କାଳୀ ଓ କାଲିସୁନ୍ଦରୀ : ଏକ ସଂକ୍ଷିପ୍ତ ଆଲୋଚନା

 

       ସୁନୀଲ କୁମାର ଧଙ୍ଗଡାମାଝୀ

କାଳୀ କହିଲେ ସାଧାରଣତଃ ଆମ ମନ ମଧ୍ୟରେ ଉଦ୍ଭାଷିତ ହୋଇଉଠେ ଦେବୀଙ୍କ ଭିତିପ୍ରଦ ରୂପ । ମା’ କାଳୀ ମୁକ୍ତକେଶୀ , ଶ୍ୟାମା ଓ ମହାରବା । ନରମୁଣ୍ଡ ବିଭୂଷିତା ଦେବୀ ନରହସ୍ତ ନିର୍ମିତ ମେଖଳା ପରିହିତା । ମା’ଙ୍କ ଚର୍ତୁ ହସ୍ତରେ ନରମୁଣ୍ଡ , ଖଡ୍ଗ , ବର ଓ ଅଭୟ । ଦେବୀଙ୍କ ଅନ୍ୟ ଏକ ରୂପ ହେଲା ପ୍ରଶନ୍ନ ବଦନୀ । ମାତା କାଳୀ ବାହାରକୁ ଭୟଙ୍କର ଦେଖା ଯାଉଥିଲେ ମଧ୍ୟ ସେ ପରାଶକ୍ତି । ବାତ୍ସଲ୍ୟ ପ୍ରେମର ମୂର୍ତିମନ୍ତ ସ୍ବରୂପ । ସେ ହେଉଛନ୍ତି ଭୟଦା ପୁଣି ଭୟନାଶିନୀ ।

ପୌରାଣିକ ଆଖ୍ୟାନ ଅନୁସାରେ ଦୂର୍ଗାଙ୍କ ଲଳାଟରୁ ଦେବୀ ଆବିର୍ଭୂତା ହୋଇଛନ୍ତି । ଦେବୀ ସଂକଟ ହାରିଣୀ ଦୂଷ୍ଟ ସଂହାରିଣୀ । ତାଙ୍କର ଦୁଇ ହାତରେ ଖଡ୍ଗ ଓ ନରମୁଣ୍ଡ ଧ୍ବଂସର ପ୍ରତିକ ଏବଂ ଅନ୍ୟ ଦୁଇ ହାତର ବର ଓ ଅଭୟ ସନ୍ତାନ ମାନଙ୍କ ପାଇଁ । ଦେବୀଙ୍କ ସାଙ୍ଗରେ ଥାଆନ୍ତି ଆଠଗୋଟି ଯୋଗିନୀ ସେମାନେ ହେଲେ – ଭିଷଣା , ଚଣ୍ଡି , କରାଳା , ଶୁଳିନୀ , ହନ୍ତ୍ରୀ , ତ୍ରିପୁରା , କତ୍ରୀ ଓ ବିଧାଧୃକା ।

ସନାତନ ସଂସ୍କୃତି ଆଧାରରେ କାଳୀ ଓ କୃଷ୍ଣ ମୌଳିକ ରୂପରେ କୌଣସୀ ପ୍ରଭେଦ ନାହିଁ । କୃଷ୍ଣ ପରଂବ୍ରହ୍ମ ପୁଣି ଶୂନ୍ୟ ସ୍ବରୂପ । ତାଙ୍କର ରୂପ ଅଛି ପୁଣି ଅରୂପ ଅଣାକାର । ସେହିପରି କାଳୀଙ୍କୁ ଆମେ ମୂର୍ତ୍ତି ରୂପରେ ପୂଜା କରୁଥିଲେ ମଧ୍ୟ ସେ ଶୂନ୍ୟବ୍ୟାପି , ଶକ୍ତି ସ୍ବରୂପିଣି । ବାସ୍ତବରେ ସତ୍ତା ଏକ । ଶକ୍ତି ପୂଜନରେ ଶକ୍ତିର ହିଁ ଆବାହନ କରାଯାଇଥାଏ । ଶକ୍ତିର ଅନ୍ୟନାମ ହିଁତ ଜୀବନ । ଶକ୍ତି ଯେଉଠି ରହେ ସେଠାରେ କାର୍ଯ୍ୟ ଦକ୍ଷତା , ସାହାସ , ଶକ୍ତି , ଶୌର୍ଯ୍ୟ ପ୍ରଭୃତି ବୃଦ୍ଧି ପାଏ ।

