ଚାଷୀ ମୁହଁରେ ହସ ଫୁଟେଇଲା ଲଘୁଚାପ ବର୍ଷା

● ନର୍ଲାର କେତେକ ଅଞ୍ଚଳରେ ଆରମ୍ଭ ହେଲା ରୁଆ ବେଉଷଣ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଗତ ବୁଧବାରରୁ ଲଘୁଚାପ ଜନିତ ବର୍ଷା କାରଣରୁ ବିଶେଷ ନହେଲେ ମଧ୍ୟ ଦୁଇଦିନ ଧରି ଲଗାଣ ଝିପି ଝିପି ବର୍ଷା ଯୋଗଁ ଚାଷକାର୍ଯ୍ୟ ସବୁ ଆରମ୍ଭ ହୋଇ ଯାଇଛି । ଧାରା ଶ୍ରାବଣରେ ମଧ୍ୟ ଭୀଷଣ ଗରମ ଅନୁଭୁତ ହେଉଥିଲା । ଇନ୍ଦ୍ରଦେବ ଚାଷୀଙ୍କ ଆକୁଳ ଚିତ୍କାର ଶୁଣିଲେ । ବିଶେଷ କରି ଅଣ ଜଳସେଚିତ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା କହିଲେ ଚଳେ । ଚଳିତ ବର୍ଷ ମୌସୁମୀ ଠିକ ସମୟରେ ଆସିଥିଲେ ମଧ୍ୟ ବର୍ଷା ଆବଶ୍ୟକ ପରି ମାଣରେ ହୋଇ ପାରିନଥିଲା । ତଥାପି ଅଳ୍ପ ଅଳ୍ପ ବର୍ଷାରେ ମଧ୍ୟ ପାଣି ପାଗ ବିଭାଗର ଘୋଷଣା କୁ ନେଇ ଚାଷୀ ହର୍ଷୋତ୍ଫୁଲିତ ହୋଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଧାନ ବିହନ ଆଣି ତଳିଘରା ସବୁ ପଲେଇଥିବା ବେଳେ ଶ୍ରାବଣ ମାସ ଆସି ଉପନୀତ ହୋଇଥିଲେ ମଧ୍ୟ ବର୍ଷା ଆଦୌ ହୋଇ ନଥିଲା ନର୍ଲା ଅଞ୍ଚଳରେ । କେତେକ ଚାଷୀ ଅକ୍ଷୟ ତୃତୀୟା ପରେ ପରେ ନିଜ ନିଜ ଜମିରେ ଧାନ ବିହନ ଗଣ୍ଡାକ ମଧ୍ୟ ବୁଣିଥିଲେ । ଧାନ ଗଛ ଗୁଡିକ ମଧ୍ୟ ଛନଛନିଆ ହୋଇଥିଲା । ହେଲେ ବୈଶାଖ ମାସ ଭଳି ପ୍ରଚଣ୍ଡ ଖରାରେ ବିଲମାଟି ଫାଟି ଆଁ ହୋଇ ଯାଇଥିଲା । ଏବେ କାଁଭାଁ ସଂଧ୍ୟା ସମୟରେ ଅଳ୍ପ ପରିମାଣରେ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ସମୁଦ୍ରକୁ ଶଂଖେ ସଦୃଶ ଥିଲା । ସ୍ୱଳ୍ପ ବର୍ଷା ଯୋଗୁଁ ଚାଷକାମ ଆଗେଇ ପାରୁନଥିଲା ।

ବିଶେଷ କରି ନର୍ଲା ବ୍ଲକର ଅଣଜଳସେଚିତ ଅଂଚଳ କୁହାଯାଉଥିବା ଭୀମକେଲା, ରୁପ୍ରା, ଘଣ୍ଟମାଳ, ଗାଡେବନ୍ଧ, ସେରଗଡ, ବାଲସିଙ୍ଗା, କୁର୍ମେଲ, ରାକ୍ସି, ସରିଆଁ, ସର୍ଗିଗୁଡା, ନିଶାଣପୁର, ଉଲିକୁପା, ରୁପ୍ରାରୋଡ ପ୍ରଭୃତି ଗ୍ରାମପଂଚାୟତ ଅଞ୍ଚଳ ଭୟାବହ ମରୁଡି ର ପଦଧ୍ୱନୀ ଶୁଣାଯାଉଥିଲା । ଭୟାବହ ମରୁଡି ଆଶଙ୍କା କରି ବୀମା କମ୍ପାନୀ ଗୁଡିକ ନର୍ଲା ଅଞ୍ଚଳର କୃଷି କର୍ମଚାରୀ ମାନଙ୍କ ସହାୟତାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ନର୍ଲା ବ୍ଲକ୍ ଅଞ୍ଚଳର ପ୍ରତି ଗାଁ ଗାଁ କୁ ଯାଇ ନିଜ ନିଜ ଶଶ୍ୟକୁ ବୀମା କରିନେବା ପଇଁ ଚାଷୀଙ୍କୁ ସଚେତନ କରୁଥିବା ଦୃଶ୍ୟମାନ ହେଉଥିଲା । ଚଳିତ ଖରିଫ୍ ଋତୁରେ ଜମିଗୁଡିକରେ ଧାନବୁଣା ହୋଇଥିଲେ ମଧ୍ୟ କେତେକ ଜମିରେ ଧାନ ଗଜାହୋଇ ପାଣି ଅଭାବରେ ପିଲଧାନ ହଳଦିଆ ହୋଇସାରିଥିଲା । ଗତଦୁଇ ବର୍ଷ ଧରି ନର୍ଲା ଅଞ୍ଚଳରେ ଶ୍ରାବଣ ମାସ ସୁଦ୍ଧା ୩୦୦ ମିଲିମିଟର ବର୍ଷା ହୋଇଥାଏ । ହେଲେ ଚଳିତ ବର୍ଷ ୨୦୫ ମିଲିମିଟର ବର୍ଷା ଏଯାଏଁ ହୋଇଥିବା ରେକର୍ଡ କରାଯାଇଛି । ଏବେ ନର୍ଲା ଅଞ୍ଚଳର ଚାଷୀ ମୁଣ୍ଡରେ ହାତଦେଇ ବସିଥିଲେ । ବର୍ଷା ଅଭାବରେ ଧାନ ଚାଷର ପରିସ୍ଥିତି ଦୟନୀୟ ହୋଇପଡିଥିଲା । ହେଲେ ଗତ ବୁଧବାର ଲଘୁଚାପ ଜନିତ ବର୍ଷା ହେତୁ ଅଞ୍ଚଳର ଚାଷୀଙ୍କ ମୁହଁରେ ଏବେ ହସ ଫୁଟିଛି । ଆଉ ବିଶେଷ ନହେଲେ ମଧ୍ୟ ଦୁଇ ଦିନ ଧରି ଝିପି ଝିପି ବର୍ଷା ହେବା ଫଳରେ ଅନ୍ତତଃ ରୁଆ ବେଉଷଣ ଆରମ୍ଭ ହୋଇପାରିଛି ନର୍ଲା ଅଞ୍ଚଳରେ । ତଥାପି ଚାଷୀ ଦ୍ୱିଧାରେ ରହିଛନ୍ତି ଆଗକୁ ବର୍ଷା ହେବ ନା ଇନ୍ଦ୍ରଦେବ ଠକିଦେବେ? ଫସଲ ବୀମା କରିବେ ନା ନାହିଁ? ଯାହା ବି ହେଉ ଲଘୁଚାପ ବର୍ଷା ଯୋଗୁଁ ଚାଷୀଙ୍କ ମୁହଁରେ ହସ ଫୁଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.