ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଅନୁସୂଚିତ ବର୍ଗକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ସରକାରଙ୍କ ଦ୍ଵାରା ଲାଞ୍ଜିଗଡ଼କୁ ସିଡ୍ୟୁଲ୍ଡ ବ୍ଳକ ଭାବେ ଘୋଷଣା କରାଯିବା ପରେ ସଂଖ୍ୟା ବହୁଳ ଆଦିବାସୀ ମାନଙ୍କୁ ପାଠପଢ଼ା, ବିଭିନ୍ନ ସରକାରୀ ଯୋଜନା, ନିଯୁକ୍ତି ଓ ରାଜନୈତିକ ସଂରକ୍ଷଣ ବି ଏଯାବତ୍ ମିଳିଆସୁଛି। ସେହିପରି ବ୍ଲକ୍ ଅଞ୍ଚଳରେ ସ୍ବତନ୍ତ୍ର ସରକାରୀ ଅନୁଦାନ ବ୍ୟତୀତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ନାମରେ ଦୁଇଟି ସ୍ବତନ୍ତ୍ର ସଂସ୍ଥା ସ୍ଥାପତ ହୋଇଛି ଯଦ୍ୱାରା ଲାଞ୍ଜିଗଡ଼ ବ୍ଳକର ବିଭିନ୍ନ ଆଦିବାସୀ ଜନଜାତି ଉପକୃତ ହେଉଛନ୍ତି। ତେବେ ବ୍ଳକରେ ଥିବା ୨୬ଟି ପଞ୍ଚାୟତରେ ଆଦିବାସୀ ଜନଜାତିଙ୍କ ପରେ ଅନୁସୂଚିତ ଜାତିର ଲୋକେ ଦ୍ଵିତୀୟ ସଂଖ୍ୟା ଗରିଷ୍ଠ ଥିବାବେଳେ ସେମାନଙ୍କ ସାମାଜିକ ଓ ଅର୍ଥିକ ସ୍ଥିତି ମଧ୍ୟ ଶୋଚନୀୟ। ସେହିପରି ବ୍ଲକ ଅଞ୍ଚଳରେ ବସବାସ କରୁଥିଲେ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକେ ବି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ତେବେ ବ୍ଳକର ଦ୍ଵିତୀୟ ସଂଖ୍ୟା ବହୁଳ ଅନୁସୂଚିତ ବର୍ଗ ଓ ପଛୁଆ ବର୍ଗଙ୍କ ପ୍ରତି ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷର ବାତାବରଣ ଦେଖାଦେଇଛି। ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକରେ ଗତ ୨୦୧୧ ଜନଗଣନାରେ ୪୨ ହଜାର ୭୦୩ ଜଣ ଆଦିବାସୀ ବର୍ଗର ଲୋକେ ଥିବାବେଳେ ବର୍ତ୍ତମାନ ପ୍ରାୟ ୭୦ ହଜାରରୁ ଅଧିକ ଲୋକେ ଏଇ ବର୍ଗରେ ଅଛନ୍ତି। ସେହିପରି ୨୦୧୧ ଜନଗଣନାରେ ୨୨ ହଜାର ୧୪୬ ଜଣ ଅନୁସୂଚିତ ବର୍ଗର ଲୋକେ ଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ୬୦ ହଜାର ଟପି ସାରିଲାଣି। ତେବେ ସାମାଜିକ, ଶୈକ୍ଷିକ, ନିଯୁକ୍ତିଗତ ଓ ରାଜନୈତିକ, ସଂରକ୍ଷଣରେ କେବଳ ଗୋଟିଏ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ବ୍ଲକ୍ ଅଞ୍ଚଳର ଦ୍ଵିତୀୟ ସଂଖ୍ୟା ବହୁଳ ଅନୁସୂଚିତ ବର୍ଗର ଲୋକେ ଯିବେ କୁଆଡେ? ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯିବା କାରଣ କ’ଣ ବୋଲି ଏବେ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବ୍ଳକ ଅଞ୍ଚଳରେ ଦ୍ଵିତୀୟ ସଂଖ୍ୟା ବହୁଳ ଅନୁସୂଚିତ ବର୍ଗର ଲୋକକୁ ଶିକ୍ଷା, ନିଯୁକ୍ତି ସମେତ ବ୍ଲକର ୨୬ ଟି ପଞ୍ଚାୟତରେ ରାଜନୈତିକ ଅଧିକାରରୁ ମଧ୍ୟ ବଞ୍ଚିତ ରଖାଯାଇଛି। ସରକାର ବିଲୁପ୍ତ ପ୍ରାୟ ଜନଜାତିଙ୍କ ଭଳି ସେମାନଙ୍କ ସହିତ ସହାବସ୍ଥାନ କରୁଥିବା ଅନୁସୂଚିତ ବର୍ଗର ଲୋକଙ୍କୁ ମଧ୍ୟ ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି। ସେହିପରି ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଅନ୍ୟାନ୍ୟ ପଛୁଆ ବର୍ଗ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପ୍ରତି ସରକାର ପୁନଃ ବିଚାର କରାଯିବାକୁ ଦାବି ହେଉଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

 
                                        
 
 
         
 
        
 
 
         
 
        