ଭାରତ ବର୍ଷରେ ମାତୃ ଶକ୍ତି ଉପାସନା ଧାରା ଅତି ପ୍ରାଚୀନ । ଏହି ଧାରାର ଏକ ବଳିଷ୍ଠା ଦେବୀ ହେଉଛନ୍ତି କାଳୀ । ଭାରତରେ ବୈଦିକ ସଭ୍ୟତାର ବହୁ ପୂର୍ବରୁ ଆଦିବାସୀ ସଂସ୍କୃତି ଏକ ମହାନ ସଂସ୍କୃତି ଭାବେ ପ୍ରତିଷ୍ଠିତ ହୋଇଥିଲା । ଏହି ସଂସ୍କୃତିର ଏକ ପ୍ରାଚୀନ ଧାରା ଆଜିବି ପଶ୍ଚିମ ଓଡିଶାର ଅନେକ ସ୍ଥାନରେ ଦେଖାଯାଏ । ଏହି ଧାରାର ଅନେକ ଦେବାଦେବୀ ଯଥା – ଡୁକରୀ ବୁଡି, କଲାପାର୍, ଭାଲୁମୁଡେନ, ଗଙ୍ଗାଦୀ, ଦୂଆରସୂନୀ, ମାଏଲୀ, କାଲିସୁନ୍ଦରୀ, ଗବଡା, ବଞ୍ଜାରୀ, ବସ୍ତରେନ, ଧରନୀ, ବୁଡାରଜା, ଡଙ୍ଗରବୁଡା, ବାରମୁନି, ଭୈରବ, ଘାଟି ମୂଡେନ, ଠେଙ୍ଗା, ପାହାଡେନ, କୋକଡେନ, ଦୂଲା, ମାନେକସରୀ ଆଦି ଅସଂଖ୍ୟ ଦେବାଦେବୀ ମଧ୍ୟରୁ କାଲିସୁନ୍ଦରୀ ଅନ୍ୟତମ ।

ଅନେକ ଗ୍ରାମରେ ଗ୍ରାମ ଦେବୀ ରୂପେ ଉପାସିତା ହେଉଥିବା ଏହି ଦେବୀଙ୍କୁ କେତେକ ସଂପ୍ରଦାୟ ଗୃହରେ କିମ୍ବା ଗଛମୂଳେ ଇଷ୍ଟଦେବୀ ରୂପେ ଉପାସନା କରିଥାନ୍ତି । ପୂର୍ବେ ଆଦିମ ସମାଜରେ ମୂର୍ତି ପୂଜାର ପ୍ରଚଳନ ନଥିବାରୁ ଦେବା/ଦେବୀ ମାନଙ୍କ ପ୍ରତୀକ ରୂପେ ପଥରକୁ ରଖି ପୂଜା କରାଯାଉଥିଲା । ଏହି ପରଂପରା ବର୍ତମାନ ମଧ୍ୟ ଅନୁଶୃତ ହୋଇ ଆସୁଛି । ଅାଦିମ ସଂସ୍କୃତି ଧାରାରେ ଦେବୀ କାଲିସୁନ୍ଦରୀ ଶୂନ୍ୟ ରୂପା । ତାଙ୍କର ଆକାର ନାହିଁ କିନ୍ତୁ ସେ ତ୍ରିବିଧ ଜଗତରେ ବ୍ୟାପ୍ତ ହୋଇ ରହିଥାନ୍ତି । ଆଦିମ କାଳରେ ନାଗ୍ନୀ, ଯୋଗ୍ନୀ, ଖରାପ ଗ୍ରହ, ଭୂତ ପ୍ରେତ ଆଦି କବଳରୁ ଶିଶୁ ଓ ଗୃହ ପାଳିତ ପଶୁ ମାନଙ୍କୁ ରକ୍ଷା କରିବାର ମାନସିକତାରୁ ଅନେକ ଦେବାଦେବୀ ଉପାସନା ଆରମ୍ଭ କରିଥିଲା । ସେହି କ୍ରମରେ କାଲିସୁନ୍ଦରୀ ଉପାସନା କରାଯାଇଥିବା ଅନୁମାନ କରାଯାଏ । ପ୍ରାଚୀନ ସଂସ୍କୃତି ପରଂପରା ଆଧାରରେ ଦେବୀଙ୍କୁ ମଦ୍ୟ, ବଳୀ ଆଦି ପ୍ରଦାନ କରାଯାଇଥାଏ । ସମୟ ସମୟରେ ଦେବୀ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ଉଭା ହେଇଥାନ୍ତି । କାଳିସୀ ମାଧ୍ୟମରେ ସେ ଭଲ ମନ୍ଦ କଥା ପ୍ରକାଶ କରିଥାନ୍ତି । ଦେବୀଙ୍କ ପ୍ରିୟ ବାଦ୍ୟ ହେଉଛି ଡମ୍ ବଜା , ମୁହୁରିଆ କାଲିସୁନ୍ଦରୀ ପାହାର ବଜାଇବା ସହ ପଞ୍ଚ ବାଦ୍ୟର ଶକ୍ତ ଶୃଙ୍ଖଳ ମଧ୍ୟରେ ଦେବୀଙ୍କୁ ଆବାହନ କରା ଯାଇଥାଏ ।

କାଲି ସୁନ୍ଦରୀ ଏକ ପ୍ରତ୍ୟକ୍ଷା ଦେବତା ରୂପେ ଆଜିବି ପଶ୍ଚିମ ଓଡିଶାର ଜନ ଜୀବନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି । ଅତ୍ୟନ୍ତ ନିଷ୍ଠା ଓ ପାରମ୍ପାରିକ ବିଧାନ ଅନୁସାରେ ଦେବୀଙ୍କ ପୂଜାର୍ଚନା କରା ଯାଇଥାଏ । ନବାର୍ଣ୍ଣ ପୂର୍ବର ଗ୍ରାମ ମାନଙ୍କରେ ଅନୁଷ୍ଠିତ ହେଉଥିବା ‘ପନା ପାଏନ୍’ କାର୍ଯ୍ୟକ୍ରମ ହେଉ କିମ୍ବା ଦଶହରା, ଚଇତ୍ରା, ପୋଡ୍ ପୂଜା, ବିବାହ ସଂସ୍କାରର ଦେ ଗନସନ, ଓ ବିଭିନ୍ନ ଅନୁଷ୍ଠାନରେ ଅନ୍ୟ ଦେବାଦେବୀ ଆବାହନ ସମୟରେ ଗାଁର ଜାନୀ, ଝାଙ୍କର, ଗୌନ୍ତିଆ କାଲିସୁନ୍ଦରୀ ଦେବତାଙ୍କୁ ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରି ପୂଜାର୍ଚନା କରିଥାନ୍ତି । କୃଷି କ୍ଷେତ୍ରରେ ମାଏଲି ଦେବୀଙ୍କ ଉଦ୍ଦେଷ୍ୟରେ ପ୍ରଦାନ କରାଯାଉଥିବା ‘ଚୋରୋ’ ରେ ମଧ୍ୟ ସ୍ଥାନାନୁପାତରେ ଅନ୍ୟାନ୍ୟ ଦେବତାଙ୍କ ସହ କାଲିସୁନ୍ଦରୀଙ୍କୁ ଆବାହନ କରାଯାଇଥାଏ ।

‘କାଳୀ’ ଓ ‘କାଲିସୁନ୍ଦରୀ’ ଏକ ଓ ଅଭିନ୍ନ । କାଲିସୁନ୍ଦରୀ ରୁ କାଳୀ କି କାଳୀ ରୁ କାଲିସୁନ୍ଦରୀ ରୂପେ ଦେବୀ ରୂପାନ୍ତରିତ ହୋଇଛନ୍ତି ତାହା ଏକ ବିତର୍କର ବିଷୟ । କିନ୍ତୁ ସ୍ଥୁଳ ଦୃଷ୍ଟିରେ ସେ ଏକ ମହାନ ଦେବତାର ଆସନରେ ଉପବେଷନ କରି ସଂସାରର ଜନ ସମୁଦାୟ ସହ ସମସ୍ତ ପ୍ରାଣୀଙ୍କୁ କୃପା ଦୃଷ୍ଟିରେ ଅବଲୋକନ କରି ଆସୁଛନ୍ତି ।
ଜ୍ଞାନ ବିଜ୍ଞାନର ଧାରା ଯେତେ ଯେତେ ଉନ୍ନତତର ହେବାକୁ ଲାଗିଛି ମା’ କାଳୀ ସେତେ ସେତେ ରହସ୍ୟାବୃତ ହୋଇ ଯାଉଛନ୍ତି ।ସମ୍ପାଦକ, ଓଡିଆ ବାର୍ତ୍ତା odiabarta.in


For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.