ମଣିପୁରରେ ମିଆଁମାର ଅନୁପ୍ରବେଶକାରୀଙ୍କ ବାୟୋମେଟ୍ରିକ ଯାଞ୍ଚ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ଇମ୍ଫାଲ: ମଣିପୁରରେ ପ୍ରାୟ ତିନି ମାସ ହେବ ହିଂସା ଲାଗି ରହିଛି। ଏବେ ଧିରେ ଧିରେ ସ୍ଥିତି ସୁଧାରିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନାହିଁ। ଏହାର ସୁଯୋଗରେ ପଡୋଶୀ ମିଆଁମାର ନାଗରିକମାନେ ଏହି ହିଂସା ପ୍ରଭାବିତ ରାଜ୍ୟରେ ବେଆଇନ ଭାବେ ଅନୁପ୍ରବେଶ କରୁଛନ୍ତି। ଏନେଇ ମଣିପୁର ସରକାର ମିଆଁମାରରୁ ଆସୁଥିବା ଶରଣାର୍ଥୀଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛନ୍ତି। ରାଜ୍ୟରେ ମିଆଁମାର ଅବୈଧ ଅନୁପ୍ରବେଶକାରୀଙ୍କ ବାୟୋମେଟ୍ରିକ ଯାଞ୍ଚ ପାଇଁ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ମଣିପୁରରେ ବେଆଇନ ଭାବେ ମିଆଁମାର ପ୍ରବାସୀ କିପରି ପ୍ରବେଶ କଲେ ସେ ନେଇ ବାୟୋମେଟ୍ରିକ କ୍ୟାପଚର ଅପରେସନ୍ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ମିଆଁମାରରୁ ରାଜ୍ୟକୁ ଆସୁଥିବା ଅନୁପ୍ରବେଶକାରୀଙ୍କ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରାଯିବ।ଏହା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଦେଶରେ ପ୍ରବେଶ କରୁଥିବା ସମସ୍ତ ଅବୈଧ ଅନୁପ୍ରବେଶକାରୀ ଦେଶର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ପାରିବେ ନାହିଁ। ଏକ ରାଜ୍ୟ ସରକାରଙ୍କ ପ୍ରକାଶନରେ କୁହାଯାଇଛି ଯେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଅଧିକାରୀଙ୍କ ଏକ ଟିମ୍ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଇମ୍ଫାଲ ପୂର୍ବ ଜିଲ୍ଲାରେ ବେଆଇନ ପ୍ରବାସୀ ଭାରତୀୟଙ୍କ ବାୟୋମେଟ୍ରିକ ତଥ୍ୟ ହାସଲ କରିବାରେ ସହାୟତା କରିଛନ୍ତି। ଏଥି ସହିତ, ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ଅଧିକାରୀମାନେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବାୟୋମେଟ୍ରିକ ତଥ୍ୟ ହାସଲ କରିବାକୁ ତାଲିମ ଦେଇଛନ୍ତି। ଉପଯୁକ୍ତ ଡକ୍ୟୁମେଣ୍ଟ ବିନା କେମିତି ଓ କାହିଁକି ପଡୋଶୀ ଦେଶର ନାଗରିକଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା ସେନେଇ ଆସାମ ରାଇଫଲକୁ ରିପୋର୍ଟ ତଲବ କରିଛନ୍ତି ସରକାର। ଏହାସହ ସେମାନଙ୍କୁ ବିତାଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଥାଉକି ଯେ, ମଣିପୁରରେ ବ୍ୟାପିଥିବା ହିଂସା ପଛରେ ନାର୍କୋ ଆତଙ୍କବାଦ ବ୍ୟତୀତ ମିଆଁମାରରୁ ଆସିଥିବା ଶରଣାର୍ଥୀମାନେ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ଜୁଲାଇ ୨୨ ଓ ୨୩ ତାରିଖରେ ଅର୍ଥାତ୍ ମାତ୍ର ଦୁଇ ଦିନରେ ମିଆଁମାରରେ ୭୧୮ ଜଣ ନାଗରିକ ମଣିପୁରରେ ପ୍ରବେଶ କରିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ପିଟର ସଲାମ ସୂଚନା ଦେଇଛନ୍ତି। ପିଟର ସଲାମଙ୍କ ଅନୁଯାୟୀ, ବାୟୋମେଟ୍ରିକ ଯାଞ୍ଚ ପାଇଁ ଏହି ଲୋକଙ୍କୁ ଚିହ୍ନଟ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.