ଜାତୀୟ ସବ ଜୁନିୟର ମହିଳା ହକି:ଅମୀଷାଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ

ଓଡ଼ିଆ ବାର୍ତ୍ତା/ ରାଉରକେଲା: ହକି ଆସୋସିଏଶନ ଅଫ ଓଡିଶା ଅମୀଷା କୁଲୁଙ୍କ ନେତୃତ୍ୱରେ ଜାତୀୟ ସବ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି । ମେ ୪ରୁ ୧୪ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏହି ଚାମ୍ପିୟନଶିପରେ ୨୮ଟି ଟିମ ଅଂଶଗ୍ରହଣ କରିବେ । ସମସ୍ତ ମ୍ୟାଚ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିମରେ ଖେଳାଯିବ । ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଭଲ ପ୍ରଦର୍ଶନ କରିଥିବା ତନୁଜା ଟପ୍ପୋ, ସସ୍ମିତା ଡୁଙ୍ଗଡୁଙ୍ଗ, କରୁଣା ମିଞ୍ଜ ଓ ପୂଜା ମାଝୀଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମେ ୪ରେ କେରଳ ହକି ଟିମ ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ସମସ୍ତ ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ପୁଲ ଏରେ ହରିୟାଣା, ତାମିଲନାଡୁ, ତ୍ରିପୁରା । ପୁଲ ବି’ରେ ଝାଡଖଣ୍ଡ, ବେଙ୍ଗଲ, ଉତରାଖଣ୍ଡ । ପୁଲ ସିରେ ଉତ୍ତରପ୍ରଦେଶ, ଛତିଶଗଡ, ଦିଲ୍ଲୀ ଓ ପୁଲ ଡି’ରେ ମଧ୍ୟପ୍ରଦେଶ, ଆସାମ, ହିମାଚଳ ରହିଛନ୍ତି । ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ ଦୃଢ଼ ଆଶା ପୋଷଣ କରାଯାଇଛି ।

ଓଡିଶା ଟିମ: ଅମୀଷା କୁଲୁ (ଅଧିନାୟିକା), ପବିତ୍ର ହୋଦାମ, ସସ୍ମିତା ଡୁଙ୍ଗଡୁଙ୍ଗ, ନୀହାରିକା ଟପ୍ପୋ, ସୋନାଲୀ ଏକ୍କା, ସନ୍ଦମ ବାବ୍ରିୟାନି ଦେବୀ, ନୀଶା ଦଦେଲ, ପୂଜା ମାଝି, ଦ୍ରୁପତି ନାୟକ, ପ୍ରେମଶୀଳା ବାଗେ, ଅମୀଷା ଏକ୍କା, ଜାହ୍ନବୀ ବାଡା, ତନୁଜା ଟପ୍ପୋ, ଦୀପିକା ବାରୱା, କରୁଣା ମିଞ୍ଜ, ଜ୍ୟୋତି ଖାଖା, ବୀନତି ମିଞ୍ଜ ଓ ଡୋଲି ଭୋଇ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.