୨ଟି କୋଠାରୀରେ ପଢୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା

ବାରମ୍ବାର ଦାବି ସତ୍ତ୍ବେ ସମାଧାନ ହେଉ ନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ 

ଦାବି ପୂରଣ ନ ହେଲେ ବିଇଓ ଅଫିସ ଆଗରେ ଧାରଣା ଚେତାବନୀ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଂଚାୟତ ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରେ ଆଠଟି ଶ୍ରେଣୀର ପିଲା ଖୁନ୍ଦା ଖୁନ୍ଦି ହୋଇ ଦୁଇଟି ଶ୍ରେଣୀ ଗୃହରେ ଶିକ୍ଷକ ମାନେ ପିଲାଙ୍କୁ ଶିକ୍ଷା ଦାନ କରିବା ବ୍ୟବସ୍ଥା ଏଠାରେ ସରକାରଙ୍କ ଶିକ୍ଷାର ବ୍ୟବସ୍ଥାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ଦେଖା ଦେଇଛି । ଏଥିପ୍ରତି ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ମାନେ ବାରମ୍ବାର ଜନପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରି ଆଶୁ ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ, ଏଠାରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଭିଭାବକ ମାନେ ମୁହଁ ଫେରାଉଛନ୍ତି । ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ସୂଚନା ମୁତାବିକ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେବା ଶକାଶେ ୧୯୬୭ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲା । ଏଥିରେ ନୂଆପଡା ସମେତ ଅନକାବେଡା, ଏବଂ ଚକାମାଲ ର ପିଲାମାନେ ପାଠପଢି ପାରୁ ଥିଲେ । ୨୦୦୮ ରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇ ଥିଲା । ବର୍ତ୍ତମାନ ଏଥିରେ ସର୍ବ ମୋଟ ୧୧୧ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଧାନ ଶିକ୍ଷକ ସମେତ ୫ ଜଣ ଶିକ୍ଷକ ରହିଛନ୍ତି । ବିଦ୍ୟାଳୟ ରେ ୨ ଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ରୋଷେଇ ଗୃହ ଏବଂ ଗୋଟିଏ ଷ୍ଟୋର ରୁମ ରହିଛି । ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ଥିବା ଯୋଗୁଁ ଦୁଇଟି ଶ୍ରେଣୀ ଗୃହରେ ପ୍ରତି କ୍ଲାସର ପିଲାଙ୍କୁ ଦୁଇ ଭାଗ କରି ଶିକ୍ଷା ଦାନ ଦିଆ ଯାଉଥିବା ସହ ବର୍ଷା ନ ହେବା ଦିନ ବାରଣ୍ଡାରେ ଶିକ୍ଷା ଦାନ ଦିଆ ଯାଉଛି ବୋଲି ପ୍ରଧାନ ଶିକ୍ଷକ ମୋହନ ମାଝି ପ୍ରକାଶ କରିଛନ୍ତି । ଏପରିକି ପିଲାଙ୍କୁ କୋଠରୀ ଅଭାବରେ କ୍ଲାସ ରୁମରେ ମଧ୍ୟାନ୍ନ ଭୋଜନ ଦିଆ ଯାଉଛି । ଗତ ମଇ ମାସରେ ବିଦ୍ୟାଳୟର ପରିଚାଳନା କମିଟି ଶ୍ରେଣୀ ଗୃହ ପାଇଁ ରିଜୁଲେସନ କରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦେଇ ଥିବା ପରିଚାଳନା କମିଟିର ସଭାପତି ଭାସ୍କର ପାଣ୍ଡେ ପ୍ରକାଶ କରିଛନ୍ତି । ଡି.ପି.ଇ.ପି ତରଫରୁ ଏକ ଅତିରିକ୍ତ ଶ୍ରେଣୀ ଗୃହ ମଞ୍ଜୁର ହୋଇଥିଲା ବେଳେ ଏହାକୁ ତତ୍କାଳୀନ ପ୍ରଧାନ ଶିକ୍ଷକ ଅର୍ଦ୍ଧ ନିର୍ମାଣ କରି ଛାଡି ଥିବାରୁ ଏହା ପରିତ୍ୟକ୍ତ ଏବଂ ବିପଦ ସଂକୁଳନ ଅବସ୍ଥାରେ ରହିଛି ବୋଲି ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି । ଏ ବାବଦରେ ଚନ୍ଦାହାଣ୍ଡି ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ବିଜୟାନନ୍ଦ ସୋରିଙ୍କୁ ପଚାରିବାରୁ ଚନ୍ଦାହାଣ୍ଡି ବ୍ଳକର ଶ୍ରେଣୀ ଗୃହ ନଥିବା ବିଦ୍ୟାଳୟକୁ ଜିଲ୍ଲାପାଳ ଜିଲ୍ଲା ମିଟିଙ୍ଗରେ ରିପୋର୍ଟ ମାଗିବାରୁ ପ୍ରଦାନ କରାଯାଇଛି । ସେଥିରେ ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନାମ ପ୍ରଥମରେ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଅନକାବେଡା ସମିତି ସଭ୍ୟା ଗୌରୀ ନାଗଙ୍କୁ ପଚାରିବାରୁ ବିଧାୟକ ଫାଣ୍ଟିରୁ ଶ୍ରେଣୀ ଗୃହ ପାଇଁ ୬ ଲକ୍ଷ ଆଇଟିଡିଏ ତରଫରୁ ଦିଆ ଯାଇଥିବା ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏଠାରେ ଶ୍ରେଣୀ ଗୃହର ଅଭାବ କେତେ ଦିନ ପରେ ଦୂର ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମର ଅଭିରାମ ପାଣ୍ଡେ, ଅଧିରାଜ ପାଣ୍ଡେ, ଘେନୁ ଜଗତ, ଦେବାନନ୍ଦ ସୁନା, ପରମାନନ୍ଦ ଖରସେଲ, ବାଲାଜୁ ନାଗ, ମହେନ୍ଦ୍ର ରଣା, ଦେବାନନ୍ଦ ସାହୁ, ଗୁଣ ସାଗର ପାଣ୍ଡେ ପ୍ରମୁଖ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.