ପିଠା ପାଇଁ ପ୍ରୋତ୍ସାହନ ରାଶି

ବାଜି ମାରିନେଲା କମର୍ଦ୍ଧା ପଞ୍ଚାୟତ

ଲାଞ୍ଜିଗଡ,୧୦/୧:

ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ସକରାତ୍ମକ ଢଙ୍ଗରେ ପହଞ୍ଚାଇବାକୁ ରାଜ୍ୟର ନବୀନ ସରକାର ଆରମ୍ଭ କରିଛନ୍ତି ପିଠା କାର୍ଯ୍ୟକ୍ରମ । ପିଠା ଜରିଆରେ ପଞ୍ଚାୟତସ୍ତରରେ ସରକାରୀ ଯୋଜନାଗୁଡିକୁ ଲୋକାଭିମୁଖୀ କରିବା ପାଇଁ ସରକାର ଏହି ଠୋସ୍ ପଦକ୍ଷେପ ନେଇଥିବାବେଳେ ମାସର ପନ୍ଦରରୁ କୋଡିଏ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ ରଖାଯାଇଛି । ତେବେ ସବୁଠୁ ବଡ଼କଥା ହେଲା ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସର୍ବଶ୍ରେଷ୍ଠ ପଞ୍ଚାୟତକୁ ପ୍ରୋତ୍ସାହନ ସ୍ୱରୂପ ନଗଦ ଅର୍ଥରାଶି ପୁରସ୍କାର ଦେବାର ବ୍ୟବସ୍ଥା ରହିଛି । କଳାହାଣ୍ଡି ଜିଲ୍ଲାରେ ପିଠାକୁ ନେଇ ଆଲୋଡ଼ନ ଦେଖାଦେଇଥିବାବେଳେ ସର୍ବୋକ୍ରୃଷ୍ଟ ପ୍ରଦର୍ଶନ ସହ ଜିଲ୍ଲାର ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତ ନଗଦ ଅର୍ଥରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହାକୁ ନେଇ ପଞ୍ଚାୟତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ଏହାର ସମସ୍ତ ଶ୍ରେୟ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବର୍ତ୍ତମାନର ପଞ୍ଚାୟତର ସମିତି ସଦସ୍ୟ ଯୁବନେତା ଜଗଦୀଶ ବେନିଆଁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରାଙ୍ଗ ମାଝୀଙ୍କୁ ଦେଇଛନ୍ତି ପଞ୍ଚାୟତବାସୀ । ସେହିପରି ସରପଞ୍ଚ କାନ୍ତି ପାତ୍ର ଓ ସମସ୍ତ ୱାର୍ଡସଭ୍ୟ/ସଭ୍ୟାଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଆଲୋଚନା ହେଉଛି । ପାଇବାକୁ ଥିବା ପୁରସ୍କାର ଆମକୁ ଆହୁରି ଉତ୍ସାହିତ କରିଛି ଓ ଏହାକୁ ପଞ୍ଚାୟତର ଉନ୍ନତି ପାଇଁ ବିନିଯୋଗ କରାଯିବ ବୋଲି ସମିତି ସଦସ୍ୟ ଶ୍ରୀ ବେନିଆଁ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମର ସର୍ବୋକ୍ରୃଷ୍ଟ ପଞ୍ଚାୟତଗୁଡିକୁ ବଛା ସରିଥିବାବେଳେ ଆସନ୍ତା ଜାନୁୟାରୀ ଛବିଶରେ ସଂପୃକ୍ତ ପଞ୍ଚାୟତଗୁଡିକୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି । ଜିଲ୍ଲାରେ କମର୍ଦ୍ଧା ବ୍ୟତୀତ କର୍ଲାମୁଣ୍ଡା ବ୍ଲକର ରେଗଡା, ଥୁଆମୂଳ ରାମପୁର ବ୍ଲକର କାଣିଗୁମା, ଜୟପାଟଣା ବ୍ଲକର ରେଙ୍ଗାଲପାଲି, ଗୋଲାମୁଣ୍ଡା ବ୍ଲକର ଖମାର ହଲଦୀ, କେସିଙ୍ଗା ବ୍ଲକର ହାତୀଖୋଜ,ଜୁନାଗଡ ବ୍ଲକର ଭଇଁରୀଗୁଡା, ଭବାନୀପାଟଣା ବ୍ଲକର ସେଁପୁର, କଲମପୁର ବ୍ଲକର ମଣ୍ଡଳ, ନର୍ଲା ବ୍ଲକର ଶାନ୍ତପୁର, ମ.ରାମପୁର ବ୍ଲକର ନୁନ୍ପୁର, କୋକସରା ବ୍ଲକର ଗମ୍ଭାରୀଗୁଡା, ଧର୍ମଗଡ ବ୍ଲକର ବଗାଡ ପଞ୍ଚାୟତ ଏ ଦିନ ପୁରସ୍କୃତ ହେବେ ।

Report by Sushil Kumar Bag, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.