ସୁଶୀଲ କୁମାର ବାଗଙ୍କ ଆଲୋଚନା : ନିରୁତା ସାହିତ୍ୟ ସେବା

ନିରୁତା ସାହିତ୍ୟ ସେବା

ସୁଶୀଲ କୁମାର ବାଗ

 

ମଣିଷ ସମାଜରେ ବଂଚିବାକୁ ହେଲେ କିଛି ନା କିଛି କରିବାକୁ ପଡ଼େ । ଖାଇବାକୁ ବଂଚିବା କି ବଂଚିବା ପାଇଁ ଖିଆଯାଏ ତାହା ତ ଭିନେ କଥା କିନ୍ତୁ ବଂଚିବାକୁ ହେଲେ କାମଧନ୍ଦା, ଚାକିରିବାକିରି, ମୂଲମଜୁରି କରିବାକୁ ହୁଏ । ଏହା ବାଦ୍ ରାଜନୀତି । ଆଉ ରାଜନୀତିକୁ ଛାଡ଼ିଦେଲେ ଗୋଟିକ ହେଲା ସମାଜସେବା । ସମାଜର ଉନ୍ନତିରେ ନିଜକୁ ହଜାଇଦେବା ହିଁ ସମାଜସେବା କୁହାଯାଏ ।

ଆମେ ଏବେ ସେଥିରେ ଯୋଡ଼ିବା ଆଉ ଏକ ସେବା, ସାହିତ୍ୟସେବା । ସାହିତ୍ୟ ଯଦି ସମାଜର ଦର୍ପଣ ସେଇ ଦର୍ପଣକୁ ନିତିପ୍ରତି ଦେଖୁଥିବା ଲୋକେ ସାହିତ୍ୟସେବା କରିବା ବି ଉଚିତ୍ । ଏହାକୁ କେହି ବିଶ୍ୱାସ କରିବେ କି ନା ଜାଣୁନା । କିନ୍ତୁ ସମାଜସେବାର ଏକ ଅଙ୍ଗ ଭାବେ ସାହିତ୍ୟସେବାକୁ ବି ଗ୍ରହଣ କରାଯାଇପାରେ ।

ସାହିତ୍ୟ ଯେହେତୁ ସମାଜର ହିତ ସାଧନ କରେ । ତେଣୁ ସାହିତ୍ୟସେବା ଦ୍ୱାରା ସମାଜର ଉନ୍ନତି ଅବଶ୍ୟମ୍ଭାବୀ । ତେବେ ଅନ୍ୟ ସମସ୍ତ କାର୍ଯ୍ୟର ସିଧାସଳଖ ପ୍ରଭାବ ଥିବାବେଳେ ହୁଏତ ସାହିତ୍ୟର ପ୍ରଭାବ ବିଳମ୍ବ ହୋଇପାରେ ସମାଜ ସୁଧାରିବାରେ । କିନ୍ତୁ ସାହିତ୍ୟର ପ୍ରଭାବ ସୁଦୂରପ୍ରସାରୀ; ଏହା ସମସ୍ତେ ସ୍ୱୀକାର କରିବେ ନିଶ୍ଚୟ ।

ମନକୁ ଏହି ପ୍ରଶ୍ନ ଆଜି ବି ଆସେ ଯେ, ସାହିତ୍ୟ କ’ଣ ସମାଜକୁ ବଦଳାଇ ଦେଇ ପାରିବ..? ଏହାର ଉତ୍ତର ବେଳେବେଳେ ମିଳେନାହିଁ । କିନ୍ତୁ ସବୁରି ପଛରେ ଥାଏ ଗୋଟେ ‘ହଁ’ । ଏଇ ହଁ ର ସନ୍ଧାନ ମିଳେ କାର୍ଲମାର୍କ୍ସଙ୍କ ଦାସ୍ କେପିଟାଲରୁ, ମାକ୍ସିମ୍ ଗର୍କୀଙ୍କ ମା’ରୁ । ଆଉ ବି ଲେଖକ ଯେଉଁମାନଙ୍କ ଲେଖା ବିପ୍ଲବର କାରଣ ସାଜିଛି ଲୋକଙ୍କୁ ସଚେତନ କରାଇଛି । ସେମାନେ ଆଜି କେବଳ ଲେଖକ ନୁହନ୍ତି ସମାଜ ସଂସ୍କାରକ ନୂତନ ଧାରାର ପ୍ରବର୍ତ୍ତକ ଭାବେ ସମ୍ମାନ ପାଆନ୍ତି ।

ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଆଜିର ସାହିତ୍ୟିକ ଓ ଲେଖକମାନେ ଏକ ପ୍ରକାର ହତାଶା ଓ ନିରାଶା ମଧ୍ୟ ଦେଇ ଗତି କରୁଛନ୍ତି । କାରଣ ସେମାନେ ଲେଖୁଛନ୍ତି ସିନା ନିଜ ସଉକ ମେଣ୍ଟାଇବା ପାଇଁ । ବେଳେବେଳେ ସେମାନଙ୍କୁ ଭଲ ପ୍ରକାଶକ ମିଳୁନାହାନ୍ତି । ଯଦିବା ସେମାନେ ନିଜେ ଖର୍ଚ୍ଚ କରି ବହି ଛାପିବେ ତାହା ବିକ୍ରି ହେବାର କୌଣସି ନିଶ୍ଚିତତା ନାହିଁ । ଫଳରେ ଜଣେ ଲେଖକ ସମୟ ସୁବିଧା ମିଳିଲେ ମଧ୍ୟ ସାହିତ୍ୟସେବା କରି ପାରୁନାହିଁ ।

ଅବଶ୍ୟ ସାହିତ୍ୟସେବା ପାଇଁ ଏବେ ଦୁଆର ଖୋଲିବାରେ ଲାଗିଛି । ତାହା କିନ୍ତୁ ପର୍ଯ୍ୟାପ୍ତ ନୁହେଁ । ଲୋକେ କୁଲିଗିରି କରି ବରଂ ଚଳିଯିବେ କିନ୍ତୁ ସାହିତ୍ୟ କିମ୍ବା ଲେଖାଲେଖିକୁ ପେଶା କରି ଏଇଠି ଚଳିବା ଭାରି କଷ୍ଟକର । ଆମ ଦେଶରେ କତିପୟ ଲେଖକ ହିଁ ସେ ସୌଭାଗ୍ୟର ଅଧିକାରୀ ହୋଇ ପାରିଛନ୍ତି । ଯେଉଁମାନଙ୍କ ବହି ବେଷ୍ଟସେଲରର ମାନ୍ୟତା ପାଏ ବା ସେମାନଙ୍କୁ ସେଲିବ୍ରିଟି ଲେଖକ ବୋଲି କୁହାଯାଏ । ଏଇ ଶ୍ରେଣୀର ଲେଖକମାନଙ୍କୁ କିନ୍ତୁ ସାହିତ୍ୟସେବା କରୁଛନ୍ତି ବୋଲି ବି କୁହାଯାଇ ପାରିବ ନାହିଁ ।

ଏ ଦିଗରେ ଆମ ଲେଖକମାନଙ୍କ ଦୋଷ ଦୁର୍ବଳତା ବି କିଂଚିତ୍ ପରିମାଣରେ ରହିଛି । ବାସ୍ତବିକତା ବିନା ସାହିତ୍ୟ ତ ଅନ୍ଧାରରେ ବାଡ଼ି ବୁଲାଇବା ଭଳି । ଯେଉଁ ରୋଗ ଆମ ଲେଖକମାନଙ୍କୁ ଦିନକୁ ଦିନ ଗ୍ରାସିବାରେ ଲାଗିଛି ।

ଏଥିଯୋଗୁଁ ସାହିତ୍ୟରେ ଏବେ ଅନେକ ଗୋଷ୍ଠୀ, ଅନେକ ବାଦ । ବାଦକୁ ବାଦ୍ ଦେଇ ସାହିତ୍ୟ କରିବା ସତେ ଯେମିତି ମୁସ୍କିଲ ହୋଇ ପଡିଛି । ଯାହାର ପ୍ରଭାବ ପାଠକ ଉପରେ ପଡୁଛି । ମୋଟାମୋଟି ଭାବେ କହିବାକୁ ଗଲେ ଆମ ସମାଜ ଉପରେ ଏହାର ନକରାତ୍ମକ ପ୍ରଭାବ ହିଁ ପଡୁଛି । ତେଣୁ ସମାଜ ବଦଳିବ ବୋଲି ନୁହେଁ ସାହିତ୍ୟ ଦ୍ୱାରା ସମାଜର ଉନ୍ନତି ସାଧନ କରିବାକୁ ହେଲେ ନିରୁତା ସାହିତ୍ୟସେବାର ନିତାନ୍ତ ଆବଶ୍ୟକତା ରହିଛି ।

ମୋ: ୯୭୭୬୪୭୧୩୪୭
connect to sushil: https://bit.ly/2FBB93t

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.