ବିଜୁବାବୁଙ୍କ ଦ୍ୱାରା ଉଦଘାଟିତ ପୂର୍ଣ୍ଣଚନ୍ଦ୍ର ଟାଉନ ହଲ୍ ଜରାଜୀର୍ଣ୍ଣ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଓଡିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଖଲ୍ଲିକୋଟ ସହରର କେନ୍ଦ୍ର ସ୍ଥଳରେ ଥିବା ଖଲ୍ଲିକୋଟ ମର୍ଦ୍ଦରାଜ ବଂଶର ଶେଷ ଦାୟାଦ ତଥା ରାଣୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ସ୍ୱାମୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜଙ୍କ ନାମରେ ନାମିତ ଟାଉନ ହଲ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇ ଭୁଶୁଡିବାକୁ ବସିଲାଣି। ପ୍ରକାଶ ଥାଉକି, ବିଗତ ଦିନରେ ତା.୧୮.୦୮.୧୯୮୮ରିଖ ଦିନ ତତ୍କାଳୀନ ଖଲ୍ଲିକୋଟ ଏନଏସି ନଗରପାଳ ୰ବନବିହାରୀ ଦାଶଙ୍କ ସମୟରେ ସ୍ବର୍ଗତ ବିଜୁବାବୁଙ୍କ ଦ୍ୱାରା ଏକ ପାଠାଗାର ଉଦଘାଟନ ହୋଇଥିଲା। ତେବେ ଏନଏସି ଟାଉନ ହଲର ମରାମତି କରି ପାଠାଗାର ଆରମ୍ଭ ହୋଇଥିଲା। ତେବେ ପାଠାଗାର ଚାଲିବାର ମାତ୍ର ୪ ବର୍ଷ ପରେ ପାଠାଗାରଟି ଅଚଳ ହେବା ସହ ଏନଏସିର ରକ୍ଷଣାବେକ୍ଷଣ ଅଭାବରୁ କଥାଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇ ବର୍ତ୍ତମାନ ଅସୁରକ୍ଷିତ ହୋଇ ବୁଲା ଗୋରୁଗାଈ ଓ ସରୀସୃପ ସାଙ୍ଗକୁ ଅସାମାଜିକଙ୍କ ମଦୁଆ ଆଡ୍ଡାରେ ପରିଣତ ହେଲାଣି। ଇତିମଧ୍ୟରେ ଚାରିଜଣ ନଗରପାଳ ପରିବର୍ତ୍ତନ ହେଲାଣି, କିନ୍ତୁ ଟାଉନ ହଲର ଭାଗ୍ୟ ବଦଳି ପାରିଲାନି। ବିଭିନ୍ନ ସମୟରେ ଟାଉନ ହଲର ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ କରାଯାଉଥିବା ବେଳେ ପର ମୁହୂର୍ତ୍ତରେ ଏହି ଯୋଜନା ଫସର ଫାଟି ଯାଉଛି। ଏ ନେଇ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ବୈଠକରେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ମୃତି ରକ୍ଷା ପାଇଁ ଆଲୋଚନା ହୋଇଛି। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଯେକୌଣସି ମୁହୂର୍ତ୍ତରେ ଉକ୍ତ ଜରାଜୀର୍ଣ୍ଣ କୋଠାକୁ ଭଙ୍ଗା ନ ଗଲେ କୋଠା ଭୁଶୁଡି ଯିବାର ସମ୍ଭାବନା ରହିଛି। ଶୁଣିବାକୁ ମିଳୁଛି, କୋଠାର ମାଲିକାନା ଦେବୋତ୍ତର କମିଟିକୁ ହସ୍ତାନ୍ତର କରି ଏକ ବ୍ୟବସାୟ ଅନୁଷ୍ଠାନ କରାଯିବl ପାଇଁ ପ୍ରସ୍ତୁତି ଚାଲିଛି। ତଥାପି ଏ ନେଇ କୌଣସି ଠୋସ ପଦକ୍ଷେପ ନିଆ ନଯିବା ଫଳରେ ଖଲ୍ଲିକୋଟ ବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଫାଇଭଟି ସଚିବ ଓଡିଶାର ବିଭିନ୍ନ ଅଞ୍ଚଳ ବୁଲି ମୁଠା ମୁଠା ଟଙ୍କା ରୂପାନ୍ତରିତ ପାଇଁ ବାଣ୍ଟି ଥିବା ବେଳେ ଖଲ୍ଲିକୋଟ ପ୍ରତି ଅଣଦେଖାକୁ ନେଇ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.