● ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କୁ ସମ୍ବର୍ଦ୍ଧନା
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଗ୍ଲୋବାଲ ୱାର୍ମିଂକୁ ନେଇ ସାରା ବିଶ୍ୱ ଚିନ୍ତିତ ରହିଥିବା ବେଳେ ପ୍ରକୃତିକୁ ବଞ୍ଚାଇବା ପାଇଁ ସାରା ରାଜ୍ୟରେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ମାନ ସପ୍ତାହ ବ୍ୟାପୀ ପାଳିତ ହେଉଛି। ଏହି କ୍ରମରେ ନର୍ଲା ଥାନା ପରିସରରେ ରୋଟାରୀ କ୍ଲବ ଭୁବନେଶ୍ୱର ଓ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ସର୍ଗିଗୁଡାର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ (ଡିଏସ୍ପି) ଅଭିଷେକ ପାଣିଗ୍ରାହୀ ଯୋଗଦାନ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଯୁବ ବିଜ୍ଞାନୀ ପ୍ରକୃତିମିତ୍ର ସନ୍ତୋଷ କୁମାର କର, ନର୍ଲା ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ନର୍ଲା ଥାନା ସବଇନ୍ସପେକ୍ଟର ବଂଶୀଧର ସାମଲ, ସୁରେଶ ଚନ୍ଦ୍ର ବିଶି, ଉଦ୍ୟାନ ବିଭାଗର କର୍ମଚାରୀ ପ୍ରଶାନ୍ତ କୁମାର ପଧାନ ପ୍ରମୁଖ ଯୋଗଦାନ କରି ବନ ମହୋତ୍ସବ ପାଳନ, ବୃକ୍ଷରୋପଣର ମହନୀୟତା, ପ୍ରକୃତି ଓ ପରିବେଶର ସୁରକ୍ଷା ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ। ସମ୍ମାନୀତା ଅତିଥି ଶ୍ରୀମତୀ ସାହୁ ବନ ମହୋତ୍ସବ ଓ ବୃକ୍ଷରୋପଣକୁ ନେଇ ଏକ ଇଂରାଜୀ କବିତା ପଠନ କରି ଗାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ଜଣେ ପ୍ରକୃତି ପ୍ରେମି ଭାବରେ ବୃକ୍ଷ ରୋପଣ କରିବା, ବୃକ୍ଷରୋପଣ ନିମନ୍ତେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍ସାହିତ କରିବା ଭଳି ବିଷୟକୁ ନେଇ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଖବର ପରିବେଷଣ ହେତୁ ରୋଟାରୀ କ୍ଲବ୍ ଭୁବନେଶ୍ୱର, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି, ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ୍ ସର୍ଗିଗୁଡା ତରଫରୁ ଅତିଥି ବୃନ୍ଦଙ୍କ କର କମଳରେ ନର୍ଲା ପ୍ରଗତିବାଦୀ ପ୍ରତିନିଧି ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିଥି ବୃନ୍ଦଙ୍କ ମାର୍ଗଦର୍ଶନ ପରେ ନର୍ଲା ଥାନା ପରିସରରେ ଆମ୍ବ, ପଣସ, କଦମ୍ବ, ପିଜୁଳି, ଜାମୁକୋଳି ପ୍ରଭୃତି ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମଟି ଡିଏସ୍ପି ଶ୍ରୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କ୍ଲବର ବରିଷ୍ଠ ସଦସ୍ୟ ମିଲନ କୁମାର ଭୋଇ, ହେମସାଗର ସାହୁ, ସୁକଦେବ ସାହୁ ଓ ଉଦ୍ୟାନ ବିଭାଗର କର୍ମଚାରୀ ଶ୍ରୀ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





