ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଭାବେ ସୁରେନ୍ଦ୍ର ଭୋଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ବ୍ଲକର ମୋଟ ୧୨ ଜଣ ସମିତି ସଭ୍ୟ ମଧ୍ୟରୁ ୧ ୧ଜଣ ସମିତି ସଭ୍ୟ/ସଭ୍ୟା ଉପାଧ୍ୟକ୍ଷ ନିର୍ବାଚନରେ ଉପସ୍ଥିତ ଥିବା ବେଳେ କେବଳ ସୁରେନ୍ଦ୍ର ଭୋଇ ଏକମାତ୍ର ପ୍ରାର୍ଥୀ ଭାବେ ଉପାଧ୍ୟକ୍ଷ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଫଳରେ ତାଙ୍କୁ ଉପାଧ୍ୟକ୍ଷ ଭାବରେ ଘୋଷଣା କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଶ୍ରୀ ଭୋଇ ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ ସୈନିକ ହୋଇଥିବାରୁ ରାଜନୀତି ଜରିଆରେ ଜନସେବା କରିପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।ଅନ୍ୟ ପଟେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିବା ଜଣାପଡ଼ିଛି । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ନନ୍ଦି କିଶୋର ଭୋଇ, ବିଶ୍ଵଦୀପକ ପାତ୍ର, ନେମିଚନ୍ଦ ଜୈନ, ବିଜେଡି ନେତା ବିରଞ୍ଚି ରଣା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଅର୍ଜୁନ ସାହୁ, ସୀମାଞ୍ଚଳ ଭୋଇ, ତ୍ରିସଙ୍କ ରଣା, ରବି ନାଗ ପ୍ରମୁଖ ଉପସ୍ଥିତ ଥିଲେ ।