ହେମନ୍ତ ସାହୁଙ୍କ ଆଲୋଚନା : କୁଶୁର୍ଲାର ପ୍ରସିଦ୍ଧ ମକର ମେଳା

ହେମନ୍ତ ସାହୁ

ବିଶ୍ୱାସ ଏବଂ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାରା ଓଡ଼ିଶାରେ ସୁପ୍ରସିଦ୍ଧ ମକରମେଳା। ନୀଳକଣ୍ଠେଶ୍ୱର ମନ୍ଦିର କମିଟୀ, କୁଶୁର୍ଲା ତରଫରୁ ମକରମେଳା ମହାସମାରୋହରେ ପାଳିତ ହେଉଛି । କେବଳ କଳାହାଣ୍ଡି ନୁହେଁ ପଡ଼ୋଶୀ ଜିଲ୍ଲା ବଲାଙ୍ଗିର, କନ୍ଧମାଳ, ନୂଆପଡ଼ା, ରାୟଗଡ଼ା ଆଦି ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ରଖିପାରିଛି କୁଶୁର୍ଲାର ମକର ମେଳା । ମକର ସଂକ୍ରାନ୍ତି ବେଳକୁ ଲୋକେ ସଜ ହେଇ ଆସନ୍ତି ଏଇ ମେଳା ଦର୍ଶନ କରିବା ପାଇଁ । କିଛି ବର୍ଷ ହେଲା ସେଇ ଏକା ସମୟରେ କଳାହାଣ୍ଡି ଉତ୍ସବ ଘୁମୁରା ଆୟୋଜନ କରାଯାଉଥିଲେ ହେଁ ଏହି ମେଳାକୁ ଲୋକଙ୍କ ସଂଖ୍ୟା କମି ନାହିଁ ।

ଜାଣିବା ମେଳା ସଂପର୍କରେ ଅଧିକ କିଛି

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଗାଁ ହେଉଛି କୁଶୁର୍ଲା । ଏଇ ଗାଁର ମକରମେଳାକୁ ଆଖପାଖ ଅଂଚଳର ଲୋକେ ମକରମେଳା ଅପେକ୍ଷା କୁଶୁର୍ଲା ଯାତ୍ରା ଭାବରେ ଅଧିକ ଜାଣନ୍ତି । ଏଇ ଗାଁରେ ୧୯୫୧ ମସିହାଠାରୁ ନିରବଚ୍ଛିନ୍ନ ଭାବରେ ପ୍ରତିବର୍ଷ ମାଘ କିମ୍ବା ପୌଷ ମାସରେ (ମକର ସଂକ୍ରାନ୍ତିଠାରୁ) ବହୁ ଜାକଜମକରେ ପାଳନ ହୁଏ । ଏଇ ଗାଁର ନୀଳକଣ୍ଠେଶ୍ୱର ଶୈବପୀଠର ଇତିହାସ ଅତି ପୁରାତନ । ନବମ ଓ ଦଶମ ଶତାଦ୍ଧିରେ ସୋମବଂଶୀ ରାଜା ଏକ ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । କାଳକ୍ରମେ ଉକ୍ତ ମନ୍ଦିର ମାଟିରେ ବିଲୀନ ହୋଇ ଯାଇଥିଲା । ମଦନପୁର ରାମପୁର ଜମିଦାର ରାଜା ୰ଦୁର୍ଗାମାଧବ ସିଂହଦେଓଙ୍କ ଶାସନ କାଳରେ ଉକ୍ତ ପୁରାତନ ପୀଠର ଖନନ କରାଯାଇ ବର୍ତମାନର ଶିବଲିଙ୍ଗ ଆବିଷ୍କାର କରାଯାଇଥିବା ପ୍ରମାଣ ରହିଛି । ସେହି ସ୍ଥାନରେ ୧୯୪୮ ମସିହାରେ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା । ଗାଁର ଉପକଣ୍ଠରେ ରହିଛି ଶୈବ ପୀଠ ବା ମନ୍ଦିର । ବାବା ଶ୍ରୀ ନିଳକଣ୍ଠେଶ୍ୱର ମହାଦେବ ପୂଜା ପାଆନ୍ତି ।

ଏଇ ଶୈବ ପୀଠରେ ଆଦିବାସୀ ସଂସ୍କୃତିର ସମ୍ମେଳନ ଦେଖିବାକୁ ମିଳେ । ଜନଶୃତି କହେ ବର୍ତମାନର ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଏକ ଘଂଚ ଅରଣ୍ୟ ମଧ୍ୟରେ ଗୋଟିଏ ଝାଟିମାଟି କୁଡିଆରେ ଆଦିବାସୀମାନଙ୍କ ଦ୍ୱାରା ପୂଜା ପାଉଥିଲେ । ଆଦିବାସୀମାନେ ତାଙ୍କ ପର୍ବପର୍ବାଣୀରେ ପୀଠରେ ଛେଳି, କୁକୁଡା, ପାରା ବଳି ଦେଉଥିଲେ । ଆଦିବାସୀମାନେ ଶୈବପୀଠରେ ବଳିଦେବା କଥା ମଦନପୁର ରାମପୁର ଗଡଜାତ ଜମିଦାର ରାଜା ୰ଦୁର୍ଗାମାଧବ ସିଂହଦେଓ ଜାଣିବାପରେ ବଳୀ ପ୍ରଥାକୁ ତୁରନ୍ତ ବନ୍ଦ କରାଇଥିଲେ । ଏହାପରେ ସେ ସୋନପୁର ଜିଲ୍ଲାରୁ ୰ଶ୍ୟାମ ସୁନ୍ଦର ବଡ଼ମାଳୀ କୁ ଆଣି ମନ୍ଦିରର ପୂଜକ କରିଥିଲେ । ସେହି ମାଳି ପରିବାର ବଂଶାନୁକ୍ରମିକ ଭାବରେ ୰ଉଜ୍ଜ୍ୱଳ ବଡ଼ମାଳୀ (ଶ୍ୟାମ ସୁନ୍ଦରଙ୍କ ପୁଅ),କମ୍ବୁପାଣି ବଡ଼ମାଳୀ(ଉଜ୍ଜ୍ୱଳଙ୍କ ପୁଅ) ଆଜିଯାଏଁ ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଉତ୍ସବ ପାଳନର ଅନ୍ତରାଳେ ଏକ ଇତିହାସ ରହିଛି । ୧୯୫୧ ମସିହାର ପ୍ରଥମାର୍ଦ୍ଧରେ ଅଂଚଳର କେତେଜଣ ମହାନ ପୂଣ୍ୟାତ୍ମା ବ୍ୟକ୍ତି ପଦଯାତ୍ରା କରି ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ତୀର୍ଥରେ ଯାଇଥିଲେ । ସେମାନେ ତୀର୍ଥ କରି ଫେରିବା ବାଟରେ ନୟାଗଡ ଜିଲ୍ଲାର ଓଡ଼ଗାଁ ସ୍ଥିତ ପ୍ରସିଦ୍ଧ ବାବା ଲଡୁକେଶ୍ୱର ମହାଦେବଙ୍କ ପୀଠରେ ମକରମେଳା ପର୍ବ ଚାଲିଥିବା ଦେଖିଲେ । ଏହାପରେ ସେମାନେ ଗାଁକୁ ଫେରି ପ୍ରଥମେ ମନସ୍ଥ କଲେ ମକରମେଳା ଉତ୍ସବ ପାଳନ କରିବେ । ସେହି ସମୟରେ ଆଖପାଖ ୪୪ ଖଣ୍ଡ ଗ୍ରାମର ମୁଖିଆ ଲୋକଙ୍କୁ ଡାକି ଏକ ସଭା କରି ସେହି ସଭାରେ ମକରମେଳା ଉତ୍ସବ ପାଳନ କରିବାର ଶେଷ ନିଷ୍ପତି ନେଇଥିଲେ । ସେହି ଦିନଠାରୁ ୧୯୫୧ ମସିହାଠାରୁ ନିରବଚ୍ଛିନ୍ନ ଭାବରେ ଆଜିଯାଏଁ କୁଶୁର୍ଲା ମକରମେଳା ବହୁ ଆଡମ୍ବର ସହକାରେ ପାଳନ ହୋଇ ଆସୁଛି ।

ସପ୍ତାହେ ଧରି ମକରମେଳା ଉତ୍ସବ ପାଳନ ହେଉଥିବା ବେଳେ ଏହି ଅବସରରେ ଦୋକାନ, ବଜାର, ଅପେରା, ସର୍କସ, ମୀନାବଜାର ପଡେ । ନାମ ସଂକୀର୍ତନ ହୁଏ । ଏଇ ଅଂଚଳ ପାଇଁ ଏହା ଏକ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ଏବଂ ଚିତ ବିନୋଦନର ଏକ ଉତ୍ସବ ବା ଯାତ୍ରା ପାଲଟିଛି । ମକର ଉତ୍ସବର ପ୍ରଥମ ଦିନ ଦେଉଳ ପ୍ରବେଶ କରାଯାଏ । ସଂକ୍ରାନ୍ତି ଦିନରେ ଶ୍ରୀ ନୀଳକଣ୍ଠେଶ୍ୱର ବାବାଙ୍କୁ ରଥାରୁଢ କରାଯାଇ ଗ୍ରାମ ପରିକ୍ରମା କରାଯାଏ । ସଂକ୍ରାନ୍ତିର ଗୋଟିଏ କି ଦୁଇଦିନ ପରେ ମନ୍ଦିର ପରିସରରେ ଅବସ୍ଥାପିତ ଆଦିବାସୀଙ୍କ ଧରଣୀ ଖୁଂଟରେ ପଶୁବଳି ଦେଇ ମକରମେଳା ପର୍ବକୁ ସମାପନ କରାଯାଏ । ମକରମେଳା ସମୟରେ ଗାଁର ପ୍ରତି ଘରକୁ ବନ୍ଧୁ ପରିଜନଙ୍କ ଆଗମନ କରନ୍ତି ।

ମକର ପର୍ବର ମୁଖ୍ୟ ସ୍ୱତନ୍ତ୍ରତା ହେଲା- ମକର ଚାଉଳ, ଆଖୁ, ଗୁଡ, ରାଶି, ଚାଉଳ, ଚିନି, କଦଳୀ, ନଡିଆରେ ମିଶ୍ରିତ ପ୍ରସ୍ତୁତ କରାଯାଏ ମକର ଚାଉଳ । ମକର ଚାଉଳକୁ ନୀଳ କଣ୍ଠେଶ୍ୱର ମହାଦେବଙ୍କଠାରେ ନୈବେଦ୍ୟ ଲାଗେ । ମକରମେଳାକୁ ଆସୁଥିବା ବ୍ୟକ୍ତି ବିଶେଷ ମୁଖ୍ୟତଃ ମହିଳା ଓ ଯୁବତୀମାନେ ମନ୍ଦିର ପୂଜକଠାରୁ ମକର ଚାଉଳକୁ ଗ୍ରହଣ କରିନେଇ ନିଜ ପ୍ରିୟ ଲୋକଙ୍କୁ ଖୁଆଇ ସେମାନଙ୍କ ସହିତ ମକର ସଙ୍ଗାତ, ବଉଳ ବସୁଥିଲେ । ସେ ଯାହା ହେଉ ମୂଳ ମହତ ଓ ସ୍ୱାତନ୍ତ୍ରତା ନଥିଲେ ମଧ୍ୟ ପରମ୍ପରା କ୍ରମେ କଳାହାଣ୍ଡି ଜିଲ୍ଲାରେ କୁଶୁର୍ଲା ମକରମେଳା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାହା ଆଜି ବି ଲୋକଙ୍କୁ ଗୋଟିଏ ଦିନ ପାଇଁ ବି ହେଉ ପ୍ରତିବର୍ଷ ଟାଣି ଆଣେ ଏଇ ପୀଠ ବା ମେଳାକୁ ।

ସ୍ୱତନ୍ତ୍ର ପ୍ରତିନିଧି odiabarta.in
ମୋ: ୯୪୩୭୬୭୯୧୩୮

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.