ବେଆଇନ ବାଲି ଚାଲାଣ ରୋକିବାରୁ ପ୍ରଶାସନିକ ଅଧିକାରୀଙ୍କୁ ଧମକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବାଲି ମାଫିଆ ମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ବିଭିନ୍ନ ନଦୀପଠାରୁ ପ୍ରତହ୍ୟ ଉଠୁଛି ଟନ୍ ଟନ୍ ବାଲି । ଏହାକୁ ବିରୋଧ କଲେ ଆକ୍ରୋଶର ଶିକାର ହେବାକୁ ପଡୁଛି । ତେବେ ସାଧାରଣ ଜନତା କଥା ଛାଡ଼ନ୍ତୁ ଖୋଦ୍ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଭଳି କାର୍ଯ୍ୟରତ ସରକାରୀ ଅଧିକାରୀ ମାନଙ୍କୁ ବାଲିଘାଟ ଠିକାଦାର ଧମକ ଦେଉଥିବା ପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ଆଧାରରେ ଭବାନୀପାଟଣା ତହସିଲ କର୍ଲାପଡା ରାଜସ୍ବ ନିରୀକ୍ଷକଙ୍କ ଅଞ୍ଚଳ ଅଧିନ ତୁର୍କେଲ ବାଲିଘାଟରୁ ଶହଶହ ଟ୍ରିଫ ବାଲି ପୂର୍ବ ଲିଜ ଧାରୀ ରୋଶନ ଜୈସଓ୍ବାଲ ବେଆଇନ ଭାବେ ଉଠାଇ ଚାଲାଣ କରୁଥିଲେ । ପ୍ରଶାସନ ଏ ଖବର ପାଇବା ପରେ ଅତର୍କିତ ଚଢଉ କରି ବେଆଇନ ବାଲି ଉତ୍ତୋଳନକୁ ବନ୍ଦ କରାଇଥିଲେ । ଏଥିରେ ନିୟୋଜିତ ହାଇଓ୍ବା ଗୁଡିକୁ ଜବତ କରିବାକୁ ଭବାନୀପାଟଣା ସଦର ପୁଲିସକୁ ତହସିଲଦାର ଲିଖିତ ଭାବେ ଜଣାଇଛନ୍ତି । ପାଲଟା ବେଆଇନ ବାଲି ଉତ୍ତୋଳନକାରୀ ପ୍ରଶାସନକୁ ନାଲି ଆଖି ଦେଖେଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବେଆଇନ ବାଲି ଚାଲାଣ ରୋକିବାକୁ ଯାଇ କର୍ଲାପଡା ରାଜସ୍ବ ନିରୀକ୍ଷକ ବୈକୁଣ୍ଠ ପାଣିଗ୍ରାହୀ ଦୁର୍ବବ୍ୟବହାରର ଶିକାର ହୋଇଥିବା ଶୁଣିବାକୁ ମିଳିଛି । ଭବାନୀପାଟଣା ତହସିଲଦାର ମଧ୍ୟ ଏଥିରୁ ବାଦ୍ ପଡିନଥିବା ଜଣାପଡିଛି । ଯାହା ତହସିଲଦାର ସ୍ବୀକାର କରିଛନ୍ତି । ବାଲିଘାଟର ଅବଧି ଗତ ୫ ତାରିଖରେ ଶେଷ ହୋଇଥିବା ବେଳେ ପୁନଃ ପୂର୍ବ ଲିଜଧାରୀ ଉକ୍ତ ଘାଟରୁ ବାଲି ଉଠେଇବା ବେନିୟମ କାର୍ଯ୍ୟ ଅଟେ । ପୁର୍ବ ଲିଜଧାରୀ ରୋଶନ ଜୈସଓ୍ବାଲ ଦୁର୍ବ୍ୟବ୍ୟବହାର ସଂକ୍ରାନ୍ତରେ ଥାନାରେ ଏତାଲା ଏଯାବତ୍ ହୋଇନାହିଁ । ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେବା ଏକ ଅଗଣତାନ୍ତ୍ରିକ ଘଟଣା । ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଏହି ଘଟଣାରେ ନିଜ ଜୀବନକୁ ବିପଦ ମଣୁଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.