ଢେପଗୁଡା-ବଞ୍ଜାରିଘାଟି-ଛତିକୁଡା ରାସ୍ତାରେ ଲୁଟେରା ଆତଙ୍କ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ଛକରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡା, ବଞ୍ଜାରି ଘାଟି ଓ ଛତିକୁଡା ନିକଟରେ ଏବେ ରାତିରେ ଲୁଟେରା ଆତଙ୍କ ବୃଦ୍ଧି ପାଇଛି। ପୂର୍ବରୁ ବଞ୍ଜାରିଘାଟି ଓ ଢେପଗୁଡା ଘାଟିର ବିଭିନ୍ନ ଲୁଟ ଘଟଣାରେ ସଂପୃକ୍ତ ଥିବା ଅପରାଧୀମାନଙ୍କୁ ପୁଲିସ କାବୁ କରିଥିବାବେଳେ ବେଶ୍ କିଛିଦିନ ଧରି ଏହି ରାସ୍ତା ସୁରକ୍ଷିତ ଥିଲା। ତେବେ ଏହି ରାସ୍ତାର ଶାନ୍ତପୁର-ଛତିକୁଡା ରାସ୍ତାରେ ଏବେ ଲୁଟେରାଙ୍କ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗତ କିଛିଦିନ ତଳେ ଛତିକୁଡା ଛକ ନିକଟରେ କିଛି ଟ୍ରକ ଡ୍ରାଇଭରଙ୍କଠାରୁ ଟଙ୍କା, ମୋବାଇଲ ଓ ଗାଡି କାଗଜପତ୍ର ଲୁଟ୍ ହୋଇଥିଲା। ଏହି ଘଟଣାରେ ଦୁଇଜଣ ସନ୍ଦିଗ୍ଧଙ୍କୁ ନର୍ଲା ପୁଲିସ ଅଟକ ରଖି ପଚରାଉଚୁରା କରିବା ପରେ ଛାଡି ଦେଇଥିବା ଜଣାପଡିଛି। ତେବେ ଏହି ରାସ୍ତାରେ ପୁଣି ଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଥିବାବେଳେ ଦୂରଗାମୀ ଟ୍ରକ ଡ୍ରାଇଭରମାନଙ୍କୁ ସେମାନେ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି। ସେହିପରି ଟ୍ରକ ଡ୍ରାଇଭରମାନେ ଲୁଟ୍‌ର ଶିକାର ହେବା ପରେ ବି ପୁଲିସକୁ ଜଣାଉ ନଥିବାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ। ଏପରିସ୍ଥଳେ ପୋଖରୀବନ୍ଧ ଛକରୁ ଛତିକୁଡା ଛକ ଯାଏଁ ବିଶ୍ୱନାଥପୁର ଥାନା, ସିକେରକୁପା ଫାଣ୍ଡି ଓ ନର୍ଲା ପୁଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂକୁ କଡାକଡି କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସମ୍ଭବ ହେଲେ ଏହି ରାସ୍ତାରେ ଏକ ସ୍ୱତନ୍ତ୍ର ପେଟ୍ରୋଲିଂ ଟିମ୍ ନିଯୁକ୍ତ କରିବା ସହିତ ସେମାନଙ୍କ ସହାୟତାରେ ଲୁଟେରାମାନଙ୍କୁ ସାବାଡ କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତଥା ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.