ଭାରତରେ ଆୟୋଜିତ ହେବ ୧୭ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ଫୁଟବଲ ୨୦୨୨

ଆନ୍ତର୍ଜାତିକ ଫୁଟବଲ ମହାସଂଘ ସହ ଗ୍ୟାରେଣ୍ଟି ସ୍ୱାକ୍ଷର ପାଇଁ କ୍ୟାବିନେଟ ଅନୁମୋଦନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଭାରତରେ ୧୭ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ଫୁଟବଲ ୨୦୨୨ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଆନ୍ତର୍ଜାତିକ ଫୁଟବଲ ମହାସଂଘ (ଏଫଆଇଏଫଏ) ସହ ପ୍ରତିଶ୍ରୁତିନାମା (ଗ୍ୟାରେଣ୍ଟିପତ୍ର) ସ୍ୱାକ୍ଷର କରିବାକୁ ଅନୁମୋଦନ କରାଯାଇଛି । ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍‌-୨୦୨୨ ଭାରତରେ ଅକ୍ଟୋବର ୧୧ରୁ ୩୦ତାରିଖ ମଧ୍ୟରେ ଆୟୋଜିତ ହେବ । ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସପ୍ତମ ସଂସ୍କରଣ ଫିଫା ମହିଳା ଫୁଟବଲ ପ୍ରତିଯୋଗିତା ପ୍ରଥମ ଥର ନିମନ୍ତେ ଭାରତରେ ଆୟୋଜିତ ହେବ । ଫିଫା ୧୭ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍‌-୨୦୧୭ର ସକାରତ୍ମକ ଅଭିକ୍ଷତାକୁ ପାଥେୟ କରି ଦେଶ ୧୭ବର୍ଷରୁ କମ୍ ମହିଳା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ ହେଉଛି । ଏହି ଆକର୍ଷଣୀୟ ଟ୍ରଫିକୁ ହାତେଇବା ପାଇଁ ବିଶ୍ୱର ଯୁବା ମହିଳା ଫୁଟବଲ ଖେଳାଳୀମାନେ ସମସ୍ତ ପ୍ରୟାସ କରିବେ । ସର୍ବଭାରତୀୟ ଫୁଟବଲ ମହାସଂଘକୁ ଏଥିପାଇଁ ଦଶକୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଖେଳପଡିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ ସୁବିଧା ଓ ତାଲିମ କ୍ଷେତ୍ର ଇତ୍ୟାଦି ବାବଦକୁ ଖର୍ଚ୍ଚ ହେବ ।

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଚାମ୍ପିୟନସିପ୍ ୧୭ବର୍ଷ ବା ତା’ଠାରୁ କମ୍ ମହିଳାମାନଙ୍କ ନିମନ୍ତେ ଫିଫା ପକ୍ଷରୁ ଆୟୋଜିତ ହୋଇଆସୁଛି । ଏହି ପ୍ରତିଯୋଗିତାରେ ୨୦୦୮ ମସିହାରେ ଆରମ୍ଭ ହୋଇଥିବା ବେଳେ ପ୍ରାୟ ଯୁଗ୍ମ ବର୍ଷରେ ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଥାଏ । ୨୦୧୮ ମସିହା ନଭେମ୍ବର ୧୩ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ଉରୁଗୁଏରେ ଆୟୋଜିତ ହୋଇଥିଲା । ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍‌ର ବର୍ତ୍ତମାନ ଚାମ୍ପିୟନ ଆଖ୍ୟା ସ୍ପେନ ବଜାୟ ରଖିଛି । ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ୨୦୨୨ରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ, ଏଥିରେ ଭାରତ ସମେତ ୧୫ଟି ଦେଶ ଅଂଶଗ୍ରହଣ କରିବେ । ଭୁବନେଶ୍ୱର, ନବି ମୁମ୍ବାଇ ଓ ଗୋଆରେ ଅଖିଳ ଭାରତ ଫୁଟବଲ ମହାସଂଘ ଏହାର ଆୟୋଜନ କରିବାକୁ ସ୍ଥିର କରିଛି । ଫିଫା ୧୭ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍ ୨୦୧୭ ଭାରତ ସଫଳତାର ସହ ଛଅଟି ସ୍ଥାନ ଯଥା ନୂଆଦିଲ୍ଳୀ, ଗୌହାଟୀ, ମୁମ୍ବାଇ, ଗୋଆ, କୋଚି ଓ କୋଲକାତାରେ ୨୦୧୭ ଅକ୍ଟୋବର ୬ରୁ ୮ତାରିଖ ମଧ୍ୟରେ ଆୟୋଜନ କରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.