ବହୁତ ଦିନ ତଳର କଥା କାରୁଣ୍ଡ ମଣ୍ଡଳରେ ଅନଙ୍ଗ ପ୍ରତାପ ନାମକ ଜଣେ ଧନୁର୍ଦ୍ଧାରୀ ବାସ କରୁଥିଲେ । ସେହି ସମୟରେ ସେ ଆଖ ପାଖ ଦଶଖଣ୍ଡ ରାଜ୍ୟର ଅଦ୍ବିତୀୟ ବୀର ଭାବେ ଖ୍ୟାତ ଥିଲେ । ରାଜା ବୃହଭାନୁ ତାଙ୍କ ଉପରେ ରାଜ୍ୟର ପଶ୍ଚିମ ସୀମା ସୁରକ୍ଷା ଦାଇତ୍ବ ନ୍ୟସ୍ଥ କରିଥିଲେ । କାରୁଣ୍ଡ ମଣ୍ଡଳର ପଶ୍ଚିମ ପାର୍ଶ୍ବ ପ୍ରତିରକ୍ଷା ଘାଟି କନକ ପର୍ବତର ପାଦ ଦେଶରେ ଏକ ସୁରମ୍ୟ ପ୍ରାସାଦ ମଧ୍ୟରେ ସେ ରହୁଥାନ୍ତି । ଅନଙ୍ଗ ପ୍ରତାପଙ୍କ ବିରତ୍ବ ଦେଶ ବିଦେଶକୁ ବ୍ୟାପି ଯାଇଥାଏ । ସେ ନିଜକୁ ପୃଥିବୀର ସର୍ବଶ୍ରେଷ୍ଠ ବୀର ବୋଲି ଭାବୁଥାନ୍ତି, ତେଣୁ ତାଙ୍କ ମନରେ ଗର୍ବ ଓ ଅହଂକାର ଜମାଟ ବାନ୍ଧିବାକୁ ଲାଗିଥାଏ । ଏହି ସମୟରେ ପାଟଣା ଦେଶର ସେନାପତି କିର୍ତ୍ତିଚନ୍ଦ୍ରଙ୍କ ଭଉଣୀ ସୁଭାଙ୍ଗୀ ସହ ଅନଙ୍ଗ ପ୍ରତାପଙ୍କ ବିବାହ ସଂପନ୍ନ ହେଲା । ସାମାଜିକ ରିତି ଅନୁସାରେ ବିବାହର ପରବର୍ତ୍ତୀ ଦିବସରେ ସମର ବିନ୍ଧା କାର୍ଯ୍ୟକ୍ରମର ଆୟୋଜନ କରାଗଲା । କିନ୍ତୁ ଅନଙ୍ଗ ପ୍ରତାପ ବନ୍ଧୁ କୁଟୁମ୍ବଙ୍କ ଦ୍ବାରା ଆୟୋଜିତ ସମର ବିନ୍ଧାକୁ ପ୍ରତ୍ୟାଖାନ କରି ନିଜ ବୀରତ୍ବର ପରାକାଷ୍ଠା ଦେଖାଇବାକୁ ଏକ ଅଭିନବ ଧର୍ନୁବିଦ୍ୟା ପ୍ରଦର୍ଶନ କରିବାକୁ ରାଜା ବୃହଭାନୁଙ୍କ ସମେତ ପଡୋସୀ ରାଜ୍ୟର ରାଜା ଓ ସମ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କଲେ ।
ସମସ୍ତେ ଉତ୍ସୁକତାର ସହ ଏହି ନୂତନ ଧର୍ନୁବିଦ୍ୟାକୁ ଏକଳୟରେ ଦେଖିବାକୁ ଲାଗିଲେ । ଅନଙ୍ଗ ପ୍ରତାପ ନିଜ ନବ ବିବାହିତା ସ୍ତ୍ରୀ ସୁଭାଙ୍ଗୀଙ୍କୁ ପର୍ବତର ଢାଳୁ ଅଂଶରେ ଛିଡା କରାଇ ତାଙ୍କ ନାକଗୁଣାରେ ଏକ ସୋରିଷ ଥୋଇ ପାହାଡର ପାଦ ଦେଶକୁ ଚାଲି ଆସିଲେ । ସେଠାରୁ ସେ ତୀର ସଂଧାନ କରି ଶୁଭାଙ୍ଗୀଙ୍କ ନାକଗୁଣା ଉପରେ ଥିବା ସୋରିଷକୁ ଦୁଇଫାଳ କରିଦେଲେ । ଉପସ୍ଥିତ ରାଜନ୍ୟ ବର୍ଗ ତାଙ୍କୁ ଭୂୟସୀ ପ୍ରଶଂସା କରିବାସହ ନାନା ଧନରତ୍ନ ଉପହାର ସ୍ବରୂପ ପ୍ରଦାନ କଲେ । ଏହା ପରେ ପ୍ରତିଦିନ ଅନଙ୍ଗ ପ୍ରତାପ ସ୍ତ୍ରୀ ଶୁଭାଙ୍ଗୀଙ୍କ ଉପରେ ବିଭିନ୍ନ ଧର୍ନୁବିଦ୍ୟା ପ୍ରୟୋଗ କରିଚାଲିଲେ । ଏହା ସହ ସେ କଥା କଥାରେ ମୁଁ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧାରୀ ବୋଲି କହୁଥାନ୍ତି । ଏଥିରେ ଅତିଷ୍ଠ ହୋଇ ସୁଭାଙ୍ଗୀ ଭାଇ କିର୍ତ୍ତିଚନ୍ଦ୍ରଙ୍କୁ ସବୁକଥା କହିଲେ । କିର୍ତ୍ତିଚନ୍ଦ୍ର କହିଲେ – ସୁଭାଙ୍ଗୀ ଯେତେବେଳେ ତୋର ସ୍ବାମୀ କହିବେ ମୁଁ ଶ୍ରେଷ୍ଠ ଧନୁର୍ଦ୍ଧର ସେତେବେଳେ ତୁ କହିବୁ ଦୁନିଆରେ ତୁମ ପରି ହଜାର ହଜାର ବୀର ଅଛନ୍ତି ତୁମେ କେବଳ ଏକା ନୁହଁ । ଭାଇଙ୍କ କଥାନୁସାରେ ଶୁଭାଙ୍ଗୀ ଏକଥା କହିବାପରେ ଅନଙ୍ଗ ପ୍ରତାପଙ୍କୁ ବହୁତ ବାଧିଲା । ସେ ବୀର ଖୋଜିବାକୁ ବାହାରି ପଡିଲେ ।
ମାସ ମାସ ଚାଲିବା ପରେ ଅନଙ୍ଗ ପ୍ରତାପ ଏକ ଅଶ୍ଚର୍ଯ୍ୟ ଜନକ ଘଟଣା ଦେଖିଲେ । ଜଣେ ଲୋକ ସମୁଦ୍ରର ବାଳିକୁ ମନ୍ଥୀ ଦଉଡି ତିଆରିକରି ତାଳ ଗଛକୁ ବଂସୀ ବାଡି କରି ସମୁଦ୍ରରୁ ହାତୀ ଆକାରର ମାଛ ସବୁ ଧରୁଛି । ଅନଙ୍ଗ ପ୍ରତାପ ଭାବିଲେ ନିଶ୍ଚିତ ଭାବରେ ଇଏ ଜଣେ ମହାବୀର । ସେ ସେହି ଲୋକଙ୍କ ସମିପକୁ ଗଲେ । ସମୁଦ୍ରରୁ ମାଛ ଧରୁଥିବା ଲୋକ ଜଣକ ପଚାରିଲା ମିତ୍ର ତୁମେ କୁଆଡେ ଯାଉଛ । ଅନଙ୍ଗ ପ୍ରତାପ କହିଲେ – ମୁଁ ବୀର ଖୋଜିବାକୁ ଯାଉଛି । ସେହିଲୋକ ତାଙ୍କ ସାଙ୍ଗରେ ଯିବାକୁ ଚାହିଁବାରୁ ଅନଙ୍ଗ ପ୍ରତାପ ତାଙ୍କୁ ସାଙ୍ଗରେ ଧରି ଆଗେଇ ଚାଲିଲେ । କିଛି ଦିନ ଚାଲିବା ପରେ ସେମାନେ ଏକ ନଦୀ କୂଳରେ ପହଞ୍ଚିଲେ । ନଦୀରେ କୌଣସି ପୋଳ ନଥିଲା, କିନ୍ତୁ ଲୋକେ ନଦୀ ପାର ହେଉଥିଲେ । ଦୁଇ ବନ୍ଧୁ ପାଖକୁ ଯାଇ ଦେଖିଲେ ଜଣେ ବିଶାଳକାୟ ବ୍ୟକ୍ତି ନଦୀର ଏପଟେ ମୁଣ୍ଡ ଓ ସେପଟେ ଗୋଡ ରଖି ଚିତ୍ ହୋଇ ଶୋଇଛି । ଲୋକେ ତା’ଉପରେ ଚାଲି ଚାଲି ନଇ ପାରି ହେଉଛନ୍ତି । ଦୁଇ ମିତ୍ର ସେହି ବ୍ୟକ୍ତିଙ୍କୁ ତାଙ୍କ ଯାତ୍ରାର ଅଭିପ୍ରାୟ ସମନ୍ଧରେ ଜଣାଇଲେ । ସେମଧ୍ୟ ସେମାନଙ୍କ ସହ ମିତ୍ରତା ସ୍ଥାପନକରି ବୀର ଖୋଜା ଅଭିଯାନରେ ସାମିଲ ହେଲା ।
କିଛିବାଟ ଯିବାପରେ ସେମାନେ ଦେଖିଲେ ଜଣେ ବଳିଷ୍ଠ ଲୋକ ନିଜ ଭାରର ଦୁଇ ପାର୍ଶ୍ବରେ ଦୁଇଟି ପର୍ବତକୁ ଥୋଇ ବାଟ ଲାଚିଛି । ତିନି ବନ୍ଧୁ ସେହି ବ୍ୟକ୍ତିଙ୍କୁ ଏପରି କରିବାର କାରଣ ସମନ୍ଧରେ ପଚାରିଲେ । ପର୍ବତ ବୋହୁଥିବା ଲୋକ କହିଲା ସମୁଦ୍ର ଧିରେ ଧିରେ ଜନବସତି ମୁହାଁ ହେଉଛି, ତାକୁ ପ୍ରତିରୋଧ କରିବାକୁ ମୁଁ ଯୋଜନ ଯୋଜନ ଦୂରରୁ ପର୍ବତ ସବୁକୁ ଉପାଡି ଆଣୁଛି । ତିନି ବୀର ସେହି ବ୍ୟକ୍ତିର କଥାସୁଣି ପରସ୍ପରକୁ ଅନାଅନି ହେଲେ । ପରେ ସେମାନେ ନିଜ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ କହିବାପରେ ପର୍ବତ ଉପାଡୁ ବୀର ମଧ୍ୟ ଚାରି ମିତ୍ରଙ୍କ ସହ ବୀର ଖୋଜିବାକୁ ବାହାରିଗଲା ।
ଚାରି ବୀର ନଦ ନଦୀ, ପାହାଡ ପର୍ବତ ଡେଇଁ ଆଗକୁ ବଢୁଥାନ୍ତି । ଭୈମକ ଦେଶରେ ସେମାନେ ଏକ ବିଚିତ୍ର ଦୃଷ୍ୟ ଦେଖିଲେ । ଜଣେ ଲୋକ ଦୁଇଟି ମହାବଳ ବାଘକୁ ବଳଦ ପରି ଜୁଆଳିରେ ଫାନ୍ଦି ହଳ କରୁଛି । ସେ ଜମିକୁ ତସୁନାହିଁ ଚଞ୍ଚରା (ପଥର ଚଟାଣ) ସବୁକୁ ତସୁଛି । ତିନି ମିତ୍ର ହତବାକ ହୋଇ ସେହି ବୀର ପାଖକୁ ଯାଇ ମହାବୀର ବୋଲି ସମ୍ବୋଧନ କଲେ । ସେହି ବ୍ୟକ୍ତି ମଧ୍ୟ ସେମାନଙ୍କ ସହ ସାମିଲ ହେଲେ ।
ପାଞ୍ଚ ବନ୍ଧୁ ଆଗକୁ ଆଗକୁ ବଢି ଚାଲିଲେ । ଏମିତି କିଛିବାଟ ଯିବାପରେ ସେମାନେ ଏକ ଜନ ବସତିରେ ପହଞ୍ଚିଲେ । ସେଠାରେ ଜଳାଶୟ କୂଳରେ ଥିବା ଏକ ବରଗଛ ମୂଳରେ ବିଶ୍ରାମ ନେଲେ । ସେମାନେ ବରଗଛ ତଳେ ବସିବା ଯୋଗୁଁ ଗଛ ଉପରେ ଥିବା ଶୁଆଟି ଉଡିଗଲା । ଶୁଆ ଉଡିଯିବା ଫଳରେ ଗଛଟି ଗୋଟିଏ ଦିଗକୁ ଢଳିବାକୁ ଲାଗିଲା । ପାଞ୍ଚ ଜଣ ମିତ୍ର ଗଛକୁ ସିଧା କରିବାରେ ଲାଗିପଡିଲେ, କିନ୍ତୁ ସେମାନଙ୍କ ପରିଶ୍ରମ ନିସ୍ଫଳ ହେବା ନିଶ୍ଚିତ ଜାଣି ବ୍ୟାକୁଳ ହୋଇ ପଡିଲେ । ସେହି ସମୟରେ ଜଣେ ଯୁବତୀ ଜଳାଶୟରେ ସ୍ନାନ କରୁଥାଏ । ସେ ଏହି ଚାରି ଅପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟ ଦେଖି ନିମିଶକ ମଧ୍ୟରେ ସବୁ ବୁଝିଗଲା । ଆଉ କାଳ ବିଳମ୍ବ ନକରି ସେହି ଯୁବତୀ ନିଜ କାଖର ଗୋଟିଏ ବାଳ ଉପାଡି ଗଛକୁ ଢେରା ଦେଇଦେଲା । ବରଗଛ ଆଉ ନଢଳି ସିଧା ହୋଇ ରହିଗଲା । ଯୁବତୀ ଜଳାଶୟରୁ ପାଣି ନେଇ ନିଜ ବାଟରେ ଚାଲିଗଲା ।
ପାଞ୍ଚ ବନ୍ଧୁ ଯୁବତୀର ଯିବା ପଥକୁ ଅନାଇ ରହିଲେ । ଅନଙ୍ଗ ପ୍ରତାପ ଚାରି ବୀରଙ୍କୁ ସମ୍ବୋଧନ କରି ବହିଲେ – ମିତ୍ରମାନେ ଆମେ ଯେଉଁ ଉଦ୍ଦେଶ୍ୟ ନେଇ ପୃଥିବୀ ପରିଭ୍ରମଣ କଲେ, ଆମକୁ ସେହି ଫଳ ମିଳିଯାଇଛି । ସଂସାରରେ ଏକୁ ଆରେକ ବୀର ଅଛନ୍ତି କିନ୍ତୁ ମାତୃଶକ୍ତି ଠାରୁ ଆଉ ଅଧିକ ଶକ୍ତି ବିଶ୍ବ ବ୍ରହ୍ମାଣ୍ଡରେ କାହା ପାଖରେ ନାହିଁ । ତେଣୁ ଆମେ ବୀର ଖୋଜା ଅଭିଯାନକୁ ଏଠାରେ ସମାପ୍ତ କରି ନିଜ ନିଜ ଗୃହକୁ ବାହୁଡି ଯିବା । ଅନ୍ୟ ମିତ୍ରମାନେ ତାଙ୍କ କଥାରେ ସମ୍ମତ୍ତି ପ୍ରଦାନ କଲେ । ଅନଙ୍ଗ ପ୍ରତାପ ନିଜ ରାଜ୍ୟରେ ପହଞ୍ଚି ରାଜା ବୃହଭାନୁଙ୍କ ଦରବାରରେ ଯାତ୍ରାର ବୃତାନ୍ତ ଶୁଣାଇଲେ । ରାଜା ଅତ୍ୟନ୍ତ ପ୍ରିତ ହୋଇ ତାଙ୍କୁ ରାଜ୍ୟର ମୁଖ୍ୟ ସେନାପତି ପଦ ପ୍ରଦାନ କଲେ । ପ୍ରାଣପ୍ରିୟା ଶୁଭାଙ୍ଗୀଙ୍କ ସହ ଅନଙ୍ଗ ପ୍ରତାପ ନୂତନ ଜୀବନ ଆରମ୍ଭ କରି ଖୁସିର ସହ କାଳ ଜାପନ କଲେ ।
ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ ଓଡିଆ ବାର୍ତ୍ତା
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta