ମ. ରାମପୁର ଅଞ୍ଚଳର କିଛି ବରେଣ୍ୟ ମହିଳାଙ୍କ ସଫଳତାର କାହାଣୀ

ଆଜି ମାର୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱରେ ନାରୀ ମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦେବା ସହ ସେମାନଙ୍କୁ ରାଜନୀତି, ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଆଗ୍ରାଧିକାର ଦେବା ଉଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ମ. ରାମପୁରର କେତେକ ସଫଳ ବରେଣ୍ୟ ମହିଳାଙ୍କ ସଫଳତାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ।

ପ୍ରସ୍ତୁତି: ହେମନ୍ତ ସାହୁ

ଦିବ୍ୟାଙ୍ଗ ଟୁନି ପଣ୍ଡା ପାଇଲେ ପି.ସୁବ୍ରମଣ୍ୟମ୍ ଆୱାର୍ଡ

ମ.ରାମପୁର ସ୍ଥିତ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର ଦିବ୍ୟାଙ୍ଗ କଳାକାର ଟୁନି ପଣ୍ଡା ନେସନାଲ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ତରଫରୁ ମର୍ଯ୍ୟାଦାଜନକ ପି. ସୁବ୍ରମଣ୍ୟମ ପୁରସ୍କାର (ଏକଲକ୍ଷ ଟଙ୍କା ଚେକ ସହ ମାନପତ୍ର) ନୂଆଦିଲ୍ଲୀ ଠାରେ ଗ୍ରହଣ କରିଛନ୍ତି । ଏହି ପୁରସ୍କାର ପାଇବା ପାଇଁ ସେ ଆବେଦନ କରିବା ପରେ ଗତ ଡ଼ିସେମ୍ବର ମାସରେ ତାଙ୍କର ପରୀକ୍ଷା କରାଯାଇଥିଲା ଏବଂ ସେ ସେଥିରେ ସଫଳତାର ସହ କୃତୀତ୍ୱ ହାସଲ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଦିବ୍ୟାଙ୍ଗ ଟୁନି ପଣ୍ଡା ଜଣେ ସୁପ୍ରସିଦ୍ଧ କଣ୍ଠ ଶିଳ୍ପୀ ଭାବେ ସାରା ଓଡିଶାରେ ସୁପରିଚିତ । ପି. ସୁବ୍ରମଣ୍ୟମ ପୁରସ୍କାର ପରି ଏକ ମର୍ଯ୍ୟଦାଜନକ ସମ୍ମାନ ଗ୍ରହଣ କରିବା ଅବସରରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି – “ମୁଁ ଆଖିରେ ଦେଖି ନପାରିଲେ ବି ଅନୁଭବ କରିପାରେ ସଂସାରରେ ମୁଁ ଅଲୋଡ଼ା ନୁହେଁ କି ଦୁଃଖୀ ନୁହେଁ ବୋଲି ।” ଏହି ପୁରସ୍କାର ପାଇଁ ତାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଇଥିବା ବେଳେ ଏହି ପୁରସ୍କାର ପାଇବାପରେ ମ.ରାମପୁର ସହ ଜିଲ୍ଲା ସାରା ଆନନ୍ଦର ଲହରୀ ଖେଳିଯାଇଛି ।

ରଗବୀ ଓ ଗେଟ୍ ବଲ୍ ଖେଳାଳୀ : ଆକାଂକ୍ଷା ସିଂହଦେଓ

ମ. ରାମପୁର ନିବାସୀ ସୁଜାତା ସିଂହଦେଓଙ୍କ କନିଷ୍ଠା କନ୍ୟା ଆକାଂକ୍ଷା ସିଂହଦେଓ (ଜନ୍ମ ୦୨/ ୦୩/ ୧୯୯୯) ନିଜ ବାଲ୍ୟ ଜୀବନରୁ ସଂଗ୍ରାମ କରିବା ସହ ନିଜକୁ ଆଜି ଜଣେ ସୁପ୍ରସିଦ୍ଧ ରଗବୀ ଓ ଗେଟବଲ ଖେଳାଳୀ ଭାବରେ ପରିଚିତ କରାଇପାରିଛନ୍ତି । ଓଡ଼ିଶା ରଗବୀ ଦଳରେ ନିଜକୁ ସାମିଲ କରାଇବା ସହ ଜାତୀୟ ଖେଳାଳୀ ଚୟନ ଶିବିରେ ମଧ୍ୟ ଯୋଗଦେଇ ସଫଳତା ଲାଭ କରିଛନ୍ତି । କେବଳ ସେତିକିନୁହେଁ ସେ ବନ୍ଧୁକ ଚାଳନାରେ ଋଚି ରଖିବା ସହ ନିଜ ମାଁଙ୍କ ଠାରୁ ଶିଖିଥିବା ବନ୍ଧୁକ ଚାଳନାରେ ବିଭିନ୍ନ ସ୍ଥାନରେ ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଲାଭ କରିଛନ୍ତି । ସଂପ୍ରତି ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଠାରେ ବିଟେକ୍ ଅଧ୍ୟୟନ କରିବା ସହ ଆଗାମୀ ଦିନରେ ଆହୁରି ସଫଳ ହେବାର ପ୍ରୟାସ ଜାରୀ ରଖିଛନ୍ତି ।

ପର୍ବତାରୋହୀ ଭଗିନୀ : ଲିପ୍ସାମୟୀ ଓ ଈପ୍ସାମୟୀ

ଓଡ଼ିଶାର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ ଲିପ୍ସାମୟୀ ଦୁବେ ଏବଂ ଭଉଣୀ ଈପ୍ସାମୟୀ ଦୁବେ ପର୍ବତାରୋହଣ ପାଇଁ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଦୁର୍ବାର ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନେ ଏହି ଦୁର୍ବାର ଇଚ୍ଛାଶକ୍ତି ଅବଳାକୁ ସବଳା କରିଦିଏ । କିଛି ବର୍ଷ ତଳେ ସଉକରେ ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ସହ ମିଶି ମ.ରାମପୁରସ୍ଥିତ କୁସୁମଦେଈ ପାହାଡ଼କୁ ଚଢିଥିଲେ ଲିପ୍ସା ଓ ଈପ୍ସା ଏବଂ ସେଇଠୁ ପର୍ବତାରୋହଣର ସ୍ୱତନ୍ତ୍ର ଅନୁଭବକୁ ନିଜ ଭିତରେ ସାଉଁଟିବା ସହ ଏକ ଦିବ୍ୟ ଆନନ୍ଦର ଆତ୍ମତୃପ୍ତି ପାଇଁ ଯୋଡ଼ିହେଇଗଲେ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଦଳ ସହ । ଆଉ ପଛକୁ ଫେରି ନାହାନ୍ତି ଦୁଇ ଭଉଣୀ । ମ.ରାମପୁର ପାଇକପଡ଼ାର ମିହିର କୁମାର ଦୁବେ ଏବଂ ସୁଷମା ଦୁବେଙ୍କ ବଡ଼ ଝିଅ ଲିପ୍ସାମୟୀ(ପିନି) ଏବଂ ସାନଝିଅ ଈପ୍ସାମୟୀ ବିଭିନ୍ନ ସମୟରେ ଉତ୍ତରକାଶୀଠାରେ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ସଂଯୋଜକ ତଥା ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରିଡ଼ା ଏବଂ ଯୁବବ୍ୟାପାର ମନ୍ତ୍ରାଳୟ ଓଡ଼ିଶା ତରଫରୁ ଟାଟା ଷ୍ଟିଲ ଆଡ଼େଭେଞ୍ଚର ଫାଉଣ୍ଡେସନ ଜାମସେଦପୁରର ସହାୟତାରେ ଅନୁଷ୍ଠିତ ବିଜୁପଟ୍ଟନାୟକ ହିମାଳୟ ଅଭିଯାନର ପ୍ରାରମ୍ଭିକ କାର୍ଯ୍ୟକ୍ରମ ସର୍ତ୍ତମୂଳକ କ୍ୟାମ୍ପରେ ଯୋଗଦେଇ ସଫଳତାର ସହ ପର୍ବତର ଶିଖରରେ ପହଂଚିପାରିବା ଗୌରବ ହାସଲ କରିପାରିଛନ୍ତି । ଭାରତୀୟ ପର୍ବତାରେହଣ ସଂସ୍ଥା ଓ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଜାନୁଆରୀ ୨୮ରୁ ଫେବ୍ରୃାରୀ୧୧ ଯାଏଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଭିନ୍ନ ତାଲିମ କେନ୍ଦ୍ରରେ ଜାତୀୟ ଦୁଃସାହସିକ ଗାଇଡ଼ ପାଠ୍ୟକ୍ରମରେ କଳାହାଣ୍ଡିରୁ ଏକମାତ୍ର ଝିଅ ଈପ୍ସାମୟୀ ଯୋଗଦେଇ ସଫଳତାର ସହ ନିଜର ଗାଇଡ଼ ପାଠ୍ୟକ୍ରମ ଶେଷ କରି ଫେରିଛନ୍ତି । ସେ ନିଜ ଅନ୍ୟସାଥିମାନଙ୍କ ସହ ଏହି ତାଲିମ ପାଇଁ ଦାର୍ଜିଲିଂ ଯାଇଥିଲେ । ପର୍ବତାରୋହଣରେ ନିଷ୍ଠା ରଖିଥିବା ଦୁଇ ଭଉଣୀ ଲିପ୍ସାମୟୀ ଓ ଈପ୍ସାମୟୀ ଅନ୍ୟ ଝିଅମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।

ଝିଅ ବି କମ୍ ନୁହେଁ : ଜୀବନ ସଂଗ୍ରାମରେ ତିନି ଭଉଣୀ

ସାମ୍ପ୍ରତିକ ସମାଜରେ ଝିଅକୁ ଅଣ ଦେଖା କରାଯାଉଥିବା ବେଳେ ଝିଅ ବି କମ୍ ନୁହେଁ ବୋଲି ନିଜ ବାପା-ମାଁ ସ୍ୱୀକାର କରିଥିବା ବେଳେ ଜୀବନ ସଂଗ୍ରାମରେ ଅହୋରାତ୍ର ଚେଷ୍ଠିତ ତିନି ଭଉଣୀ ସୁନୀତା, ମିଲନୀ ଓ ଝୁଲଣୀ ସିଲେଇ କାମ ମାଧ୍ୟମରେ ସମାଜରେ ନିଜକୁ ପ୍ରତିଷ୍ଠିତ  କରିପାରିଛନ୍ତି । ସ୍ଥାନୀୟ ଶୁଣ୍ଢିପଡ଼ାର ଶେଷ ଭାଗରେ ରହିଛି ଲମ୍ବୋଦର ପାତ୍ର ଓ ଅଞ୍ଜଳୀ ପାତ୍ରଙ୍କ ପରିବାର । ପରିବାର କହିଲେ ପାଞ୍ଚ ଝିଅ, ଗୋଟିଏ ପୁଅ ଓ ବାପା-ମାଁ । ବାପା ସିଲେଇ କାମ କରି (କ୍ରିଷ୍ଣା ଟେଲର୍ସ) ପରିବାର ପ୍ରତିପୋଷଣ କରୁଥିଲେ । ଘରେ ହିଁ ଚାଲିଥିଲା ତାଙ୍କ ସିଲେଇ କାମ । ପରେ ପରେ ବଡ଼ ଝିଅ ସୀମନ୍ତିନୀ ମାଟ୍ରିକ ପଢା ପରେ ବାପାଙ୍କୁ ଏହି କାମରେ ସହଯୋଗ କରି ପ୍ରଥମେ ହାତ ସିଲେଇ କାମରୁ ଆରମ୍ଭ କରି ପରେ ପରେ ନିଜେ ସିଲେଇ କରିବା ଶିଖିବା ସହ ବାପାଙ୍କୁ କାମରେ ସହଯୋଗ କଲା । ତା ପଛକୁ ରିମାନ୍ତିନୀ ବି ଏହି କାମରେ ନିଜର ଋଚି ରଖିବା ସହ କାମରେ ନିଜର ଦକ୍ଷତା ପ୍ରତିପାଦନ କଲା । ତେବେ ଏହି ଦୁଇ ଭଉଣୀଙ୍କ ବାହାଘର ପରେ ପରେ ବାପା ପକ୍ଷାଘାତ ରୋଗର ଶୀକାର ହେବା ସହ ନିଜ କାମକୁ ଆଉ ଆଗେଇ ପାରିଲେ ନାହିଁ । ଫଳ ସ୍ୱରୂପ ଏହି ପରିବାର ପ୍ରତିପୋଷଣ କରିବାରେ ଘୋର ଅଭାବ ଅସୁବିଧା ଦେଖା ଦେଲା କାରଣ ଦୁଇ ଦୁଇ ଝିଅଙ୍କୁ ବାହା କରେଇ ନିଜର ସମସ୍ତ ସମ୍ବଳ ସାରିଦେଇଥିବା ଲମ୍ବୋଦର ଆଉ କାମ କରିପାରିଲେ ନାହିଁ । ଘୋର ଅଭାବରେ କାଳାତିପାତ କରୁଥିବା ବେଳେ ତିନି ନମ୍ବର ଝିଅ ସୁନୀତା(୨୫) ଏହି କାମ କରିବା ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସିଲା, କାରଣ ସେ ବି ଘରେ ଏହି କାମ ଦେଖି ଦେଖି କିଛି କାମ ଶିଖି ସାରିଥିଲା । କାମ ଆରମ୍ଭ କଲା ବେଳକୁ ତାର ବୟସ ମାତ୍ର ପନ୍ଦର ବର୍ଷ । ଘରେ ସମସ୍ତ ସିଲେଇ ସାମଗ୍ରୀ ରହିଥିବା ଯୋଗୁଁ ଏହି କାମ ପାଇଁ ଆଉ କିଛି ଅର୍ଥର ଆବଶ୍ୟକତା ପଡ଼ିଲା ନାହଁ । ତାକୁ ଅନୁସରଣ କରି ଆଉ ଦୁଇ ଭଉଣୀ ମିଲନୀ(୨୧), ଝୁଲଣୀ(୧୭) ଏହି କାମରେ ନିଜକୁ ସାମିଲ କଲେ । ମାଁ ବି ସବୁବେଳେ ହାତ କାମରେ ସହଯୋଗ କରିବା ସହ ଘରକାମ କରନ୍ତି । ଆଜକୁ ୫ ବର୍ଷ ହେଲା ଏହି ତିନି ଭଉଣୀ ନିଜ ରୋଗଗ୍ରସ୍ତ ବାପାଙ୍କ ପାଇଁ ନିୟମିତ ଔଷଧ ସହ ପରିବାର ଚଳେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ସ୍ୱୟଂ ସହାୟିକା ସଂଘ ସଦସ୍ୟାରୁ ଆତ୍ମ ନିର୍ଭରଶୀଳା : କାଳେନ୍ଦ୍ରୀ ଭୋଇ

ତଳସାଗରପଡା ନିବାସୀ କାଳେନ୍ଦ୍ରୀ ଭୋଇ ମାତ୍ର ସପ୍ତମ ଶ୍ରେଶୀ ଯାଏଁ ପାଠପଢିଥିବାବେଳେ ସେ ପ୍ରଥମେ ଫାର ସଂସ୍ଥା ତରଫରୁ ଗଠିତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ପରେ ଉକ୍ତ ଦଳର ସଂପାଦିକା ରହିବା ସହ ନିଜର ନିଷ୍ଠାପର ଉଦ୍ୟମ ଫଳରେ ସେ ଗତ ୨୦୦୧ ମସିହାଠାରୁ ବିଜୟିନୀ ଓ ମହାଶକ୍ତିର କୋଷାଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଛନ୍ତି । ବର୍ତ୍ତମାନ ଏହି ଆଦିବାସୀ ମହିଳା ଜଣକ ବିଜୟିନୀ ସମବାୟ ବ୍ୟାଙ୍କରେ ଜଣେ କର୍ମଚାରୀ ଭାବରେ କାର୍ଯ୍ୟକରିବା ସହ ପ୍ରତିଦିନ ଚାଲି ଚାଲି ମ.ରାମପୁର ସହରର ପାଖାପାଖି ଶହେଟି ପରିବାର ପାଖକୁ ଯାଇ ସଂଚୟ ଆଣିବା ସହ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଉଛନ୍ତି । ନିଜ ଉଦ୍ୟମରେ ନିଜର ଦୁଇପୁଅ ଓ ସ୍ୱାମୀଙ୍କ ସଂସାରରେ ସହାୟତାର ହାତ ବଢାଇବା ସହ ଆତ୍ମ ନିର୍ଭରଶୀଳ ହେଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ମୋ: +91 9437679138

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.