାନ୍ଦିଲି ପୋଲିସ ସହଯୋଗରେ ଲୋକଙ୍କୁ କୁପନ୍ ବଂଟାଯାଇଥିଲା । ପରେ ପରେ ଭିଡ କମିଥିବା ବେଳେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଖବର ପାଇ ଉକ୍ତ କେନ୍ଦ୍ରକୁ ଯାଇ ଲୋକଙ୍କୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.