ଡିଜିଟାଲ୍‌ ଇଣ୍ଡିଆ ସାତ ସପନ: ନେଟୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ସମୟରେ ଡିଜିଟାଲ୍‌ କାରବାର ବେଶ୍‌ ବୃଦ୍ଧି ପାଇଛି । ସରକାରୀ ଓ ବେସରକାରୀ ଅଫିସ କାମ ଅନ୍‌ଲାଇନ୍‌ରେ ହେଉଛି । ପାଠପଢ଼ାଠାରୁ ଚାକିରି ଆବେଦନ ପର୍ଯ୍ୟନ୍ତ ସବୁ ଅନ୍‌ଲାଇନ୍‌ । ଏପରିକି କ୍ୟାସ୍‌ଲେସ୍‌ କାରବାର ପାଇଁ ଦେଣନେଣ ମଧ୍ୟ ଅନଲାଇନ୍‌ରେ ହେଉଛି । ଆଉ ସରକାରୀ ଅଫିସ୍‌ କିମ୍ବା ବ୍ୟାଙ୍କକୁ ଯିବାକୁ ପଡ଼ିବନି ବୋଲି କୁହଯାଉଛି । ମାତ୍ର କନ୍ଧମାଳ ଜିଲ୍ଲାର କେତେକ ପଞ୍ଚାୟତରେ ନେଟ୍‌ୱାର୍କ ନଥିବାରୁ ଡିଜିଟାଲ ଇଣ୍ଡିଆ ସାତ ସପନ ହୋଇଛି ।ଏପରି ଏକ ଅଞ୍ଚଳ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତରେ ଇଣ୍ଟରନେଟ୍‌ ସୁବିଧା ପହଞ୍ଚିନାହିଁ । ଏଣୁ ସୁଟାଣି ଘାଟି ପାଲଟିଛି ନେଟ୍‌ଜୋନ୍‌ । ଘାଟିରେ ପହଞ୍ଚି ଅଙ୍ଗନବାଡ଼ି କର୍ମୀ ଅଫିସ କାମ କରୁଥିବା ବେଳେ ସେଠାରେ ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଅଭିଯୋଗ ହୋଇଛି ଯେ ଉପାନ୍ତ ଇଲାକା ଲୁଇସିଂ ପଞ୍ଚାୟତ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଠାରୁ ୫୦ କିମି ଦୂର । ବର୍ଷ ବର୍ଷ ଧରି ଅଞ୍ଚଳବାସୀ ମୋବାଇଲ ଟାୱାର ନିର୍ମାଣ ଦାବି କରି ଆସିଛନ୍ତି । ଏଠାରେ କୌଣସି ନେଟ୍‌ୱର୍କ ଆସୁନାହିଁ । ଜାତିଗତ ସାର୍ଟିଫିକେଟ୍‌, ସ୍କୁଲ, କଲେଜ ଫର୍ମ ପୂରଣ କରିବା, ଅନ୍‌ଲାଇନ୍‌ ପଢ଼ା ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ ଅଫିସ୍‌ ଡାଟା ଅନ୍‌ଲାଇନ୍‌ରେ ଦେବାକୁ କୁହାଯାଉଛି । ମାତ୍ର ନେଟ୍‌ୱାର୍କ ନଥିବାରୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବିଶେଷ କରି ଜରୁରି ପରିସ୍ଥିତିରେ ପଞ୍ଚାୟତବାସୀ ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିପାରୁ ନାହାନ୍ତି l ଲୁଇସିଂ ପଞ୍ଚାୟତରେ ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଅଙ୍ଗନବାଡ଼ି କେନ୍ଦ୍ରର କାମ ଅନ୍‌ଲାଇନରେ କରାଯାଉଛି । ଗର୍ଭବତୀ, ପ୍ରସୂତି, ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ମମତା ଆପ୍‌, ଓ ପୋଷଣ ଆପ୍‌ ଓ ଅନ୍ୟାନ୍ୟ ଆପ୍‌ ରହିଛି । ଏହି ଆପ୍‌ ମାଧ୍ୟରେ ସମସ୍ତ ତଥ୍ୟ ଦୈନିକ ଅପ୍‌ଲୋଡ୍‌ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି । ସୁଟାଣି ଘାଟିରେ ନିକଟରେ ନେଟ୍‌ୱର୍କ ରହୁଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡ଼ି କର୍ମୀ ପଞ୍ଚାତୟଠାରୁ ୧୦ କିମି ଦୂର ଯାଉଛନ୍ତି । ସେଠାରେ ଅଫିସ କାମ କରୁଛନ୍ତି । କିଏ ନିଜ ଗାଡ଼ି ନେଇ ଯାଉଛନ୍ତି ତ ଆଉ କିଏ ଯାତ୍ରୀବାହୀ ଗାଡ଼ିରେ ଯାତାୟାତ କରୁଛନ୍ତି । ଏଥିପାଇଁ ସମୟ ଓ ଅର୍ଥ ଅପଚୟ ହେଉଥିବା ଅଭିଯୋଗ ହୋଇଛି । ଭାଟୁଲୁ ଅଙ୍ଗନବାଡ଼ି କର୍ମୀ ସାନ୍ତୁନି କହଁର, କଡ଼ମପାଙ୍ଗା ଅଙ୍ଗନବାଡି କର୍ମୀ ସଇନ୍ଦ୍ର କହଁର, ମାଳାକେରି ଅଙ୍ଗନବାଡ଼ି କର୍ମୀ ରଚନା କହଁର ଅନ୍‌ଲାଇନ୍‌ କାମ ପାଇଁ ସୁଟାଣି ଘାଟିକୁ ମାସ ମାସ ଧରି ଆସୁଥିବା କହିଛନ୍ତି । ଯାତାୟତରେ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ଘାଟି ଅଞ୍ଚଳରେ ବିଭିନ୍ନ ଜାଗାରେ ବସି ପଢ଼ୁଛନ୍ତି । ମୋବାଇଲ ଟାୱାର ନିର୍ମାଣ କରିବାକୁ ସରପଞ୍ଚ ସୁଦର୍ଶନ କହଁର ଦାବି କରିଛନ୍ତି । ଏ ନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ଖୁବ୍‌ଶୀଘ୍ର ନେଟ୍‌ୱର୍କ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.